ନ୍ୟାୟପାଳିକାରେ ବୃଦ୍ଧି ପାଉଛି ସରକାରୀ ହସ୍ତକ୍ଷେପ ! ମୁଖ୍ୟ ବିଚାରପତି ଦୀପକ ମିଶ୍ରଙ୍କୁ ଚିଠି ଲେଖି ଅଭିଯୋଗ ଆଣିଲେ ଜଷ୍ଟିସ୍ ଚେଲମେଶ୍ୱର

42

କନକ ବ୍ୟୁରୋ: ନ୍ୟାୟପାଳିକାରେ ସରକାରୀ ହସ୍ତକ୍ଷେପ ବୃଦ୍ଧି ପାଉଛି ଓ ଏହା ଗଣତନ୍ତ୍ର ପ୍ରତି ବିପଦ ବୋଲି ସୁପ୍ରିମକୋର୍ଟର ବିଚାରପତି ଜେ.ଚେଲମେଶ୍ୱର ଅଭିଯୋଗ ଆଣିଛନ୍ତି । ଏନେଇ ମୁଖ୍ୟ ବିଚାରପତି ଦୀପକ ମିଶ୍ରଙ୍କୁ ସେ ଚିଠି ଲେଖି ଜଣାଇଛନ୍ତି । ଗତ ୨୧ ତାରିଖରେ ଜଷ୍ଟିସ୍ ଚେଲମଶ୍ୱର ଏହି ପତ୍ର ଲେଖିଛନ୍ତି । ପ୍ରଧାନ ବିଚାରପତିଙ୍କୁ ଲେଖାଯାଇଥିବା ଏହି ଚିଠିର ନକଲ ସୁପ୍ରିମକୋର୍ଟର ଅନ୍ୟ ୨୨ ଜଣ ବିଚାରପତିଙ୍କୁ ମଧ୍ୟ ପଠାଇଛନ୍ତି ଜଷ୍ଟିସ୍ ଚେଲମଶ୍ୱର । ଏହି ମାମଲା ଉପରେ ବିଚାର କରିବାକୁ ସୁପ୍ରିମକୋର୍ଟଙ୍କ ପୂର୍ଣ୍ଣ ବେଂଚ ଡକାଇବାକୁ ସେ ଚିଠିରେ ଅନୁରୋଧ କରିଛନ୍ତି ।

ଗତ ଜାନୁୟାରୀ ୧୨ ତାରିଖରେ ସାମ୍ବାଦିକ ସମ୍ମିଳନୀ କରି ସୁପ୍ରିମକୋର୍ଟର ଯେଉଁ ୪ ଜଣ ବିଚାରପତି ହଟଚମଟ ସୃଷ୍ଟି କରିଥିଲେ ସେମାନଙ୍କ ମଧ୍ୟରେ ଥିଲେ ଜଷ୍ଟିସ ଚେଲମେଶ୍ୱର । ତେଣୁ ଏବେ ପ୍ରଧାନ ବିଚାରପତିଙ୍କୁ ତାଙ୍କ ଚିଠି ଆଉ ଏକ ବିବାଦୀୟ ପରିସ୍ଥିତି ସୃଷ୍ଟି କରିଛି । ଏହା ସର୍ବୋଚ୍ଚ ଅଦାଲତଙ୍କ ନିରପେକ୍ଷତାକୁ ସନ୍ଦେହ ଘେରକୁ ଠେଲି ଦେଇଛି ।

ସୂଚନାଯୋଗ୍ୟ, ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ଦ୍ୱାରା ମାମଲା ଆବଣ୍ଟନ ମାମଲାରେ ଅନ୍ୟ ୩ ଜଣ ବରିଷ୍ଠ ବିଚାରପତିଙ୍କ ସହିତ ବିଚାରପତି ଚେଲମେଶ୍ୱର ଅଭୂତପୂର୍ବ ସାମ୍ବାଦିକ ସମ୍ମିଳନୀ କରିଥିଲେ। ବିଚାରପତି ନିଯୁକ୍ତି ପାଇଁ କଲେଜିୟମ ଦ୍ୱାରା ନାମ ସୁପାରିସ କରାଯିବା ପରେ ମଧ୍ୟ ସରକାର ଏ ବାବଦ ଫାଇଲକୁ ଚପାଇ ରଖୁଛନ୍ତି ଏବଂ ଏହା ଦ୍ୱାରା ଅସନ୍ତୋଷ ଉପୁଜୁଥିବା ବିଚାରପତି କହିଛନ୍ତି । ପ୍ରଧାନ ବିଚାରପତି ଏହି ପ୍ରସଙ୍ଗରେ ପୂର୍ଣ୍ଣ ଖଣ୍ଡପୀଠ ଡକାଇ ନ୍ୟାୟପାଳିକାରେ ସରକାରଙ୍କ ହସ୍ତକ୍ଷେପ ମାମଲା ନେଇ ବିଚାର କରିବାକୁ କହିଛନ୍ତି। ସୁପ୍ରିମ୍ କୋର୍ଟ ସମ୍ବିଧାନର ନିୟମ ଅନ୍ତର୍ଗତ ଯେଭଳି ପ୍ରାସଙ୍ଗିକ ରହିବପାରିବ ତାହା ସୁନିଶ୍ଚିତ କରିବା ଜରୁରୀ ବୋଲି ଜଷ୍ଟିସ୍ ଚେଲମେଶ୍ୱର କହିଛନ୍ତି।