ଆମ୍ମାଙ୍କ ପରେ ଚିନ୍ନାମ୍ମା ! ତାମିଲନାଡୁରେ ପରବର୍ତ୍ତି ମୁଖ୍ୟମନ୍ତ୍ରୀ ହେବେ ଜୟାଙ୍କ ବାନ୍ଧବୀ ଶଶୀକଳା

45

କନକ ବ୍ୟୁରୋ : ଅମ୍ମାଙ୍କ ପରେ ଚିନ୍ନମ୍ମା । ଶଶୀକଳା ନଟରାଜନ ହେବେ ତାମିଲନାଡୁର ନୂଆ ମୁଖ୍ୟମନ୍ତ୍ରୀ । ଦୀର୍ଘ ଦିନ ଧରି ତାମିଲନାଡୁରେ ଚାଲିଥିବା ରାଜନୈତିକ ଦ୍ୱନ୍ଦ୍ୱର ଆଜି ଅବସାନ ହୋଇଛି । ଆଜି ଚେନ୍ନାଇଠାରେ ବସିଥିବା ଏଆଇଏଡିଏମକେର ବିଧାୟକ ଦଳ ବୈଠକରେ ଦଳର ନେତ୍ରୀ ଭାବେ ଶଶୀକଳାଙ୍କ ନାମ ପ୍ରସ୍ତାବ ଦେଇଥିଲେ ମୁଖ୍ୟମନ୍ତ୍ରୀ ଓ-ପନିରସେଲଭମ । ଆଉ ଏହାକୁ ଦଳର ସବୁ ବିଧାୟକ ସମର୍ଥନ କରିଥିଲେ । ସେପଟେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତାଫା ଦେଇଛନ୍ତି ପନିରସେଲଭମ୍ ।

ଡିସେମ୍ବରରେ ଜୟଲଳିତାଙ୍କ ଦେହାନ୍ତ ପରେ ପନିରସେଲଭମ୍ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ନେଇଥିଲେ । ହେଲେ ଏକଦା ଜୟଲଳିତାଙ୍କ ସବୁଠାରୁ ବିଶ୍ୱସ୍ତ କୁହାଯାଉଥିବା ଶଶୀକଳା କିନ୍ତୁ ଦଳର ସବୁଠାରୁ କ୍ଷମତାଶାଳୀ ନେତ୍ରୀ ଭାବେ ବିବେଚନା କରାଯାଉଥିଲା । ଏପରକି ଅମ୍ମାଙ୍କ ପରେ ତାଙ୍କ ସ୍ଥାନ ଚିନ୍ନାମା ନେବା ଉଚିତ ବୋଲି ସମର୍ଥକ ଦାବି କରୁଥିଲେ ।

ଶଶୀକଳା ମହାସଚିବ ହେବା ପରେ ଦୁଇଟି କ୍ଷମତାକେନ୍ଦ୍ର ସୃଷ୍ଟି ହୋଇଥିଲା । ଫଳରେ କର୍ମୀଙ୍କ ମଧ୍ୟରେ ଦ୍ୱନ୍ଦ୍ୱବଢିବାରେ ଲାଗିଲା । ଗୋଟିଏପଟେ ଦଳର ହାଇକମାଣ୍ଡ ଶଶିକଳା ଓ ଅନ୍ୟପଟେ ମୁଖ୍ୟମନ୍ତ୍ରୀ ଓ-ପନିରସେଲଭମ୍ । ଏହି ବିବାଦ ଦଳକୁ ଭାଗ ଭାଗ କରିଦେବା ଆଶଙ୍କା ସୃଷ୍ଟି ହୋଇଥିଲା । ତେବେ ପନିରସଲେଭମ ତାଙ୍କୁ ବିଧାୟକ ଦଳ ନେତ୍ରୀ ଭାବେ ପ୍ରସ୍ତାବ ଦେବା ପରେ ଏହି ସଂକଟ ଦୂର ହୋଇଥିବା ଚର୍ଚ୍ଚା ହେଉଛି ।

ସେପଟେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଶଶୀକଳାଙ୍କୁ ଦେବା ନିଷ୍ପତିକୁ କଡା ସମାଲୋଚନା କରିଛନ୍ତି ବିରୋଧୀ । ଜୟଲଳିତାଙ୍କ ଘର ଜଗୁଆଳି ମୁଖ୍ୟମନ୍ତ୍ରୀ ହେବା ପାଇଁ ଲୋକେ ଭୋଟ ଦେଇ ନାହାନ୍ତି ବୋଲି କହିଛନ୍ତି ଡିଏମକେର କାର୍ଯ୍ୟକାରୀ ଅଧ୍ୟକ୍ଷ ଏମକେ ଷ୍ଟାଲିନ । ଜୟଲଳିତାଙ୍କ ଭାଣଜୀ ଦୀପା ଜୟକୁମାର, ଶଶୀକଳାଙ୍କ ମୁଖ୍ୟମନ୍ତ୍ରୀ ହେବା ଘଟଣାକୁ ସେନାର କ୍ଷମତା ଅକ୍ତିଆର ସହ ସମାନ ବୋଲି କହିଛନ୍ତି । ଅନ୍ୟପଟେ ରାଜ୍ୟ କଂଗ୍ରେସ ଏହାକୁ କଳା ଦିବସ ବୋଲି କହିଛି ।

ତେବେ ଆଗାମୀ ଦିନରେ ତାମିଲନାଡୁ ରାଜ୍ୟ ରାଜନୀତି କେଉଁ ମୋଡ ନେବ ଏବଂ ଜୟଲଳିତାଙ୍କ ଦିଗରେ ରାଜ୍ୟକୁ କେତେ ଆଗେଇ ନେଇପାରିବେ ଶଶିକଳା, ତାହା ଉପରେ ଏବେ ସମସ୍ତଙ୍କ ନଜର ।