ରାଇଟ୍ ଟୁ ପ୍ରାଇଭେସୀ, ମୌଳିକ ଅଧିକାର ନା ବ୍ୟକ୍ତିଗତ ବ୍ୟାପାର ! ସୁପ୍ରିମକୋର୍ଟର ୯ ବିଚାରପତିଙ୍କ ସାମ୍ବିଧାନିକ ଖଣ୍ଡପୀଠ ଆଜି ଶୁଣାଇବେ ରାୟ

26

କନକ ବ୍ୟୁରୋ: ବ୍ୟକ୍ତିଗତ ଗୋପନୀୟତା ମୌଳିକ ଅଧିକାର ନା ନାହିଁ ? ଏହି ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ସୁପ୍ରିମକୋର୍ଟ ଆଜି ନିଷ୍ପତ୍ତି ଗ୍ରହଣ କରିବେ । ଏହି ନିଷ୍ପତ୍ତି ଉପରେ ଆଧାର କାର୍ଡର ଭାଗ୍ୟ ନିର୍ଭର କରୁଛି । ତିନି ତଲାକ୍ ଉପରେ ଐତିହାସିକ ରାୟ ପ୍ରଦାନ କରିବାରେ ଦୁଇ ଦିନ ପରେ ପୁଣି ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ସୁପ୍ରିମକୋର୍ଟ ନିଷ୍ପତ୍ତି ଶୁଣାଇବାକୁ ଯାଉଛନ୍ତି । ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଜେ ଏସ୍ ଖେହାରଙ୍କ ନେତୃତ୍ୱରେ ଗଠିତ ୯ ଜଣିଆ ଖଣ୍ଡପୀଠ ପୂର୍ବାହ୍ନ ୧୦ଟା ୩୦ରେ ଏହି ନିଷ୍ପତ୍ତି ଶୁଣାଇବା ଆରମ୍ଭ କରିପାରନ୍ତି ।

ଏହି ଖଣ୍ଡପୀଠରେ ଥିବା ଅନ୍ୟ ବିଚାରପତିମାନେ ହେଉଛନ୍ତି ଜେ ଚେଲମେଶ୍ୱର, ଆର୍ କେ ଅଗ୍ରଓ୍ଵାଲ୍, ଏସ୍ ଏ ବୋବ୍ଡେ, ଏ ଏମ୍ ସାପ୍ରେ, ଆର୍ ଏଫ୍ ନରିମାନ୍, ଡି ଓ୍ଵାଇ ଚନ୍ଦ୍ରଚୂଡ଼, ସଞ୍ଜୟ କିସନ କୌଲ ଏବଂ ଏସ୍ ଅବଦୁର ନାଜିର୍ । ଆଧାର କାର୍ଡ ଜରିଆରେ ସରକାର ଲୋକମାନଙ୍କ ଉପରେ ନଜର ରଖିବାର ଆଶଙ୍କା ରହିଛି ବୋଲି ଅଭିଯୋଗ କରି କୋର୍ଟରେ ବିଭିନ୍ନ ସଂଗଠନ ପକ୍ଷରୁ ମାମଲା ଦାୟର କରାଯାଇଛି । ଆବେଦନକାରୀମାନେ ଆଧାର କାର୍ଡ ପାଇଁ ସଂଗ୍ରହ କରାଯାଇଥିବା ତଥ୍ୟଗୁଡ଼ିକର ନିରାପତ୍ତା ନେଇ ପ୍ରଶ୍ନ ଉଠାଇଛନ୍ତି । ଏହା ବ୍ୟକ୍ତିଗତ ଅଧିକାରର ଉଲ୍ଲଘଂନ ବୋଲି କୋର୍ଟଙ୍କୁ ଜଣାଇଛନ୍ତି ।

ଯଦିଓ ସରକାର କୋର୍ଟରେ ବାରମ୍ବାର ସ୍ପଷ୍ଟ କରିଛନ୍ତି ଯେ ଆଧାର କାର୍ଡ କ୍ଷେତ୍ରରେ ପଛକୁ ଫେରିବାର ପ୍ରଶ୍ନ ଉଠୁନାହିଁ । ବ୍ୟକ୍ତିଗତ ଗୋପନୀୟତା ମୌଳିକ ଅଧିକାର ନୁହେଁ ବୋଲି ମଧ୍ୟ କେନ୍ଦ୍ର ସରକାର କୋର୍ଟଙ୍କୁ ଜଣାଇଛନ୍ତି । ଲୋକମାନଙ୍କର ଗୋପନୀୟତାର ଅଧିକାର ରହିଛି କିନ୍ତୁ ତାହା ମୌଳିକ ଅଧିକାର ନୁହେଁ ବୋଲି ସରକାର କହିଛନ୍ତି ।