ଭୁବନେଶ୍ୱରରେ ପହଞ୍ଚିଲେ କେସିଆର୍ ! ୨ ଦିନିଆ ଓଡ଼ିଶା ଗସ୍ତରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ

134

କନକ ବ୍ୟୁରୋ : ଭୁବନେଶ୍ୱରରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓ । ବିଶାଖାପାଟଣାରୁ ସପରିବାରେ ସ୍ୱତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱରରେ ପହଂଚିଛନ୍ତି କେସିଆର । ୨ ଦିନିଆ ଗସ୍ତରେ ଓଡ଼ିଶା ଆସିଛନ୍ତି କେସିଆର୍ । ଆଜି ସଂଧ୍ୟା ୬ଟାରେ ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବେ କେସିଆର । ଏହି ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବା ସହ ନବୀନ ନିବାସରେ ରାତ୍ରୀ ଯାପନ କରିବେ । ଦେଶର ରାଜନୈତିକ ଦୃଶ୍ୟପଟ୍ଟରେ କେସିଆରଙ୍କ ଏହି ଗସ୍ତ ବେଶ ଗୁରୁତ୍ୱ ରଖୁଛି । କାରଣ ନବୀନଙ୍କୁ ଦେଖା କରିବା ପରେ ପରଦିନ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଭେଟିବେ ।

ମମତାଙ୍କ ସହ ସାକ୍ଷତ ପରେ ୨୫ ତାରିଖରେ ବିଏସପି ମୁଖ୍ୟ ଏବଂ ସପା ମୁଖ୍ୟଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ୨୦୧୯ ପୂର୍ବରୁ କେସିଆର୍ ଆଂଚଳିକ ଦଳର ନେତାଙ୍କୁ ଭେଟିବା ହୁଏତ ଏକ ବଡ ବାର୍ତା ନେଇ ଆସୁଛି । କେ. ଚନ୍ଦ୍ରଶେଖର ରାଓ, ନବୀନ ପଟ୍ଟନାୟକ ଏବଂ ମମତା ବାନାର୍ଜୀ ବାନାର୍ଜୀ, ନିଜ ନିଜ ରାଜ୍ୟରେ କଂଗ୍ରେସ ଓ ବିଜେପିକୁ ଅଟକାଇ ରଖିବାରେ ସଫଳ ହୋଇଥିବା ୩ ପ୍ରମୁଖ ନେତା । ଆଉ ଏହି ତିନି ନେତା ଯଦି ୨୦୧୯ ନିର୍ବାଚନ ପୂର୍ବରୁ ଏକାଠି ଗୋଟିଚାଳନା କରନ୍ତି, ତେବେ ବିଜେପିର ପୂର୍ବାଚଂଳ ଦଖଲକୁ ଏକ ବଡ ଚେକ୍ ଦେଇପାରିବେ ଏଥିରେ କୌଣସି ସନ୍ଦେହ ନାହିଁ ।

ସବୁଠାରୁ ରୋଚକ ହେଉଛି ନବୀନ ନିବାସରେ ରାତ୍ରୀଯାପନ କରିବେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ । ଯାହା ଆହୁରୀ ରାଜନୈତିକ ହଟଚମଟ ସୃଷ୍ଟି କରିଛି । କାରଣ ପୂର୍ବରୁ ନେତାମାନେ କାର୍ଯ୍ୟକ୍ରମରେ ଆସି ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପରେ ନବୀନ ନିବାସରେ ରାତ୍ରୀଯାପନ କରିବାର ନଜିର ନାହିଁ । କୁହାଯାଉଛି-କେସିଆର୍ ମୁଖ୍ୟମନ୍ତ୍ରୀଙ୍କ ସହ ଆଗାମୀ ନିର୍ବାଚନ ସଂକ୍ରାନ୍ତରେ ମଧ୍ୟ ଆଲୋଚନା କରିବେ । ଆଉ ଏହି ଚର୍ଚ୍ଚା-ଆଲୋଚନା ଭିତରେ ଏକ ନୂଆ ରାଜନୈତିକ ସମୀକରଣ ସୃଷ୍ଟି ନହେବ, ତାହା ବି କହିବା ମୁସ୍କିଲ ।

ଜାତୀୟ ରାଜନୀତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ମହାଗଠବନ୍ଧନ ପ୍ରସ୍ତୁତି ଜାରି ରହିଥିବା ବେଳେ କେସିଆରଙ୍କ ଏହି କାର‌୍ୟ୍ୟକ୍ରମ ରାଜନୈତିକ ମହଲକୁ ଚର୍ଚ୍ଚା ପାଇଁ ଖୋରାକ ଯୋଗାଇଛି । ଏହାସହ ଗୋଟିଏ ଦିନରେ ମୋଦି ଓ କେସିଆରଙ୍କ କାର‌୍ୟ୍ୟକ୍ରମ ମଧ୍ୟ ଅଧିକ ଚର୍ଚ୍ଚାର ବିଷୟ ପାଲଟିଛି ।