ଗତକାଲି ଶୁଣାଣି କରିଥିଲେ, ଆଜି ଆସିଲା ବଦଳି ଅର୍ଡର । ଦିଲ୍ଲୀ ହିଂସା ମାମଲାର ଶୁଣାଣି କରିଥିବା ବିଚାରପତିଙ୍କ ପଞ୍ଜାବ-ହରିୟାଣା ହାଇକୋର୍ଟକୁ ବଦଳି

621

କନକ ବ୍ୟୁରୋ : ଦିଲ୍ଲୀ ହିଂସା ମାମଲାର ଶୁଣାଣି କରୁଥିବା ବିଚାରପତିଙ୍କୁ ପଂଜାବ-ହରିୟାଣା ହାଇକୋର୍ଟକୁ ବଦଳି । ଗତକାଲି ଦିଲ୍ଲୀ ହିଂସାକାଣ୍ଡ ମାମଲାର ଶୁଣାଣି କରିଥିଲେ ଜଷ୍ଟିସ ଏସ ମୁରଲୀଧର । ଏହି ସମୟରେ କେନ୍ଦ୍ର ଓ ଦିଲ୍ଲୀ ସରକାରଙ୍କୁ କଟୁ ସମାଲୋଚନା କରିବା ସହ ଦିଲ୍ଲୀ ପୁଲିସର ଭୂମିକାକୁ ଭର୍ତ୍ସନା କରିଥିଲେ ମୁରଲୀଧର ।

ଶୁଣାଣି ବେଳେ ଏସ ମୁରଲୀଧର କହିଥିଲେ, ଦିଲ୍ଲୀରେ ଦ୍ୱିତୀୟ ୧୯୮୪ ହେବାକୁ ଦିଆଯିବ ନାହିଁ । ବୁଧବାର ମାମଲାର ଶୁଣାଣିକୁ ଗୁରୁବାର ଯାଏଁ ସ୍ଥଗିତ ରଖିବା ସହ ମୁଖ୍ୟ ବିଚାରପତିଙ୍କୁ ଖଣ୍ଡପୀଠକୁ ପଠାଇ ଦେଇଥିଲେ ଦିଲ୍ଲୀ ହିଂସା ମାମଲା । ରାଷ୍ଟ୍ରପତି ଭବନରୁ ଜଷ୍ଟିସ ଏସ ମୁରଲୀଧରଙ୍କ ବଦଳି ଆଦେଶ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ରାଷ୍ଟ୍ରପତି ରାମନାଥ କୋବିନ୍ଦ ଚିଫ୍ ଜଷ୍ଟିସ ଏସଏ ବୋବଡେଙ୍କ ସହ ବିଚାର ବିମର୍ଶ କରିବା ପରେ ଦିଲ୍ଲୀ ହାଇକୋର୍ଟରୁ ପଂଜାବ-ହରିୟାଣା ହାଇକୋର୍ଟକୁ ମୁରଲୀଧରଙ୍କୁ ବଦଳି କରାଯାଇଛି । ଏଥିସହ ତୁରନ୍ତ କାର୍ଯ୍ୟଭାର ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ସୂଚନା ଅନୁସାରେ ଫେବୃୟାରୀ ୧୨ରେ ସୁପ୍ରିମକୋର୍ଟ କଲେଜିୟମ ବୈଠକରେ ଦିଲ୍ଲୀ ହାଇକୋର୍ଟର ବିଚାରପତି ଏସ ମୁରଲୀଧରଙ୍କ ବଦଳି ପାଇଁ ସୁପାରିଶ କରାଯାଇଥିଲା । ତେବେ ଗତକାଲି ଦିଲ୍ଲୀ ହିଂସାକାଣ୍ଡ ମାମଲାର ଶୁଣାଣି ସମୟରେ କେନ୍ଦ୍ର ସରକାରଙ୍କୁ ସମାଲୋଚନା ସହ ଦିଲ୍ଲୀ ପୁଲିସକୁ ଭର୍ତ୍ସନା କରିବାରୁ ବଦଳି କରାଯାଇଥିବା ଚର୍ଚ୍ଚା ହେଉଛି ।

