ଜ୍ୟୋତିରାଦିତ୍ୟଙ୍କୁ ନେଇ ସସପେନ୍ସ ବଢିଲା । ଆଜି ବିଜେପି ଶିବିରରେ ମାରିବେନି ଏଣ୍ଟ୍ରି, ଜାଣନ୍ତୁ ପଦ୍ମ ପୋଖରୀରେ କେବେ ହୋଇପାରନ୍ତି ସାମିଲ ।

681

କନକ ବ୍ୟୁରୋ : ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ନେଇ ପୁଣି ସସପେନ୍ସ । କଂଗ୍ରେସରୁ ଇସ୍ତଫା ଦେବା ପରେ ଆଜି ବିଜେପିରେ ଜ୍ୟୋତିରାଦିତ୍ୟ ସାମିଲ ହେବା ନେଇ ଚର୍ଚ୍ଚା ମଧ୍ୟ ଜୋର ଧରିଥିଲା । ଏପରିକି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିବା ଏହି ଚର୍ଚ୍ଚାକୁ ଅଧିକ ଖୋରାକ ଯୋଗାଇଥିଲା ତେବେ କୌଣସି କାରଣରୁ ଆଜି ପଦ୍ମ ଦଳରେ ସାମିଲ ହୋଇନାହାନ୍ତି ଜ୍ୟୋତିରାଦିତ୍ୟ । ଏପରିକି ଦିଲ୍ଲୀ ବଦଳରେ ଭୋପାଳରେ ପଦ୍ମ ଶିବିରକୁ ଜ୍ୟୋତିରାଦିତ୍ୟ ଏଣ୍ଟ୍ରି ମାରି ପାରନ୍ତି ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । ଆସନ୍ତା ୧୨ କିମ୍ବା ୧୩ରେ ଭୋପାଳରେ ଗେରୁଆ କ୍ୟାମ୍ପକୁ ଜ୍ୟୋତିରାଦିତ୍ୟ ଯାଇପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

ମଧ୍ୟପ୍ରଦେଶ କଂଗ୍ରେସ ରାଜନୀତିର ହେଭିୱେଟ ଚେହେରା ଥିବା ଜ୍ୟୋତିରାଦିତ୍ୟ ଦୀର୍ଘ ଦିନ ହେବ ଦଳରେ ଉପେକ୍ଷିତ ହୋଇ ଆସୁଥିଲେ । ପ୍ରଥମେ ମୁଖ୍ୟମନ୍ତ୍ରୀ ଆସନ, ପରେ ପ୍ରଦେଶ ସଭାପତି ଓ ପୁଣି ରାଜ୍ୟସଭା ଆସନରୁ ଦୂରେଇ ରଖାଯିବାରୁ ଜ୍ୟୋତିରାଦିତ୍ୟଙ୍କ ଭିତରେ ଅସନ୍ତୋଷ ଚରମରେ ପହଂଚିଥିଲା । ତେଣୁ ନିଜେ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେବାପରେ ଦଳରେ ତାଙ୍କର ଅନୁଗତ ନେତାମାନେ ଇସ୍ତଫା ଦେଇଛନ୍ତି । ଆଉ ଶେଷର କଂଗ୍ରେସ ହାତ ଛାଡିବାକୁ ମନସ୍ଥ କରିଥିଲେ ସିନ୍ଧିଆ । ଆଉ ଏହାସହ କଂଗ୍ରେସ ସହ ଦୀର୍ଘ ୧୮ ବର୍ଷର ସମ୍ପର୍କକୁ ଛିନ୍ନ କରିଛନ୍ତି ସିନ୍ଧିଆ ।

ଏହାପୂର୍ବରୁ ଆଜି ଦିଲ୍ଲୀରେ ଅମିତ ଶାହାଙ୍କ ସହ ଯାଇ ପ୍ରଧାନମନ୍ତ୍ରୀଙ୍କୁ ଭେଟିଥିଲେ ଜ୍ୟୋତିରାଦିତ୍ୟ । ଏହାପରେ ସୋନିଆଙ୍କ ପାଖକୁ ଇସ୍ତଫା ପତ୍ର ପଠାଇଥିଲେ ଜ୍ୟୋତିରାଦିତ୍ୟ । ସିନ୍ଧିଆଙ୍କ ଇସ୍ତଫା ପରେ ତାଙ୍କ ସମର୍ଥକ ୨୨ ଜଣ ବିଧାୟକ ମଧ୍ୟ ଇସ୍ତଫା ଦେଇଛନ୍ତି । ୨୨ ବିଧାୟକ ରାଜ୍ୟପାଳଙ୍କ ପାଖକୁ ଇସ୍ତଫା ପତ୍ର ପଠାଇଥିବା ସୂଚନା ମିଳିଛି । ଏହି ଇସ୍ତଫା ପରେ ମଧ୍ୟପ୍ରଦେଶରେ କମଳନାଥ ସରକାର ଭାଙ୍ଗିବା ଏକ ପ୍ରକାର ନିଶ୍ଚିତ ହୋଇଯାଇଛି । ଅନ୍ୟପଟେ ସିନ୍ଧିଆଙ୍କ ଇସ୍ତଫାକୁ ବିଶ୍ୱାସଘାତ ବୋଲି କହିଛି କଂଗ୍ରେସ ।

