ଦିଲ୍ଲୀରୁ ଆଜମଗଡ ଯାଉଥିବା କୈଫିୟତ ଏକ୍ସପ୍ରେସ ଦୁର୍ଘଟଣା ଗ୍ରସ୍ତ!ଉତ୍ତରପ୍ରଦେଶର ଔରିୟା ନିକଟରେ ୯ବଗି ଲାଇନଚ୍ୟୁତ,୫୦ରୁ ଉର୍ଦ୍ଧ୍ୱ ଆହତ

34

କନକ ବ୍ୟୁରୋ : ଉତ୍ତରପ୍ରଦେଶରେ ଟ୍ରେନ ଦୁର୍ଘଟଣା । ଉତ୍ତରପ୍ରଦେଶର ଔରିୟା ଜିଲ୍ଲାରେ ଦୁର୍ଘଟଣାଗ୍ରସ୍ତ ହୋଇଛି ଆଜମଗଡରୁ ଦିଲ୍ଲୀ ଯାଉଥିବା କୈଫିୟତ ଏକ୍ସପ୍ରେସ । ଏହି ଦୁର୍ଘଟଣାରେ ପ୍ରାୟ ୫୦ଜଣ ଯାତ୍ରୀ ଆହତ ହୋଇଛନ୍ତି । ଉଦ୍ଧାର କାର୍ଯ୍ୟରେ ଏନଡିଆରଏଫକୁ ନିୟୋଜିତ କରାଯାଇଛି । ଗତକାଲି ରାତି ପ୍ରାୟ ୨ଟା ୪୦ମିନିଟରେ ସମୟରେ କାନପୁର ଓ ଇଟାୱା ମଧ୍ୟରେ ଥିବା ଏକ ମାନବବିହୀନ ରେଳ ଫାଟକରେ ଏକ ଡମ୍ପରକୁ ଧକ୍କା ଦେଇଛି କୈଫିୟତ ଏକ୍ସପ୍ରେସ । ଡମ୍ପରକୁ ଧକ୍କା ଦେବା ଫଳରେ ଟ୍ରେନର ୯ଟି ବଗି ଲାଇନଚ୍ୟୁତ ହୋଇଯାଇଛି । ଦୁର୍ଘଟଣାରେ ଆହତ ହୋଇଥିବା ଯାତ୍ରୀଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ରେଳବାଇ ପକ୍ଷରୁ ହେଲ୍ପଲାଇନ ନମ୍ବର ମଧ୍ୟ ଜାରି କରାଯାଇଛି । ରେଳବାଇର ପଦାଧିକାରୀ ଘଟଣାସ୍ଥଳରେ ପହଂଚି ପୁରା ଘଟଣା ଉପରେ ନଜର ରଖିଛନ୍ତି ।

କୈଫିୟତ ଏକ୍ସପ୍ରେସ ଦୁର୍ଘଟଣା ନେଇ ଟ୍ୱିଟ୍ କରିଛନ୍ତି କେନ୍ଦ୍ର ରେଳ ମନ୍ତ୍ରୀ ସୁରେଶ ପ୍ରଭୁ । ଡମ୍ପର ସହ ଧକ୍କା ହେବା ଯୋଗୁଁ ଦୁର୍ଘଟଣା ଘଟିଛି । କିଛି ଯାତ୍ରୀ ଆହତ ହୋଇଛନ୍ତି । ସେମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏହି ଘଟଣା ଓ ଉଦ୍ଧାର ଉପରେ ସେ ନିଜେ ନଜର ରଖିଥିବା କହିଛନ୍ତି । ଏହା ସହ ଉଚ୍ଚ ଅଧିକାରୀଙ୍କୁ ଘଟଣା ସ୍ଥଳରେ ତୁରନ୍ତ ପହଂଚିବାକୁ ସେ ନିର୍ଦ୍ଦେଶ ଦିଆଯାଇଥିବା ନିଜ ଟ୍ୱିଟ୍ରେ ଉଲ୍ଲେଖ କରିଛନ୍ତି ।

ଗୋଟିଏ ସପ୍ତାହରେ ଦୁଇ ଦୁଇଟି ବଡ ଟ୍ରେନ ଦୁର୍ଘଟଣା ପୁଣି ଗୋଟିଏ ରାଜ୍ୟରେ । ଗତ ଶନିବାର ଦିନ ମୁଜାଫରନଗରରେ ପୁରୀରୁ ହରିଦ୍ୱାର ଯାଉଥିବା ଉକ୍ରଳ ଏକ୍ସପ୍ରେସ ଦୁର୍ଘଟଣାଗସ୍ତ ହୋଇଥିଲା । ପୁଣି ଗତରାତିରେ ଆଜମଗଡରୁ ଦିଲ୍ଲୀ ଯାଉଥିବା କୈଫିୟତ ଏକ୍ସପ୍ରେସ ଦୁର୍ଘଟଣାଗସ୍ତ ହୋଇଛି । ସିଧାସଳଖ ଏହା ରେଳବାଇର ଅବହେଳାକୁ ହିଁ ଅଙ୍ଗୁଳି ନିର୍ଦ୍ଦେଶ କରୁଛି । ବଡ ପ୍ରଶ୍ନ ହେଲା, ଦେଶରେ ବୁଲେଟନ ଟ୍ରେନର ସ୍ୱପ୍ନ ଦେଖୁଥିବା ସରକାର ଏଭଳି ଦୁର୍ଘଟଣାକୁ କେମିତି ରୋକିବେ । ପ୍ରତ୍ୟେକ ଥର ଦୁର୍ଘଟଣା ହେଲେ ସେହି ଚିରାଚରତ ଢଙ୍ଗରେ ରେଳମନ୍ତ୍ର ଟ୍ୱିଟ କରୁଛନ୍ତି ଓ ତଦନ୍ତ ନିର୍ଦ୍ଦେଶ ପରେ କିଛି ଲୋକଙ୍କୁ ସସପେଣ୍ଡ କରିଦେଲେ କଥା ସରିଲା ।

ଆଉ ଆଗକୁ କିଛି ହେଉନାହିଁ । ଏଭଳି କ୍ଷେତ୍ରରେ ବଡ ପ୍ରଶ୍ନ ଉଠୁଛି ସରକାର କେବେ ଚେତିବେ । ଦେଶର ଯାତ୍ରୀ ସୁରକ୍ଷିତ ଭାବେ ନିଜ ଗନ୍ତବ୍ୟ ସ୍ଥାନରେ କେବେ ପହଂଚିବେ । ପ୍ରତ୍ୟେକ ବର୍ଷ ବଜେଟରେ ରେଳ ନିରାପତ୍ତା କଥା କୁହାଯାଇଛି , କିନ୍ତୁ ପାଳନ ହେଉଛି କେତେ । ରେଳବାଇ ହେଉଛି ଭାରତର ଲାଇଫଲାଇନ । କୋଟି କୋଟି ଲୋକ ଏହା ଉପରେ ଭରସା କରୁଛନ୍ତି । ସରକାର ଆସୁଛନ୍ତି ଆଉ ଯାଉଛନ୍ତି କିନ୍ତୁ ରେଳବାଇରେ ସେଭଳି ଆଖିଦୃଶିଆ ପରିବର୍ତ୍ତନ ହେଉନାହିଁ କାହିଁକି । ଏହାକୁ କେବଳ ଆମର ଦୁର୍ଭାଗ୍ୟ ହିଁ କୁହାଯାଇପାରିବ ।