କାବୁଲରେ ମୁମ୍ବାଇ ଭଳି ଆତଙ୍କବାଦୀ ଆକ୍ରମଣ ! ରାତିଅଧିଆ ହୋଟେଲରେ ପଶି ଆତଙ୍କୀଙ୍କ ଆଖିବୁଜା ଫାୟାରିଂ, ୧୫ ମୃତ

72

କନକ ବ୍ୟୁରୋ: ଅଫାଗାନିସ୍ତାନର ରାଜଧାନୀ କାବୁଲରେ ମୁମ୍ବାଇ ଆକ୍ରମଣ ଭଳି ଆକ୍ରମଣ ହୋଇଛି । ହୋଟେଲରେ ପଶି ଆକ୍ରମଣକାରୀମାନେ ଆଖିବୁଜା ଗୁଳିଚାଳନା କରିଛନ୍ତି । କାବୁଲର କଂଟିନେଟାଲ ହୋଟେଲରେ ଏହି ଗୁଳିକାଣ୍ଡ ହୋଇଛି ।

ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ, ଗୁଳିମାଡରେ ପ୍ରାୟ ୧୫ ଜଣ ପ୍ରାଣ ହରାଇଛନ୍ତି । ତେବେ କେତେ ଜଣ ମରିଛନ୍ତି ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ । ସୁରକ୍ଷା କର୍ମୀମାନେ ହେଲିକପ୍ଟର ସହାୟତାରେ ହୋଟେଲ ଭିତରେ ପଶି ଆକ୍ରମଣକାରୀଙ୍କୁ କଡା ଜବାବ ଦେଇଛନ୍ତି । ଏବେବି ହୋଟେଲ ଭିତରେ ଗୁଳି ବିନିମୟ ଜାରି ରହିଛି । ଏଥିରେ କିଛି ଆତଙ୍କବାଦୀ ବି ପ୍ରାଣ ହରାଇଛନ୍ତି । କଂଟିନେଟାଲ ହୋଟେଲରେ ମୁଖ୍ୟତଃ ବିଦେଶୀ ଲୋକଙ୍କ ଆଗମନ ହୋଇଥାଏ୍ ।

ଏଠାରେ ମୁଖ୍ୟତଃ ବିବାହ, ସମ୍ମିଳନୀ ଓ ରାଜନୈତିକ ବୈଠକର ଆୟୋଜନ କରାଯାଇଥାଏ । ହୋଟେଲ ଭିତରେ ପଶିବା ବେଳକୁ ଆକ୍ରମଣକାରୀମାନେ ଗ୍ରେନେଡ, ରକେଟ ଓ ଅସ୍ତ୍ରଶସ୍ତ୍ର ଧରିଥିବା ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି । ୨୦୧୧ରେ ଏହି ହୋଟେଲ ଉପରେ ବି ଆତଙ୍କବାଦୀ ଆକ୍ରମଣ ହୋଇଥିଲା । ବର୍ତମାନ ସୁଦ୍ଧା କୌଣସି ସଙ୍ଗଠନ ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିନାହାନ୍ତି ।