ମନ୍ତ୍ରୀ ପଦ ମିଳିଲା ନାହିଁ,ଦୁଃଖ ଲାଗିଲା । ପତ୍ନୀଙ୍କ କଥା ମାନି ଗଲି ନାହିଁ ଶପଥ ଉତ୍ସବ କାର୍ଯ୍ୟକ୍ରମକୁ : ଜୁଏଲ

1,077
କନକ ବ୍ୟୁରୋ : କେନ୍ଦ୍ରରେ ଦୁଇ ଦୁଇ ଥର ଆଦିବାସୀ ବ୍ୟାପାର ମନ୍ତ୍ରୀ ଦାୟିତ୍ବ ତୁଲାଇଥିବା ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ ଏଥର ମୋଦୀ କ୍ୟାବିନେଟରେ ସ୍ଥାନ ପାଇନାହାନ୍ତି। ଏହାକୁ ନେଇ ସୁନ୍ଦରଗଡ଼ରୁ ଦିଲ୍ଲୀ ପର୍ଯ୍ୟନ୍ତ ଚର୍ଚ୍ଚା ଜୋର୍ ଧରିଛି। ଜୁଏଲଙ୍କୁ ମନ୍ତ୍ରୀ ପଦ ନ ମିଳିବା ନେଇ ରାଜନୈତିକ ସମୀକ୍ଷକମାନେ ନାନା କାରଣ ଦର୍ଶାଉଥିବା ବେଳେ ଏହାକୁ ତାଙ୍କ ସମର୍ଥକମାନେ ସହଜରେ ଗ୍ରହଣ କରିପାରୁନାହାନ୍ତି।
jual oramପ୍ରଧାନମନ୍ତ୍ରୀଙ୍କ ଶପଥ ଗ୍ରହଣ ସମାରୋହ ବର୍ଜନ କରିବା ଓ ମନ୍ତ୍ରୀ ପଦ ନ ମିଳିବା ନେଇ ଚୁପ୍ ରହିବା ପରେ ଜୁଏଲ ରୁଷିଥିବା ନେଇ ଆଲୋଚନା ହେଉଥିଲା। ଏବେ ଖୋଦ୍ ଜୁଏଲ ମନ୍ତ୍ରୀ ପଦ ନ ମିଳିବାରୁ ଦୁଃଖିତ ଥିବା ସ୍ବୀକାର କରିଛନ୍ତି। ନିଜର ଶହ ଶହ ସମର୍ଥକଙ୍କ ଉପସ୍ଥିତିରେ ଜୁଏଲଙ୍କ ଏହି ସ୍ବୀକାରୋକ୍ତି ରାଜନୈତିକ ମହଲରେ ନୂଆ ଚର୍ଚ୍ଚାକୁ ଖୋରାକ ଯୋଗାଇଛି।
ସୁନ୍ଦରଗଡ଼ ସାଂସଦ ଭାବେ ପୁନଃନିର୍ବାଚିତ ହୋଇଥିବାରୁ ଶ୍ରୀ ଓରାମଙ୍କୁ ଗତକାଲି ସଂଧ୍ୟାରେ ରାଉରକେଲାର ଭଞ୍ଜଭବନରେ ସହରର ବିଭିନ୍ନ ସଂଗଠନ ଓ ବିଜେପି ପକ୍ଷରୁ ନାଗରିକ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏଥିରେ ଶ୍ରୀ ଓରାମ ନିଜର ବକ୍ତବ୍ୟରେ କହୁ କହୁ ନିଜ ମନ କଥା ଓ ବ୍ୟଥା ଓଗାଳି ପକାଇଥିଲେ। କହିଲେ, ‘ଗଣମାଧ୍ୟମଠାରୁ ଆରମ୍ଭ କରି ସମର୍ଥକଙ୍କ ପର୍ଯ୍ୟନ୍ତ, ସମସ୍ତେ କହୁଥିଲେ ଯେ ମୋ’ ନାଁ ମନ୍ତ୍ରୀ ପଦ ପାଇଁ ଚର୍ଚ୍ଚାରେ ଅଛି। ମତେ ଏଥର ବି ମନ୍ତ୍ରୀ ପଦ ମିଳିବା ନିଶ୍ଚିତ। ମୁଁ ବି ମଣିଷ, ଏଣୁ ମୋତେ ବି କିଛି ସମୟ ପାଇଁ ଲାଗିଥିଲା ଯେ ମୋତେ ମନ୍ତ୍ରୀ ପଦ ମିଳିଯିବ। କିନ୍ତୁ ପାଇଲିନି। ତେଣୁ ଟିକିଏ ଖରାପ ଲାଗିଲା।’
