ମୋଦିଙ୍କ ଦ୍ୱିତୀୟ ପାଳିରେ ଦୁଇ ଓଡ଼ିଆ ପୁଅ । ହେଲେ ପ୍ରଥମ ପାଳିରେ ସହଯୋଗୀଥିବା ଜୁଏଲଙ୍କୁ ମିଳିଲାନି ମନ୍ତ୍ରୀପଦ ।

1,143

କନକ ବ୍ୟୁରୋ: ମୋଦିଙ୍କ ଦ୍ୱିତୀୟ ସରକାରରେ ସୁନ୍ଦରଗଡ଼ ବିଜେପି ସାଂସଦ ଜୁଏଲ ଓରାମଙ୍କୁ ମିଳିଲାନି ସ୍ଥାନ । ଓଡ଼ିଶାର ସୁନ୍ଦରଗଡ଼ ଲୋକସଭା ଆସନରୁ ରେକର୍ଡ ଭୋଟରେ ବିଜୟୀ ହୋଇଥିବା ଜୁଲଏ ଓରାମଙ୍କ ପୂର୍ବଥର ମୋଦି ସରକାରରେ କ୍ୟାବିନେଟ୍ ପାହ୍ୟା ପାଇଥିଲେ । ଆଉ ଆଦିବାସୀ କଲ୍ୟାଣ ମନ୍ତ୍ରୀଭାବେ ଦାୟିତ୍ୱ ମଧ୍ୟ ତୁଲାଇଥିଲେ । ହେଲେ ଏଥର ମୋଦିଙ୍କ ମନ୍ତ୍ରିମଣ୍ଡଳରେ ତାଙ୍କୁ ସ୍ଥାନ ମିଳିଲା ନାହିଁ । ଯାହା ରାଜ୍ୟ ରାଜନୀତିକୁ ଉଷ୍ମ କରିଛି ।

ଅନ୍ୟପଟେ ଗତ ସରକାର ଭଳି ମୋଦିଙ୍କ ଦ୍ୱିତୀୟ ଇନିଂସରେ ଏଥର ମଧ୍ୟ ଓଡ଼ିଶାରୁ ଦୁଇଜଣ ଓଡ଼ିଆଙ୍କୁ ସୁଯୋଗ ମିଳିଛି । ଦ୍ୱିତୀୟ ଥର ପାଇଁ ଧର୍ମେନ୍ଦ୍ର ପ୍ରଧାନଙ୍କୁ କ୍ୟାବିନେଟ୍ ପାହ୍ୟା ମିଳିଥିବାବେଳେ ପ୍ରଥମଥର ବାଲେଶ୍ୱର ସାଂସଦ ସିଟ୍ ହାତେଇଥିବା ପ୍ରତାପ ଷଡ଼ଙ୍ଗୀଙ୍କୁ ମଧ୍ୟ ମୋଦିଙ୍କ ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳିଛି । ଆଉ ପ୍ରତାପଙ୍କୁ ମିଳିଛି ରାଷ୍ଟ୍ରମନ୍ତ୍ରୀ(ସ୍ୱାଧିନ) ପାହ୍ୟା । ସବୁଠାରୁ ବଡ଼କଥା ହେଲା କି, ଜାତୀୟସ୍ତରରେ ଓଡ଼ିଶାର ମୋଦି ବୋଲାଉଥିବା ପ୍ରତାପ ଷଡ଼ଙ୍କୀ ଏଥର ମୋଦିଙ୍କ ମନ ମୋହି ତାଙ୍କ ଦ୍ୱିତୀୟ ସରକାରର ମନ୍ତ୍ରିମଣ୍ଡଳରେ ସାମିଲ ହୋଇଛନ୍ତି ।

ସେପଟେ ଚଳିତ ସାଧାରଣ ନିର୍ବାଚନରେ ବିଜେପି ବିଧାନସଭା କ୍ଷେତ୍ରରେ ସେତେ ଭଲ ପ୍ରଦର୍ଶନ କରିନଥିଲେ ମଧ୍ୟ ସଂସଦୀୟ କ୍ଷେତ୍ରରେ ବିଜେଡିକୁ କଡ଼ା ଟକ୍କର ଦେଇଛି । ଯାହାଦ୍ୱାରା ଓଡ଼ିଶାରୁ ଏଥର ୮ ବିଜେପି ସାଂସଦ ଲୋକସଭାକୁ ନିର୍ବାଚିତ ହୋଇଛନ୍ତି । ହେଲେ ଚଳିତ ନିର୍ବାଚନରେ ସବୁଠାରୁ ବଡ଼ ମାର୍ଜିନରେ ବିଜୟୀ ହୋଇଥିବା ବିଜେପି ସାଂସଦ ଜୁଏଲ ଓରାମଙ୍କ ବୋଧ ହୁଏ ମୋଦିଙ୍କ ମନ ଜଣିପାରି ନାହାନ୍ତି ବୋଲି ଚର୍ଚ୍ଚା ହେଉଛି । ତେଣୁ ମୋଦିଙ୍କ ଦ୍ୱିତୀୟ ସରକାରରେ ଜୁଏଲ ବାଦ୍ ପଡ଼ିଥିବା ଆଲୋଚନା ହେଉଛି ।