ମଧ୍ୟପ୍ରଦେଶ କଂଗ୍ରେସରୁ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ବିଦାୟ ସହ ସଂକଟରେ ପଡିଯାଇଛନ୍ତି କମଲନାଥ ସରକାର । ସଂଖ୍ୟାଲଘୁରେ ପରିଣତ ହୋଇଥିବା ସରକାର ଭାଙ୍ଗି ଯାଇପାରେ । ସିନ୍ଧିଆଙ୍କ ବିଦାୟ ପରେ ଦଳ ଛାଡିଛନ୍ତି ୨୨ ଜଣ କଂଗ୍ରେସ ବିଧାୟକ । ଏମାନଙ୍କ ଭିତରେ କମଲନାଥ ସରକାରରେ ଥିବା ମନ୍ତ୍ରୀ ମଧ୍ୟ ରହିଛନ୍ତି । ୨୦୧୮ ବିଧାନସଭା ନିର୍ବାଚନରେ ମଧ୍ୟପ୍ରଦେଶର ମୋଟ ୨୩୦ ଆସନରୁ ସର୍ବାଧିକ ୧୧୪ଟି ଆସନରେ ଜିତି ସରକାର ଗଢିଥିଲା କଂଗ୍ରେସ । ବିଜେପିକୁ ୧୦୯ଟି ଆସନ ମିଳିଥିବାବେଳେ ବିଏସପି ୨, ଏସପି ଗୋଟିଏ ଓ ସ୍ୱାଧୀନ ପ୍ରାର୍ଥୀ ୪ଟି ଆସନରେ ଜିତିଥିଲେ । ଏବେ ୨୨ ଜଣ କଂଗ୍ରେସ ବିଧାୟକଙ୍କ ଇସ୍ତଫା ପରେ ମୋଟ ସଦସ୍ୟ ସଂଖ୍ୟା ୨୦୮କୁ ଖସିଆସିଛି । ଫଳରେ ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର ୧୦୫ । ୨୨ କଂଗ୍ରେସ ବିଧାୟକଙ୍କ ଇସ୍ତଫା ପରେ ଦଳର ସଦସ୍ୟ ସଂଖ୍ୟା ୯୨କୁ ଖସିଆସିଛି । ତେଣୁ ସରକାରରେ ରହିବା ପାଇଁ ଦଳକୁ ଆଉ ୧୩ ସଦସ୍ୟଙ୍କ ସମର୍ଥନ ଦରକାର ।

ତେବେ କମଲନାଥଙ୍କ ନେତୃତ୍ୱାଧୀନ କଂଗ୍ରେସ ସରକାରକୁ ବିଏସପିର ୨, ଏସପି ୧ ଓ ୪ ସ୍ୱାଧୀନ ସଦସ୍ୟଙ୍କ ସମର୍ଥନ ରହିଥିଲା । ଏମାନଙ୍କ ସମର୍ଥନ ପୂର୍ବପରି ରହିଲେ ମଧ୍ୟ ଆହୁରି ୬ ବିଧାୟକଙ୍କ ସମର୍ଥନ ଆବଶ୍ୟକ କରୁଛି କଂଗ୍ରେସ । ସେପଟେ କିନ୍ତୁ ସରକାର ଗଢିବା ପାଇଁ ବିଜେପି ନିକଟରେ ଆବଶ୍ୟକ ସଂଖ୍ୟା ରହିଛି । କାରଣ ଗତ ନିର୍ବାଚନରେ ଦଳ ୧୦୯ଟି ଆସନ ପାଇଛି । ପୁଣି ପରିବର୍ତିତ ସମୀକରଣରେ ଏସପି, ବିଏସପି ଓ ସ୍ୱାଧୀନ ବିଧାୟକଙ୍କ ସମର୍ଥନ କଂଗ୍ରେସ ପ୍ରତି ରହିବ ନା ବିଜେପି ପଟକୁ ଯିବ ତାକୁ ନେଇ ମଧ୍ୟ ସନ୍ଦେହ ରହିଛି । ଅନୁମାନ କରାଯାଉଛି କମଲନାଥ ସରକାର ସଂଖ୍ୟାଲଘୁରେ ପରିଣତ ହୋଇଥିବାରୁ ରାଜ୍ୟପାଳଙ୍କ ନିକଟରେ ସରକାର ଗଠନ ପାଇଁ ଦାବି ଜଣାଇପାରେ ବିଜେପି । ଏହା ସମ୍ଭବ ହେଲେ ପୁଣି ଗୋଟିଏ ରାଜ୍ୟ କଂଗ୍ରେସ ହାତରୁ ଖସିଯିବ ।

