ଓଡ଼ିଆ ପାଇଁ ଗର୍ବର କଥା ! ଦେଶର ୪୫ତମ ପ୍ରଧାନ ବିଚାରପତି ହେଲେ ଜଷ୍ଟିସ ଦୀପକ ମିଶ୍ର

74

କନକ ବ୍ୟୁରୋ : ଓଡିଶା ପାଇଁ ଗୌରବର ଦିନ । ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଭାବେ ଆଜି ଶପଥ ନେଇଛନ୍ତି ଜଷ୍ଟିସ ଦୀପକ ମିଶ୍ର । ତୃତୀୟ ଓଡିଆ ଭାବେ ଏହି ସମ୍ମାନଜନକ ପଦରେ ବସିଛନ୍ତି ଜଷ୍ଟିସ ମିଶ୍ର । ଦେଶର ୪୫ ତମ ପ୍ରଧାନ ବିଚାରପତି ଭାବେ ଦାୟିତ୍ୱ ଗ୍ରହଣ କରିଥିବା ଜଷ୍ଟିସ ମିଶ୍ର ଅକ୍ଟୋବର ୨, ୨୦୧୮ ଯାଏଁ ଦୀପକ ମିଶ୍ର ଏହି ପଦରେ ରହିବେ ।

ଓଡିଶା ଜନ୍ମିତ ଜଷ୍ଟିସ ଦୀପକ ମିଶ୍ର, ଓଡିଶା ହାଇକୋର୍ଟରେ ଅତିରିକ୍ତ ଜଜ୍ ଭାବେ ନିଜ କ୍ୟାରିୟର୍ ଆରମ୍ଭ କରିଥିଲେ । ପରେ ପଟନା ହାଇକୋର୍ଟ ଏବଂ ଦିଲ୍ଲୀ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ମଧ୍ୟ ଦାୟିତ୍ୱ । ଏକାଧିକ ଐତିହାସିକ ଶୁଣାଣୀ ପାଇଁ ଚର୍ଚ୍ଚାରେ ରହିଥିବା ଜଷ୍ଟିସ ମିଶ୍ର ୩, ଅକ୍ଟୋବର ୨୦୧୮ରେ ଅବସର ନେବେ । ୧୩ ମାସର ତାଙ୍କ କାର୍ଯ୍ୟକାଳ ଉପରେ ଓଡିଶା ସମେତ ସମଗ୍ର ଦେଶର ରହିବ ନଜର ।

ଜଷ୍ଟିସ୍ ରଙ୍ଗନାଥ ମିଶ୍ର, ଜଷ୍ଟିସ୍ ଗୋପାଳବଲ୍ଲଭ ପଟ୍ଟନାୟକଙ୍କ ପରେ ତୃତୀୟ ଓଡିଆଭାବେ ଜଷ୍ଟିସ ଦୀପକ ମିଶ୍ର ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଭାବେ ଶପଥ ନେଇଛନ୍ତି । ପାଟନା ହାଇକୋର୍ଟ ଓ ଦିଲ୍ଲୀ ହାଇକୋର୍ଟ ପୂର୍ବତନ ବିଚାରପତି ଥିବା ଜଷ୍ଟିସ୍ ମିଶ୍ର ବହୁ ଐତିହାସିକ ରାୟରେ ତାଙ୍କର ପାରଦର୍ଶିତା ଦେଖାଇଛନ୍ତି ।

୨୦୧୫ ଜୁଲାଇରେ ୟାକୁବ ମେମନ ଫାଶୀ ଦଣ୍ଡାଦେଶ ସମୟରେ ରାତି ଅଧରେ ଲେଖାଯାଇଥିବା ଫାଶୀ ଦଣ୍ଡାଦେଶ ଘଟଣାରେ ପ୍ରମୁଖ ଥିଲେ ଜଷ୍ଟିଶ୍ ଦୀପକ ମିଶ୍ର । ସେହିପରି ୨୦୧୬ ନଭେମ୍ବରରେ ଜଷ୍ଟିସ ଦୀପକ ମିଶ୍ର ମୁଖ୍ୟ ରହିଥିବା ଖଣ୍ଡପୀଠ ଆଦେଶ ଦେଲେ, ଦେଶର ସମସ୍ତ ସିନେମା ହଲ୍ରେ ସିନେମା ପୂର୍ବରୁ ଜାତୀୟ ସଙ୍ଗୀତ ପ୍ରସାରିତ ହେବ । ଏହିଭଳି କିଛି ଐତିହାସିକ ରାୟ ଦେଇ ଭାରତୀୟ ନ୍ୟାୟିକ ବ୍ୟବସ୍ଥାର ଗୌରବକୁ ଅକ୍ଷୁର୍ଣ୍ଣ ରଖିଛନ୍ତି ଜଷ୍ଟିସ୍ ଦୀପକ ମିଶ୍ର ।

ରବିବାର ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ଜେ.ଏସ୍. ଖେହରଙ୍କ କାର୍ଯ୍ୟକାଳ ପୂରିବା ପରେ ସୋମବାର ଦିନ ଏହି ୬୪ ବର୍ଷିୟ ସବୁଠାରୁ ବରିଷ୍ଠ ବିଚାରପତିଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶପଥ ପାଠ କରାଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଏବଂ କହିଛନ୍ତି ତାଙ୍କର କାର୍ଯ୍ୟକାଳ ଫଳପ୍ରଦ ହେଉ ।

୨୦୧୮ ଅକ୍ଟୋବର ୨ରେ କାର୍ଯ୍ୟକାଳ ସରୁଥିବା ଜଷ୍ଟିସ୍ ଦୀପକ ମିଶ୍ରଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ସମୟ ଅପେକ୍ଷା କରିଛି । କାରଣ ତାଙ୍କର କାର୍ଯ୍ୟକାଳ ଭିତରେ ବାବରୀ ମସଜିଦ୍, ଆଧାର କାର୍ଡରେ ଗୋପନୀୟତାର ମାମଲା, କାବେରୀ ଜଳ ବିବାଦ, ପାନାମା ପେପର ଲିକ ଏବଂ ବିସିସିଆଇରେ ସଂସ୍କାର ପରି ଗୁରୁତ୍ୱପୂର୍ଣ୍ଣ ମାମଲାର ରାୟ ଆସିବାର ଅଛି ।