ମୋଦୀଙ୍କ ଶପଥ ଗ୍ରହଣ ଉତ୍ସବରେ ଅନୁପସ୍ଥିତ ରହିବା ପ୍ରସଙ୍ଗରେ ଜୁଏଲ କହିଲେ, ‘ମୁଁ ଶପଥ ଗ୍ରହଣ ଉତ୍ସବକୁ ଯିବା କଥା। ଯେହେତୁ ମୁଁ ସ୍ତ୍ରୀଙ୍କୁ ନେଇ ଦିଲ୍ଲୀ ଯାଇଥିଲି, ଏଣୁ ତାଙ୍କୁ ପଚାରିଥିଲି ଶପଥ ଗ୍ରହଣ ଉତ୍ସବରେ ସାମିଲ ହେବି କି ନା। ମାତ୍ର ତାଙ୍କୁ ଭଲ ଲାଗୁ ନ ଥିବା କହି ଯିବାକୁ ମନା କରିବାରୁ ମୁଁ ମଧ୍ୟ ଉତ୍ସବରେ ଯୋଗଦେଇ ପାରି ନ ଥିଲି।’
ତେବେ ମନ୍ତ୍ରୀ ପଦ ନ ମିଳିବାରୁ ଦୁଃଖିତ ଥିବା ଶତାଧିକ ସମର୍ଥକଙ୍କ ସମ୍ମୁଖରେ ସ୍ବୀକାର କରିଥିଲେ ସୁଦ୍ଧା ଶ୍ରୀ ଓରାମ ମନ୍ତ୍ରୀ ପଦରୁ ବାଦ୍ ପଡ଼ିବା ନେଇ କାହାକୁ ଦୋଷାରୋପ କରି ନ ଥିଲେ। ସେ କହିଥିଲେ, ‘କାହାକୁ ମନ୍ତ୍ରୀ ପଦ ଦେବେ, ତାହା ପ୍ରଧାନମନ୍ତ୍ରୀଙ୍କ ବ୍ୟକ୍ତିଗତ ନିଷ୍ପତ୍ତି। ନରେନ୍ଦ୍ର ମୋଦୀ ମତେ ଯେଉଁ ଦାୟିତ୍ବ ଦେବେ, ଆଗାମୀ ଦିନରେ ମୁଁ ତାହାକୁ ନିଷ୍ଠାର ସହ ତୁଲାଇବି।’
ସୂଚନାଯୋଗ୍ୟ, ମନ୍ତ୍ରୀ ପଦ ନ ମିଳିବା ଓ ଶପଥ ଗ୍ରହଣ ଉତ୍ସବରେ ଅନୁପସ୍ଥିତ ରହିବା ପରେ ଶ୍ରୀ ଓରାମ ରୁଷିଥିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା। ଶପଥ ଗ୍ରହଣ ଉତ୍ସବର ଦିନକ ପରେ କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ସ୍ଥାନ ପାଇଥିବା ଦୁଇ ଓଡ଼ିଆ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡ଼ଙ୍ଗୀ ଶ୍ରୀ ଓରାମଙ୍କ ଦିଲ୍ଲୀ ସ୍ଥିତ ବାସଭବନକୁ ଯାଇ ତାଙ୍କୁ କୁଆେଡ଼ ମନାଇବା ପାଇଁ ଉଦ୍ୟମ କରିଥିଲେ ବୋଲି ଚର୍ଚ୍ଚା ହେଉଥିଲା। ଯଦିଓ ସେତେବେଳେ ଶ୍ରୀ ଓରାମ ନିରବ ରହିଥିଲେ।