ଜଙ୍ଗଲ ପ୍ରେମରେ ପୂରା ଗାଁ: ପିଲା ଭଳି ପାଳୁଛନ୍ତି, ପାଳି କରି ଜଗୁଛନ୍ତି । ୧୯୯୨ରୁ ଦିନରାତି ଜଙ୍ଗଲକୁ ସୁରକ୍ଷା ଦେଇ ଆସୁଛନ୍ତି ଗାଁ ସାରା ଲୋକେ

283

କନକ ବ୍ୟୁରୋ: ସକାଳ ହେବା କ୍ଷଣି ସମସ୍ତେ ଜଙ୍ଗଲକୁ ବାହାରି ଯାଆନ୍ତି । ହାତରେ ଥାଏ କଟୁରୀ, କାନ୍ଧରେ ଥାଏ କୁରାଢି । ଆଉ ଘଞ୍ଚ ଜଙ୍ଗଲକୁ ସାଙ୍ଗ ହୋଇ ପଶନ୍ତି ସମସ୍ତେ । ତେବେ ଜଙ୍ଗଲ ଭିତରେ କାଠ ହାଣିବା ପାଇଁ ନୁହେଁ ବରଂ ରାତି ପାହିଲେ ଜଙ୍ଗଲ ଜଗିବାକୁ ବାହାରି ଯାଆନ୍ତି ଗାଁ ଲୋକେ । ଜଙ୍ଗଲର ଯତ୍ନ ନିଅନ୍ତି, ଜଙ୍ଗଲକୁ ସୁରକ୍ଷା ଦିଅନ୍ତି ଆଉ ଅନାବନା ଗଛ ଉପାଡି ସାରା ଜଙ୍ଗଲକୁ ସଫାସୁତୁରା ରଖନ୍ତି ।

ତେବେ ଜଙ୍ଗଲ ପ୍ରେମରେ ପଡିଥିବା ଏଭଳି ଏକ ଗାଁ ହେଉଛି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ କାନପୁରା ଗାଁ । ଯେଉଁଠି ଗାଁ ସାରା ଲୋକେ ଜଙ୍ଗଲକୁ ସୁରକ୍ଷା ଦେବା ପାଇଁ ପ୍ରତିଜ୍ଞା ନେଇଛନ୍ତି । ବାପଅଜା ଅମଳରୁ ଆଜି ଯାଏଁ ଅର୍ଥାତ ୧୯୯୨ରେ ଜଙ୍ଗଲ ସୃଷ୍ଟି ହେବା ପରଠାରୁ ଦୀର୍ଘ ୨୮ ବର୍ଷ ହେବ ତାର ଯତ୍ନ ନେଇ ଛୋଟ ଗଛକୁ ଘଞ୍ଚ ଜଙ୍ଗଲରେ ପରିଣତ କରିବା ପଛରେ ରହିଛି କାନପୁରା ଗାଁ ଲୋକଙ୍କ ନିଷ୍ଠା ଓ ପରିଶ୍ରମ ।

ଜଙ୍ଗଲକୁ ପରିବାରର ପିଲା ଭାବୁଥିବା ଗାଁର ସମସ୍ତ ଲୋକେ ୨୮ ବର୍ଷ ହେବ ପାଳିକରି ସୁରକ୍ଷା ଦେଇ ଆସୁଛନ୍ତି । ତେବେ ସବୁଦିନ ୧୬ ଜଣ ଜଙ୍ଗଲ ଭିତରେ ଓ ବାହାରେ ପହରା ଦେଉଥିବା ବେଳେ ଦିନରେ ୮ ଜଣ ଆଉ ରାତିରେ ୮ ଜଣ ଲେଖାଏଁ ଜଙ୍ଗଲ ଜଗୁଛନ୍ତି । ୨୦୦ ହେକ୍ଟର ଜମିର ଏ ଜଙ୍ଗଲକୁ କାଠ ମାଫିଆ ଟାର୍ଗେଟ କରିଥିବାରୁ ଏହାର ସୁରକ୍ଷା ପାଇଁ ଜଗି ଆସୁଛନ୍ତି ଗାଁ ଲୋକେ । ତେବେ ଯଦି କେବେକେବେ କାଠ ଚୋରି କଲା ବେଳେ ଚୋର ଧରାପଡନ୍ତି ତେବେ ସେମାନଙ୍କୁ ଦଣ୍ଡିତ କରାଯାଏ ।

ତେବେ ବୃକ୍ଷ ହିଁ ଜୀବନ ବୋଲି ମାନି ନେଇଥିବା ଏ ଗାଁ ଲୋକେ ଜଙ୍ଗଲର ସୁରକ୍ଷା, ତାର ରକ୍ଷଣାବେକ୍ଷଣ କେମିତି କରିହେବ ସେନେଇ ପ୍ରତିମାସ ଏହି ଜଙ୍ଗଲ ପାଖରେ ଏକ ବୈଠକ କରି ଆଲୋଚନା କରନ୍ତି । ତେବେ ବିନା ସ୍ୱାର୍ଥରେ ବୃକ୍ଷର ଯତ୍ନ ନେଉଥିବା ଆଉ ପରିବେଶ ପାଇଁ ଜଙ୍ଗଲ ଜଗୁଥିବା ଏ କାନପୁରା ଗାଁ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛି ।