ଯାତ୍ରାରେ ଇଷ୍ଟର୍ଣ୍ଣ ଅପେରାର ବଲିଉଡ ଛୁଙ୍କ! ଯାତ୍ରା ପେଣ୍ଡାଲରେ ଧୂମ ମଚାଇବେ ଜୁନିୟର ଶାହାରୁଖ, ସଞ୍ଜୟ ଓ ସଲମାନ

55

କନକ ବ୍ୟୁରୋ : ଯାତ୍ରା ପେଣ୍ଡାଲ ଉପରେ ଶୁଭିବ ବଲିଉଡ ହିରୋଙ୍କ ଡାଇଲଗ । କେତେବେଳେ ରୋମାନ୍ସ କିଙ୍ଗ ଶାହାରୁଖ ନଜର ଆସିବେ ତ ପୁଣି କେତେବେଳେ ଦବଙ୍ଗଗିରି ଦେଖାଇବାକୁ ଚୁଲବୁଲ ପାଣ୍ଡେଙ୍କୁ ଦେଖିବାକୁ ମିଳିବ ପେଣ୍ଡାଲ ଉପରେ । ଆଉ କେତେବେଳେ ନିଜର ଡାଇଲଗ ଯାଦୁରେ ଦର୍ଶକଙ୍କ ମନୋରଞ୍ଜନ କରିବେ ମୁନ୍ନାଭାଇ । ରାତି ଅନିଦ୍ରା ହୋଇଥିବା ଦର୍ଶକ ଏଣିକି ଯାତ୍ରାରେ ପାଇବେ ବଲିଉଡର ଛୁଙ୍କ ।

ସବୁବେଳେ ଦର୍ଶକଙ୍କୁ କିଛି ନୂଆ ଉପହାର ଦେବାର ପ୍ରୟାସ ଜାରି ରଖିଥିବା ଇଷ୍ଟନ୍ ଅପେରା, ଚଳିତବର୍ଷ ଦର୍ଶକଙ୍କ ପାଇଁ ଯାତ୍ରାରେ ରଖିଛି ବଲିଉଡ ଛୁଙ୍କ । ବଲିଉଡର ନାମୀଦାମୀ କଳାକାରଙ୍କୁ ଅବିକଲ ନକଲ କରିପାରୁଥିବା କିଛି ଜୁନିୟର କଳାକାର ଏଥର ଇଷ୍ଟର୍ଣ୍ଣ ଅପେରା ଯାତ୍ରା ମଂଚରେ ଅଭିନୟ କରିବେ । ଶାହାରୁଖ୍ ଖାନ୍, ସଲମାନ ଖାନ୍ ଏବଂ ସଂଜୟ ଦତ୍ତଙ୍କ ଢ଼ାଣିରେ ଅଭିନୟ କରିପାରୁଥିବା, ସେମାନଙ୍କ ଭଳି ସମାନ ସ୍ୱରରେ ଡାଇଲଗ୍ ମାରିପାରୁଥିବା କଳାକାରଙ୍କୁ ଏଥର ଯାତ୍ରା ମଂଚରେ ଭେଟି ଦେବାକୁ ଯାଉଛି ଇଷ୍ଟର୍ଣ୍ଣ ଅପେରା । ଆଉ ଏହାଦ୍ୱାରା ଏକ ନୂଆ ରୂପରେ ଯାତ୍ରା ଦେଖିବାକୁ ପାଇବେ ଦର୍ଶକ ।

ଏହି ଜୁନିୟର କଳାକାର ମାନେ ଅସଲି ଶାହାରୁଖ, ସଲମାନ ଓ ସଞ୍ଜୟ ଦତ୍ତଙ୍କ ଭଳି ଅଭିନୟ କରି ବେଶ ପ୍ରଂଶସା ସାଉଁଟିଛନ୍ତି । ଏପରିକି ବିପଦପୂର୍ଣ୍ଣ ଷ୍ଟଣ୍ଟ ବେଳେ ଏହି ଜୁନିୟର କଳାକାରଙ୍କୁ ଖୋଜା ପଡିଥାଏ । ଆଉ ଦର୍ଶକଙ୍କ ପାଇଁ ଏମାନେ ମଧ୍ୟ ଜଣେ ଜଣେ ଷ୍ଟାର । ତେଣୁ ଇଷ୍ଟର୍ଣ୍ଣ ଅପେରା ଏହି ଷ୍ଟାର ମାନଙ୍କୁ ଓଡିଶାର ଗାଁ ଗହଳିର ଲୋକ ମାନଙ୍କ ପାଖରେ ପହଞ୍ଚାଇବା ପାଇଁ ଆରମ୍ଭ କରିଛି ଭିନ୍ନ ପ୍ରୟାସ । ଇଷ୍ଟର୍ଣ୍ଣ ଅପେରାର ଯାତ୍ରାରେ ଓଡିଶାର ବିଭିନ୍ନ ସ୍ଥାନରେ ଏମାନେ ନିଜର ଅଭିନୟ ମାଧ୍ୟମରେ ଦର୍ଶକଙ୍କ ମନୋରଞ୍ଜନ କରିବେ । ଏହା ପୂର୍ବରୁ ବଲିଉଡର ବ୍ୟାଡ ବଏ ଶକ୍ତି କପୁର ମଧ୍ୟ ଗତବର୍ଷ ଇଷ୍ଟର୍ଣ୍ଣ ଅପେରାରେ ଅଭିନୟ କରି ବେଶ ପ୍ରଂଶସା ସାଉଁଟିଥିଲେ ।