ସରକାରଙ୍କ ହାତକୁ ଆସିଲା ରତ୍ନଭଣ୍ଡାର ଚାବି ହଜିବା ରିପୋର୍ଟ । ୩୨୪ ପୃଷ୍ଠା ରିପୋର୍ଟରେ କଣ ରହିଛି ?

197

କନକ ବ୍ୟୁରୋ : ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ରିପୋର୍ଟ ଦେଲେ ଜଷ୍ଟିସ ରଘୁବୀର ଦାସ କମିଶନ । ଗୃହ ବିଭାଗର ଉପ-ସଚିବଙ୍କୁ ଏହି ରିପୋର୍ଟ ପ୍ରଦାନ କରାଯାଇଛି । ୩୨୪ ପୃଷ୍ଠା ସମ୍ବଳିତ ଏହି ରିପୋର୍ଟରେ ରତ୍ନଭଣ୍ଡାର ଚାବି ହଜିବା ସମ୍ପର୍କିତ ସମସ୍ତ ତଥ୍ୟ ରହିଥିବା ଅନୁମାନ କରାଯାଉଛି । ମୋଟ ୧୨ଟି ଶୁଣାଣିରେ ୫ଟି ସତ୍ୟପାଠ ଓ ୨ ଜଣଙ୍କ ସାକ୍ଷ୍ୟଙ୍କ ବୟାନକୁ ଆଧାର କରି ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି । ଡିସେମ୍ବର ୭ରେ କମିଶନଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଯାଉଥିବା ବେଳେ ଏହା ପୂର୍ବରୁ ତଦନ୍ତ କମିଶନ ରିପୋର୍ଟ ପ୍ରଦାନ କରିଛନ୍ତି ।

ଚଳିତ ବର୍ଷ ରତ୍ନଭଣ୍ଡାରର ଭିତର ଚାବି ହଜିବା ନେଇ ସାରା ରାଜ୍ୟରେ ଚହଳ ପଡିଥିଲା । ରତ୍ନଭଣ୍ଡାର ଚାବି କେଉଁଠି ଅଛି ତାହାର ଉତ୍ତର କାହା ପାଖରେ ନଥିଲା । ଆଉ ଏହି କଥା ପଦାକୁ ଆସିବା ପରେ ପ୍ରଶାସକ ସେବାୟତ ଓ ସରକାର ସମସ୍ତେ ବିବାଦ ମଧ୍ୟକୁ ଟାଣିହୋଇ ଆସିଥିଲେ । ଠାକୁରଙ୍କର ଚାବି କେଉଁ ପରିସ୍ଥିତିରେ ହଜିଲା ତାହାର ତଦନ୍ତ ହେବ ବୋଲି କୁହାଗଲା । ଏହା ଲାଗି ସରକାର ଜୁନ୍ ୬ରେ କମିଶନ ଗଠନ କଲେ । ଆଉ ଏହାପରେ ତଦନ୍ତ ଆରମ୍ଭ କରିଥିଲେ ଜଷ୍ଟିସ ରଘୁବୀର ଦାସ କମିଶନ । ତଦନ୍ତ ବେଳେ ୧୦ ଜଣ ସତ୍ୟପାଠ କରିଥିଲେ ଓ ୨ ଜଣଙ୍କ ସାକ୍ଷ୍ୟ ଗ୍ରହଣ କରିଥଲେ କମିଶନ । ଆଉ ଏହି ତଦନ୍ତ ଆଧାରରେ ପୂର୍ଣ୍ଣାଙ୍ଗ ରିପୋର୍ଟ ପ୍ରଦାନ କରିଛନ୍ତି ଜଷ୍ଟିସ ରଘୁବୀର ଦାସ କମିଶନ ।