ଏସବୁ ଭିତରେ ନାଗରିକତା ସଂଶୋଧନ ଆଇନକୁ ନେଇ ଦିଲ୍ଲୀରେ ସୃଷ୍ଟି ହୋଇଥିବା ହିଂସାକାଣ୍ଡ ଥମିବାର ନାଁ ନେଉନିା ହିଂସାରେ ଏଯାଏଁ ୨୭ ଜଣଙ୍କ ଜୀବନ ଗଲାଣି । ୨୫୦ଜଣରୁ ଅଧିକ ଆହତ ହୋଇଛନ୍ତି । ଉତରପୂର୍ବ ଦିଲ୍ଲୀର ଜାଫରାବାଦ, ଚାନ୍ଦବାଗ, ଭଜନପୁରା, ଯମୁନାବିହାର ଓ ମୌଜପୁରରେ ପୁଲିସ ଫ୍ଲାଗ ମାର୍ଚ୍ଚ କରିଛି । ଘଟଣାରେ ଏଯାଏଁ ୧୦୬ ଜଣ ଦଙ୍ଗାକାରୀଙ୍କୁ ଗିରଫ କରାଯାଇଛି । ପୁଣି ଥରେ ହିଂସାଗ୍ରସ୍ତ ଅଂଚଳ ପରିଦର୍ଶନରେ ଯିବା ସହ ସ୍ୱରାଷ୍ଟ୍ର ମନ୍ତ୍ରାଳୟ ସହ ସମନ୍ୱୟ ରକ୍ଷା କରିବାକୁ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍ ଡୋଭାଲଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ ।

ଇତି ମଧ୍ୟରେ ଉତରପୂର୍ବ ଦିଲ୍ଲୀରେ ଦ୍ୱାଦଶ ଶ୍ରେଣୀ ପରୀକ୍ଷାକୁ ସିବିଏସଇ ସ୍ଥଗିତ ରଖିଛି । ଅନ୍ୟପଟେ ଆମେରିକୀୟ ଦୂତାବାସ ନିଜ ନାଗରିକମାନଙ୍କୁ ଦିଲ୍ଲୀ ଗସ୍ତ ବେଳେ ସତର୍କ ରହିବାକୁ ପରାମର୍ଶ ଦେଇଛି । ବିଶେଷ କରି ହିଂସା ପ୍ରଭାବିତ ଅଂଚଳକୁ ଗସ୍ତ ନକରିବାକୁ ଦୂତାବାସ ପରାମର୍ଶ ଦେଇଥିବା ଜଣାପଡିଛି । ସେପଟେ ସୁପ୍ରିମକୋର୍ଟ ଓ ଦିଲ୍ଲୀ ହାଇକୋର୍ଟ ଏପରି ସ୍ଥିତି ପାଇଁ ଉଭୟ କେନ୍ଦ୍ର ଓ ଦିଲ୍ଲୀ ସରକାରଙ୍କୁ ଭର୍ତ୍ସନା କରିଛନ୍ତି । ସିଧାସଳଖ ଦିଲ୍ଲୀ ପୋଲିସର ଭୂମିକାକୁ ନେଇ ପ୍ରଶ୍ନ କରିଛନ୍ତି ସୁପ୍ରିମକୋର୍ଟ ।

ହିଂସାକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବା ସହ ତୁରନ୍ତ ଗିରଫ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏଥିପାଇଁ ପୁଲିସକୁ ୨୪ ଘଂଟାର ସମୟ ଦିଆଯାଇଛି । ଆଜି ଏହି ମାମଲାର ଶୁଣାଣି କରିବେ ମୁଖ୍ୟ ବିଚାରପତି । ଆଜି ଦିଲ୍ଲୀ ପୁଲିସ ହାଇକୋର୍ଟରେ ଜବାବ ଦେବ । ସେପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘଟଣାରେ ଗଭୀର ଉଦବେଗ ପ୍ରକାଶ କରିବା ସହ ଶାନ୍ତି ବଜାୟ ରଖିବାକୁ ଅନୁରୋଧ କରିଛନ୍ତି । ସେପଟେ ଦିଲ୍ଲୀରେ ହିଂସା ନିୟନ୍ତ୍ରଣ ପାଇଁ ସେନା ମୁତୟନ କରିବାକୁ ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ।