ଓହରିଗଲେ ବିଚାରପତି ! ମୁଖ୍ୟମନ୍ତ୍ରୀଙ୍କ ମାମଲା ଶୁଣାଣି କରିବାକୁ ମନାକଲେ ଜଜ୍

45

କନକ ବ୍ୟୁରୋ : ଏକ ହାଇପ୍ରୋଫାଇଲ ମାମଲାର ଶୁଣାଣିରୁ ଓହରିଗଲେ ଓଡିଶା ହାଇକୋର୍ଟର ବିଚାରପତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିରୋଧରେ ଆସିଥିବା ନିର୍ବଚନୀ ପାଣ୍ଠି ଅନିୟମିତତା ମାମଲାର ଶୁଣାଣି କରିବାକୁ ମନା କରିଦେଇଛନ୍ତି ହାଇକୋର୍ଟ ବିଚାରପତି ଜଷ୍ଟିସ ଏସ.କେ. ମିଶ୍ର । କାରଣ ସଂପର୍କରେ ଉଲ୍ଲେଖ କରିନଥିଲେ ମଧ୍ୟ ଏକ ସ୍ୱତନ୍ତ୍ର ଖଣ୍ଡପୀଠରେ ମାମଲାର ଶୁଣାଣି କରିବା ପାଇଁ ମୁଖ୍ୟ ବିଚାରପତିଙ୍କୁ ଅନୁରୋଧ କରିଛନ୍ତି ଜଷ୍ଟିସ ମିଶ୍ର ।

ହେଉଥିବା ଚର୍ଚ୍ଚା ଅନୁସାରେ ମାମଲାର ମୂଳ ଆବେଦନକାରୀ ସାମାଜିକ କର୍ମୀ ସୁବାସ ମହାପାତ୍ର ଓଡିଶା ହାଇକୋର୍ଟରୁ ମାମଲା ଦିଲ୍ଲୀ ହାଇକୋର୍ଟକୁ ସ୍ଥାନାନ୍ତର ପାଇଁ ସୁପ୍ରିମକୋର୍ଟରେ ଆବେଦନ କରିଥିବାରୁ ଜଷ୍ଟିସ ମିଶ୍ର ଏଭଳି ନିଷ୍ପତି ନେଇଥାଇ ପାରନ୍ତି ।

୨୦୧୪ ସାଧାରଣ ନିର୍ବାଚନ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ବାଚନୀ ଖର୍ଚ୍ଚ ବାବଦରେ ଦେଇଥିବା ସତ୍ୟପାଠ ଓ ବିଜୁ ଜନତା ଦଳ ତରଫରୁ ଦିଆଯାଇଥିବା ତଥ୍ୟରେ ଏକ ବିରାଟ ଅସଙ୍ଗତି ଥିବା ଦର୍ଶାଇ ପ୍ରଥମେ ସୁବାସ ମହାପାତ୍ର ହାଇକୋର୍ଟରେ ଆବେଦନ କରିଥିଲେ । ପରେ ବିଜେପି ପ୍ରାର୍ଥୀ ଦେବାନନ୍ଦ ମହାପାତ୍ର ମଧ୍ୟ ସମାନ ଆବେଦନ କରିଥିଲେ । ହାଇକୋର୍ଟ ଦୁଇଟିଯାକ ମାମଲାକୁ ବିଚାର ପାଇଁ ଗ୍ରହଣ କରିବା ସହ ପ୍ରାଥମିକ ଶୁଣାଣିରେ ଭାରତୀୟ ନିର୍ବାଚନ କମିଶନଙ୍କୁ ଉତ୍ତର ରଖିବାକୁ ନୋଟିସ କରିଥିଲେ ।