ତେବେ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ଏଭଳି ନିଷ୍ପତି ପରେ ପୂରା ପରିବାର ତାଙ୍କ ସହ ଛିଡା ହୋଇଛି । ଏପରିକି ପୁଅ ମହାଆର୍ଯ୍ୟମାନ ଟ୍ୱିଟ୍ କରି କହିଛନ୍ତି, ଏଭଳି ନିଷ୍ପତି ପାଇଁ ସାହସ ଦରକାର ଓ ବାପାଙ୍କ ଏଭଳି ନିଷ୍ପତି ପାଇଁ ମୁଁ ଗର୍ବିତ । ଇତିହାସ ସାକ୍ଷୀ ଅଛି ଯେ, ମୋର ପରିବାର କେବେ କ୍ଷମତାର ଲୋଭ ରଖିନାହିଁ । ତେବେ ନିର୍ବାଚନ ସମୟରେ ଦିଆଯାଇଥିବା ପ୍ରତିଶୃତି ମୁତାବକ ଭାରତ ଓ ମଧ୍ୟପ୍ରଦେଶରେ ବଡ ଧରଣର ପରିବର୍ତ୍ତନ ଅଣାଯିବ ।

ସେହିଭଳି ତାଙ୍କ ପିଉସୀ ଯଶୋଧରା ସିନ୍ଧିଆ କହିଛନ୍ତି, ମୁଁ ବହୁତ ଖୁସି ଓ ଏଥିପାଇଁ ତାଙ୍କୁ ଶୁଭକାମନା ଜଣାଉଛି । ଏହା ଜ୍ୟୋତିରାଦିତ୍ୟଙ୍କ ଘର ବାହୁଡା ବୋଲି କହିଛନ୍ତି । ଜ୍ୟୋତିରାଦିତ୍ୟଙ୍କ ବାପା ମାଧବରାଓ ସିନ୍ଧିଆ ନିଜର ରାଜନୀତିକ କ୍ୟାରିୟରର ଆରମ୍ଭ ଜନସଂଘରୁ କରିଥିଲେ । ଏପରିକି କଂଗ୍ରେସରେ ଏବେ ଜ୍ୟୋତିରାଦିତ୍ୟଙ୍କୁ ଉପେକ୍ଷା କରାଯାଉଛି । ଏସବୁ ଭିତରେ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ଇସ୍ତଫାକୁ ତାଙ୍କ ସମର୍ଥକ ସ୍ୱାଗତ କରିଛନ୍ତି । କହିଛନ୍ତି ଆଗକୁ ମଧ୍ୟପ୍ରଦେଶ ବିକାଶ ପଥରେ ଆଗେଇବ । ସିନ୍ଧିଆଙ୍କ ସମର୍ଥକମାନେ ମଧ୍ୟ କଂଗ୍ରେସରୁ ଇସ୍ତଫା ଦେବେ ବୋଲି କହିଛନ୍ତି ।

ତେବେ ବିଜେପିରେ ସାମିଲ ହେଲେ ତାଙ୍କୁ ରାଜ୍ୟସଭା ପ୍ରାର୍ଥୀ କରାଯିବା ନେଇ ଚର୍ଚ୍ଚା ଜୋର ଧରିଛି । ଏପରିକି ତାଙ୍କୁ ମୋଦିଙ୍କ ମନ୍ତ୍ରୀମଣ୍ଡଳରେ ସ୍ଥାନ ମିଳିପାରେ ବୋଲି କୁହାଯାଉଛି । ଏଭଳି ସ୍ଥଳେ ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ସିନ୍ଧିଆ କହିଛନ୍ତି, ଜ୍ୟୋତିରାଦିତ୍ୟଙ୍କୁ ଶୁଭକାମନା ଜଣାଇଛନ୍ତି ।