ନିର୍ବାଚନୀ ପାଣ୍ଠି ଅନୀୟମିତତା ମାମଲା! ପିନାକୀଙ୍କ ପ୍ରଶ୍ନର ଜବାବରେ ଜୁଏଲ କହିଲେ, ଯେ କୌଣସି ତଦନ୍ତ ପାଇଁ ପ୍ରସ୍ତୁତ, ପ୍ରମାଣିତ ହେଲେ ଦେବି ଇସ୍ତଫା

38

କନକ ବ୍ୟୁରୋ : ନିର୍ବାଚନୀ ଖର୍ଚ୍ଚ ଅନିୟମିତତା ନେଇ ବିଜେଡି-ବିଜେପି ମଧ୍ୟରେ ତୁ ତୁ ମେଁ ମେଁ ଚାଲିଛି । ଗତକାଲି ଏହି ମାମଲାରେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ଉପରେ ଅଙ୍ଗୁଳି ଉଠାଇଥିଲା ବିଜେଡି । ଆଜି ଦିଲ୍ଲୀରେ ଏହାର ଜବାବ ରଖିଛନ୍ତି କେନ୍ଦ୍ରମନ୍ତୀ । ଜୁଏଲ କହିଛନ୍ତି, ଏହି ମାମଲାରେ ଯେକୌଣସି ତଦନ୍ତର ସମ୍ମୁଖୀନ ହେବାକୁ ସେ ପ୍ରସ୍ତୁତ । ଯଦି ଅଭିଯୋଗ ପ୍ରମାଣିତ ହୁଏ ତାହାହେଲେ ସେ ଇସ୍ତଫା ଦେବେ । ଯାହା ହୋଇଛି ତାହା ରାଜନୈତିକ ଉଦ୍ଦେଶ୍ୟ ପ୍ରମାଣିତ । ଜୁଏଲ ଆହୁରି କହିଛନ୍ତି, ମୁଖ୍ୟମନ୍ତ୍ରୀ ଏବଂ ତାଙ୍କ ଦଳ ପାଣ୍ଠି ଅନିୟମିତତା କରିବାର ପ୍ରାଥମିକ ତଦନ୍ତକୁ ଜଣାପଡିଛି । ତେଣୁ ସେ ଆଗ ଇସ୍ତଫା ଦିଅନ୍ତୁ । ଗତକାଲି ବିଜେଡି ସାମ୍ବାଦିକ ସମ୍ମିଳନୀରେ ସାଂସଦ ପିନାକୀ ମିଶ୍ର କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମଙ୍କ ନିର୍ବାଚନୀ ଖର୍ଚ୍ଚ ନେଇ ପ୍ରଶ୍ନ ଉଠାଇଥିଲେ ।

ସୂଚନାଯୋଗ୍ୟ ନିର୍ବାଚନୀ ପାଣ୍ଠି ଅନିୟମିତତା ପ୍ରସଙ୍ଗରେ ବିଜେଡି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରିଆସୁଥିବା ବିଜେପିକୁ,ଗତକାଲି ବିଜୁ ଜନତା ଦଳ କାଉଂଟର ଆଟାକ କରିଥିଲା । କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ସତ୍ୟପାଠକୁ ଆଧାର କରି ରାଜ୍ୟ ବିଜେପିକୁ ଘେରିବାକୁ ଉଦ୍ୟମ କରିଥିଲା ବିଜେଡି । ଏନେଇ ସାମ୍ବାଦିକ ସମ୍ମିଳନୀ କରିଥିଲେ ବିଜେଡି ସାଂସଦ ପ୍ରତାପ ଦେବ ଓ ପିନାକୀ ମିଶ୍ର । ନବୀନ ପଟ୍ଟନାୟକଙ୍କ ସତ୍ୟପାଠକୁ ନେଇ ବିଜେପି ବାରମ୍ବାର ବିଜେଡିକୁ କାଠଗଡାରେ ଛିଡା କରିଥିବାବେଳେ ଏବେ କେନ୍ଦ୍ରମନ୍ତ୍ରୀଙ୍କ ସତ୍ୟପାଠକୁ ନେଇ ସମାନ ରଣନୀତି ଆପଣେଥିଲା ବିଜୁ ଜନତା ଦଳ । ଆଜି ଯାହାର ଜବାବ ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ  ।