ପୁଣି ଚେଙ୍କିଲେ ଜୁଏଲ୍ ! କହିଲେ, ବିଜେପିରେ ସାମିଲ ହେବାକୁ ନେତା ଲଗାଇଛନ୍ତି ଲମ୍ବା ଲାଇନ୍

77

କନକ ବ୍ୟୁରୋ : ମାଷ୍ଟର ପ୍ଲାନ୍ ଧରି ଆସନ୍ତା ମାସରେ ଓଡ଼ିଶା ଆସୁଛନ୍ତି ବିଜେପି ସଭାପତି ଅମିତ ଶାହା । ଯିଏ ୩ ଦିନ ଧରି ବିଜେପିର ନେତା ଓ କର୍ମୀଙ୍କୁ ଦେବେ ଗୁରୁମନ୍ତ୍ର । ୨୦୧୯ ନିର୍ବାଚନ ପୂର୍ବରୁ ଦଳକୁ ପ୍ରସ୍ତୁତ କରିବା ପାଇଁ ଉପକୂଳ ଓଡ଼ିଶାରୁ ଅଭିଯାନ ଆରମ୍ଭ କରିବେ ଅମିତ ଶାହା । ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଗଂଜାମ ସମେତ ଖୋର୍ଦ୍ଧା ଓ ଯାଜପୁର ଜିଲ୍ଲା ଯାଇ ବିଜେପିର ମୋ ବୁଥ ଶକ୍ତିଶାଳୀ କର୍ମଶାଳାରେ ଯୋଗଦେବେ । ଯେଉଁଥିରେ ତୃଣମୂଳ ସ୍ତରର ନେତା ଓ କର୍ମୀଙ୍କୁ ଉତ୍ସାହିତ କରିବା ପାଇଁ ପ୍ରୟାସ କରାଯିବ ।

ବୁଥକୁ ବୁଥ ବୁଲି ଭୋଟରଙ୍କ ପାଖରେ ପହଂଚିବ ଭାରତୀୟ ଜନତା ପାର୍ଟି । ମୋ ବୁଥ ଶକ୍ତିଶାଳୀ କର୍ମଶାଳା ଜରିଆରେ ରାଜ୍ୟର ୩୬ ହଜାର ବୁଥରେ ପହଂଚିବେ ନେତା ଓ କର୍ମୀ । ୨୦ ହଜାର କର୍ମୀ ସମସ୍ତ ବୁଥକୁ ଯାଇ ମୋଦି ସରକାରଙ୍କ ଲୋକାଭିମୁଖି ଯୋଜନା ଗୁଡ଼ିକ ସଂପର୍କରେ ଲୋକଙ୍କୁ ଅବଗତ କରିବେ ।

ଆଉ ବିଜେପିର ଏହି ପ୍ରସ୍ତୁତି ଭିତରେ ପୁଣି ଥରେ ଓଡ଼ିଶା ରାଜନୀତିରେ କମ୍ପନ ସୃଷ୍ଟି କରିଛି କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ବୟାନ । ଯେଉଁଥିରେ ସେ ଦୋହରାଇଛନ୍ତି ବିଜେଡି ଓ ଅନ୍ୟ ଦଳରୁ ବହୁ ନେତା ବିଜେପିରେ ସାମିଲ ହେବା ପାଇଁ ଗୋଡ କାଢ଼ି ବସିଛନ୍ତି । ଖାଲି ଏତିକି ନୁହେଁ, ୧୯୯୦ରେ ଜବରଦସ୍ତ ସଫଳତା ସତ୍ୱେ ୧୯୯୫ରେ ଜନତା ଦଳର ଯେଉଁ ସ୍ଥିତି ହୋଇଥିଲା, ବିଜେଡିର ଅବସ୍ଥା ଠିକ ସେୟା ହେବ ବୋଲି କେନ୍ଦ୍ରମନ୍ତ୍ରୀ ଦୋହରାଇଛନ୍ତି ।

କୁହାଯାଉଛି ଅମିତ ଶାହାଙ୍କ ଏହି ତିନିଟି ଜିଲ୍ଲା ଗସ୍ତ ସମୟରେ ବିଜେଡିର ଜଣେ ପୂର୍ବତନ ସାଂସଦ, କଂଗ୍ରେସର ଜଣେ ଯୁବ ନେତା ଏବଂ ଗଂଜାମ ଜିଲ୍ଲାର ଜଣେ ଟାଣୁଆ ବାମପନ୍ଥୀ ନେତା ଭାରତୀୟ ଜନତା ପାର୍ଟିରେ ସାମିଲ ହେବେ ।