ଜୁଏଲଙ୍କ ଗୁଗଲି ! କହିଲେ, ବିଜେପି ଆଡକୁ ମୁହାଁଉଛନ୍ତି ବିଜେଡି ନେତା

23

କନକ ବ୍ୟୁରୋ : ବିଜେପି ଆଡକୁ ମୁହାଁଉଛନ୍ତି ବିଜେଡି ନେତା । ଦଳର କିଛି ସାଂସଦ, ବିଧାୟକ ଓ ବରିଷ୍ଠ ନେତା ବିଜେପିରେ ସାମିଲ ହେବା ନେଇ ଗମ୍ଭୀରତାର ସହ ବିଚାର କରୁଛନ୍ତି । ଆଜି ଏଭଳି ଏକ ବିସ୍ଫୋରକ ବୟାନ ରଖିଛନ୍ତି କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ । କେନ୍ଦ୍ରମନ୍ତ୍ରୀ କହିଛନ୍ତି, ବିଜେପି କୌଣସି ଦଳକୁ ଭାଙ୍ଗିବାକୁ ଚେଷ୍ଟା କରୁନାହିଁ ବରଂ ବିଜେଡିର ଅନ୍ତଃକନ୍ଦଳ ଯୋଗୁଁ ଦଳ ଆପେ ଆପେ ଭାଙ୍ଗିରୁଜି ଯିବ । ଜୁଏଲ ଭବିଷ୍ୟବାଣୀ କରିଛନ୍ତି, ୧୯୯୬-୯୭ ମସିହାର ପୁନରାବୃତି ହେବ । ସେତେବେଳେ ନିର୍ବାଚନ ହାରି ଜନତା ଦଳ ଯେଉଁ ପରିସ୍ଥିତିର ସମ୍ମୁଖୀନ ହୋଇଥିଲା ବିଜୁ ଜନତା ଦଳ ସେଭଳି ପରିସ୍ଥିତି ହେବ ।

ଜୁଏଲଙ୍କ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖିଛି ବିଜେଡି । କହିଛି, ମନ୍ତବ୍ୟ ଭିତିହୀନ । ବିଜେପିକୁ କେହି ଯାଉନାହାନ୍ତି । ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ଥିବାରୁ ବିଜେପି ନେତା ଉତ୍ସାହିତ ହୋଇଛନ୍ତି । ଆଗରୁ ମଧ୍ୟ ବିଜେପି ନେତା ଏଭଳି ବୟାନ ବାଜି କରିଛନ୍ତି । ବର୍ତମାନ ସେଭଳି କିଛି ପରିସ୍ଥିତି ସୃଷ୍ଟି ହୋଇନାହିଁ ।

ଗତ କିଛି ଦିନ ଧରି ଚାଲିଥିବା ଘଟଣାବଳୀ ଆଉ ନେତାଙ୍କ ବୟାନବାଜୀ ଭିତରେ ଜୁଏଲଙ୍କ ପ୍ରତିକ୍ରିୟାର ମହତ୍ୱ ବଢିଛି । ପ୍ରଥମେ ତଥାଗତଙ୍କ ଟ୍ୱିଟ୍, ପରେ ବୈଜୟନ୍ତ ପଣ୍ଡାଙ୍କ ଲେଖା ରାଜ୍ୟ ରାଜନୀତିକୁ ରୋଚକ ମୋଡ ଦେଇଥିଲା ।

ଦୁଇ ଦିନିଆ କାର୍ଯ୍ୟକାରିଣୀ ପାଇଁ ରାଜଧାନୀ ରାଜନୀତିର ପାରଦ ବଢୁଛି, ନେତାଙ୍କୁ ଅପେକ୍ଷା କରିଛି ବିଜେପି । ବିଜେଡି ପ୍ରତିଟି ରଣନୀତି ଉପରେ କଡା ନଜର ରଖିଛି । ହେଲେ ଏହାରି ଭିତରେ ବୟାନବାଜି କିନ୍ତୁ ପ୍ରତିଟି ଚର୍ଚ୍ଚାକୁ ରୋଚକ ମୋଡ ଦେଉଛି ।