ପ୍ରଧାନ ବିଚାରପତିଙ୍କୁ ଚିଠି ଲେଖିଲେ ଜଷ୍ଟିସ ଚେଲମେଶ୍ୱର ! କହିଲେ ସରକାରୀ ହସ୍ତକ୍ଷେପ ଗଣତନ୍ତ୍ର ପାଇଁ ବିପଦ 

21

କନକ ବ୍ୟୁରୋ: ନ୍ୟାୟପାଳିକାରେ ସରକାରୀ ହସ୍ତକ୍ଷେପକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟ ବିଚାରପତି ଜେ.ଚେଲମେଶ୍ୱର । ଏହା ଗଣତନ୍ତ୍ର ପ୍ରତି ବିପଦ ବୋଲି ଅଭିଯୋଗ କରି ସେ ପ୍ରଧାନ ବିଚାରପତିଙ୍କୁ ଏକ ପତ୍ର ଲେଖିଛନ୍ତି । ପ୍ରଧାନ ବିଚାରପତିଙ୍କୁ ଲେଖାଯାଇଥିବା ଏହି ଚିଠିର ନକଲ ସୁପ୍ରିମକୋର୍ଟର ଅନ୍ୟ ୨୨ ଜଣ ବିଚାରପତିଙ୍କୁ ମଧ୍ୟ ପଠାଇଛନ୍ତି ଜଷ୍ଟିସ୍ ଚେଲମେଶ୍ୱର ।

ନ୍ୟାୟପାଳିକାରେ କେନ୍ଦ୍ର ସରକାରଙ୍କ ବଢୁଥିବା ହସ୍ତକ୍ଷେପ ଗ୍ରହଣୀୟ ନୁହେଁ ବୋଲି ବିଚାରପତି ଜେ.ଚେଲମେଶ୍ୱର ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କୁ ଚିଠି ଲେଖିଛନ୍ତି  । ନ୍ୟାୟପାଳିକା ଓ କାର୍ଯ୍ୟପାଳିକା ମଧ୍ୟରେ ଏଭଳି ବନ୍ଧୁତା ଗଣତନ୍ତ୍ର ପାଇଁ ବଡ ବିପଦ ସୃଷ୍ଟି କରିବ ବୋଲି ବିଚାରପତି ଚିଠିରେ ଉଲ୍ଲେଖ କରିଛନ୍ତି  । କର୍ଣ୍ଣାଟକ ହାଇକୋର୍ଟର ମୁଖ୍ୟ ବିଚାରପତି ଦୀନେଶ ମାହେଶ୍ୱରୀଙ୍କ ଉଦାହରଣ ନେଇ ଏଭଳି ଅଭିଯୋଗ ଆଣିଛନ୍ତି । ୨୦୧୬ରେ ଜୁଡିସିଆଲ ଅଫିସର ପି.କ୍ରିଷ୍ଣାଭଟ୍ଟଙ୍କ ବିରୋଧରେ ଆସିଥିବା ଯୌନ ଶୋଷଣ ମାମଲାରେ ସୁପ୍ରିମକୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ତାଙ୍କୁ କ୍ଲିନ ଚିଟ୍ ଦେଇଥିଲେ । ତେବେ ପରେ କେନ୍ଦ୍ର ଆଇନ ମନ୍ତ୍ରାଳୟର ଚାପରେ କର୍ଣ୍ଣାଟକ ହାଇକୋର୍ଟର ମୁଖ୍ୟ ବିଚାରପତି ଏହି ମାମଲାକୁ ରି ଓପନ କରିଥିବାରୁ ନ୍ୟାୟପାଳିକାରେ ଏହା ସରକାରୀ ହସ୍ତକ୍ଷେପ ବୋଲି ଜଷ୍ଟିସ ଚେଲମେଶ୍ୱର ଅଭିଯୋଗ ଆଣିଛନ୍ତି । ସେହିପରି ଜଜ ନିଯୁକ୍ତିରେ କଲେଜିୟମ ନିଷ୍ପତିରେ ମଧ୍ୟ କେନ୍ଦ୍ର ସରକାର ହସ୍ତକ୍ଷେପ କରୁଥିବା ଜଷ୍ଟିସ ଚେଲମେଶ୍ୱର ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି  ।

ଏହି ମାମଲା ଉପରେ ବିଚାର କରିବାକୁ ସୁପ୍ରିମକୋର୍ଟଙ୍କ ପୂର୍ଣ୍ଣ ବେଂଚ ଡକାଇ ଆଲୋଚନା କରିବାକୁ ପ୍ରଧାନ ବିଚାରପତିଙ୍କୁ ଅନୁରୋଧ କରିଛନ୍ତି ବିଚାରପତି ଜେ.ଚେଲମେଶ୍ୱର ।  ଗତ ୨୧ ତାରିଖରେ ଜଷ୍ଟିସ୍ ଚେଲମେଶ୍ୱର ଏହି ପତ୍ର ଲେଖିଛନ୍ତି । ପ୍ରଧାନ ବିଚାରପତିଙ୍କୁ ଲେଖାଯାଇଥିବା ଏହି ଚିଠିର ନକଲ ସୁପ୍ରିମକୋର୍ଟଙ୍କ ଅନ୍ୟ ୨୨ ଜଣ ବିଚାରପତିଙ୍କୁ ମଧ୍ୟ ପଠାଇଛନ୍ତି ଜଷ୍ଟିସ୍ ଚେଲମଶ୍ୱର ।

ଗତ ଜାନୁୟାରୀ ୧୨ ତାରିଖରେ ସାମ୍ବାଦିକ ସମ୍ମିଳନୀ କରି ସୁପ୍ରିମକୋର୍ଟର ଯେଉଁ ୪ ଜଣ ବିଚାରପତି ହଟଚମଟ ସୃଷ୍ଟି କରିଥିଲେ ସେମାନଙ୍କ ମଧ୍ୟରେ ଥିଲେ ବରିଷ୍ଠ ବିଚାରପତି ଚେଲମେଶ୍ୱର । ତେଣୁ ଏବେ ପ୍ରଧାନ ବିଚାରପତିଙ୍କୁ ତାଙ୍କ ଚିଠି ଆଉ ଏକ ବିବାଦୀୟ ପରିସ୍ଥିତି ସୃଷ୍ଟି କରିଛି । ଏହା ସର୍ବୋଚ୍ଚ ଅଦାଲତଙ୍କ ନିରପେକ୍ଷତାକୁ ସନ୍ଦେହ ଘେରକୁ ଠେଲି ଦେଇଛି  ।