ବିଜୟ ମାଲ୍ୟାଙ୍କୁ ଆଦର୍ଶ କହି ଅଡୁଆରେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ୍ ! କହିଲେ ମାଲ୍ୟାଙ୍କ ଭଳି ସ୍ମାର୍ଟ ହୁଅ, ବ୍ୟାଙ୍କକୁ ପ୍ରଭାବିତ କରି ଲୋନ୍ ନିଅ ।

28

କନକ ବ୍ୟୁରୋ : ବ୍ୟାଙ୍କରୁ କୋଟି କୋଟି ହଡପ କରି ଫେରାର ଥିବା ବିଜୟ ମାଲ୍ୟାକୁ ଆଦର୍ଶ କହି ଅଡୁଆରେ ପଡିଛନ୍ତି କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ । ଆଦିବାସୀ ଉଦ୍ୟୋଗୀମାନଙ୍କୁ କିପରି ବ୍ୟାଙ୍କ ଋଣ ନେଇପାରିବେ, ସେ ନେଇ ଟିପ୍ସ ଦେଇ ଜୁଏଲ କହିଥିଲେ, ବିଜୟ ମାଲ୍ୟାଙ୍କ ଭଳି ସ୍ମାର୍ଟ ହୁଅ ଏବଂ ବ୍ୟାଙ୍କକୁ ପ୍ରଭାବିତ କରି ଲୋନ୍ ନିଅ । ତେବେ ଏ ନେଇ ବିବାଦ ଜୋର ଧରିବାରୁ ନିଜ ଭୁଲ ସ୍ୱୀକାର କରିଛନ୍ତି କେନ୍ଦ୍ର ମନ୍ତ୍ରୀ । ହାଇଦ୍ରାବାଦରେ ଅନୁଷ୍ଠିତ ନାସନାଲ ଟ୍ରାଇବାଲ୍ ଇଂଟରପ୍ରେନର କନକ୍ଲେଭରେ କେନ୍ଦ୍ରମନ୍ତ୍ରୀ ଏଭଳି ବିବାଦୀୟ ବୟାନ ଦେଇଥିଲେ ।

ନାସନାଲ ଟ୍ରାଇବାଲ୍ ଇଂଟରପ୍ରେନର କନକ୍ଲେଭରେ ଜୁଏଲ ଓରାମ କହିଥିଲେ, “ ଆପଣମାନେ ବିଜୟ ମାଲ୍ୟାଙ୍କୁ ସମାଲୋଚନା କରୁଛନ୍ତି, କିନ୍ତୁ ବିଜୟ ମାଲ୍ୟା ହେଉଛନ୍ତି ସ୍ମାର୍ଟ । ସେ ବୁଦ୍ଧିମାନ ଲୋକଙ୍କୁ ନିଯୁକ୍ତି ଦେଇଥିଲେ । ବ୍ୟାଙ୍କ କର୍ମଚାରୀ, ରାଜନେତା, ସରକାର ସମସ୍ତଙ୍କୁ ସେ କିଣି ଦେଇଥିଲେ । ଆପଣମାନଙ୍କୁ କିଏ ଅଟକାଉଛି ସ୍ମାର୍ଟ ହେବାପାଇଁ ? ବ୍ୟବସ୍ଥାକୁ ପ୍ରଭାବିତ ନକରିବା ପାଇଁ କିଏ ଆଦିବାସୀଙ୍କୁ କହିଛି ? ଆପଣମାନଙ୍କୁ କିଏ ଅଟକାଇଛି ବ୍ୟାଙ୍କର୍ସକୁ ପ୍ରଭାବିତ କରିବା ପାଇଁଁ?”

ବିଜୟ ମାଲ୍ୟାଙ୍କୁ କେନ୍ଦ୍ର କ୍ୟାବିନେଟର ଜଣେ ବରିଷ୍ଠ ମନ୍ତ୍ରୀଙ୍କ ପ୍ରଶଂସା, ସମସ୍ତଙ୍କୁ ତାଜୁବ କରିଥିଲା । ବୋଧହୁଏ କେନ୍ଦ୍ରମନ୍ତ୍ରୀ ଭୁଲି ଯାଇଥିଲେ, ଯାହାଙ୍କ ଉଦାହରଣ ସେ ଦେଉଛନ୍ତି, ତାଙ୍କୁ ସରକାର ପଳାତକ ଘୋଷଣା କରିଛନ୍ତି । ଆଦିବାସୀ ଉଦ୍ୟୋଗୀ କିପରି ବ୍ୟାଙ୍କକୁ ପ୍ରଭାବିତ କରି ଋଣ ପାଇବେ, କନକ୍ଳେଭରେ ସେ ନେଇ ଟିପସ ଦେଉଥିଲେ କେନ୍ଦ୍ରମନ୍ତ୍ରୀ । ହେଲେ କହୁ କହୁ ସେ ଯାହା କହିଦେଲେ, ତାକୁ ନେଇ ଉଭୟ ଜୁଏଲ ଓରାମ ଓ କେନ୍ଦ୍ର ସରକାରଙ୍କୁ ସମାଲୋଚନାର ଶିକାର ହେବାକୁ ପଡିଛି । ପରେ ନିଜ ଭୁଲ ମାନିଥିଲେ ବି ଏହାକୁ ନେଇ ତେଜିଛି ବିବାଦ ।