ଜଷ୍ଟିସ୍ ସଞ୍ଜୁ ପଣ୍ଡା ହେଲେ ଓଡ଼ିଶା ହାଇକୋର୍ଟର ଅନ୍ତରୀଣ ମୁଖ୍ୟ ବିଚାରପତି । ମୁଖ୍ୟ ବିଚାରପତି ନିଯୁକ୍ତ ହେବା ଯାଏଁ ରାଜ୍ୟର ପ୍ରଥମ ମହିଳା ବିଚାରପତି ଭାବେ ସମ୍ଭାଳିବେ ଗୁରୁଦାୟିତ୍ୱ ।

540

କନକ ବ୍ୟୁରୋ: ଓଡ଼ିଶା ହାଇକୋର୍ଟ ମୁଖ୍ୟ ବିଚାରପତି ଦାୟିତ୍ୱ ସମ୍ଭାଳିବେ ଜଷ୍ଟିସ ସଞ୍ଜୁ ପଣ୍ଡା । ଜଷ୍ଟିସ ସଞ୍ଜୁ ପଣ୍ଡାଙ୍କୁ ଅନ୍ତରୀଣ ମୁଖ୍ୟ ବିଚାରପତି ଦାୟିତ୍ୱ ଦେଇଛନ୍ତି ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ତେବେ ଓଡ଼ିଶା ହାଇକୋର୍ଟ ମୁଖ୍ୟ ବିଚାରପତି ପଦରୁ ଜଷ୍ଟିସ କଳ୍ପେଶ ସତ୍ୟେନ୍ଦ୍ର ଜାଭେରୀ ଅବସର ନେଇଥିଲେ । ତେଣୁ ନୂଆ ମୁଖ୍ୟ ବିଚାରପତି ନିଯୁକ୍ତ ହେବା ଯାଏଁ ଏହି ଦାୟିତ୍ୱ ସମ୍ଭାଳିବେ ଜଷ୍ଟିସ୍ ସଞ୍ଜୁ ପଣ୍ଡା । ତେବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ଦାୟିତ୍ୱ ଦେଇଥିବା ନେଇ ବିଜ୍ଞପ୍ତି ଜାରି ହୋଇଛି । ଆସନ୍ତାକାଲି ସେ ବିଧିବଦ୍ଧ ଭାବେ ଦାୟିତ୍ଵ ଗ୍ରହଣ କରିବେ।

ସବୁଠାରୁ ବଡ଼ କଥା ହେଲା ଭାରପ୍ରାପ୍ତ ବା ଅନ୍ତରୀଣ ମୁଖ୍ୟ ବିଚାରପତି ଭାବେ ଜଷ୍ଟିସ୍ ସଞ୍ଜୁ ପଣ୍ଡା ହେଉଛନ୍ତି ରାଜ୍ୟର ପ୍ରଥମ ମହିଳା ବିଚାରପତି । ୧୯୫୯ ଜୁଲାଇ ୧୦ ତାରିଖରେ ଜନ୍ମିତ ଜଷ୍ଟିସ ସଞ୍ଜୁ ପଣ୍ଡା ୨୦୦୭ ମାର୍ଚ୍ଚ ୧ ତାରିଖରେ ହାଇକୋର୍ଟର ବିଚାରପତି ଭାବେ କାର୍ଯ୍ୟଭାର ଗ୍ରହଣ କରିଥିଲେ । ବର୍ତ୍ତମାନ ତାଙ୍କୁ ଜଣେ ଓଡ଼ିଆ ମହିଳା ବିଚାରପତି ଭାବେ ଏହି ଗୁରୁ ଦାୟିତ୍ୱ ମିଳିଛି ।