ୱାଟରପ୍ରୁଫ୍ ମୋବାଇଲକୁ ପାଣିରେ ବୁଡାଇଲେ ଜଜ୍ ! ଖରାପ ହୋଇଗଲା ଫୋନ୍, କମ୍ପାନୀ ବିରୋଧରେ ଲାଗିଲା ଜୋରିମାନା ।

44

ଦିନକୁ ଦିନ ବଢିଚାଲିଛି ମୋବାଇଲ ଫୋନର ବ୍ୟବହାର । ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତେ ମୋବାଇଲ ଫୋନ ବ୍ୟବହାର କରୁଛନ୍ତି । ଏବଂ ଏହାର ଚାହିଦା ଦେଖି ବିଭିନ୍ନ ମୋବାଇଲ୍ କମ୍ପାନୀ ବିଭିନ୍ନ ପ୍ରକାରର ଫିଚର୍ସ ସହ ନୂଆ ନୂଆ ମଡେଲର ମୋବାଇଲ ସେଟ୍ ମଧ୍ୟ ବଜାରକୁ ଛାଡୁଛନ୍ତି । ତେବେ ପ୍ରକୃତରେ କମ୍ପାନୀ ପକ୍ଷରୁ ମୋବାଇଲକୁ ନେଇ କରାଯାଉଥିବା ପ୍ରଚାର କେତେ ସତ ସେନେଇ ବେଳେବେଳେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥାଏ । ତେବେ କୋର୍ଟ ରୁମରେ ଧରାପଡିଛି ଏକ ମୋବାଇଲ କମ୍ପାନୀର ମିଛ ।

ଏକ ମୋବାଇଲ କମ୍ପାନୀ ହରିୟାଣାରେ ନିଜ ହ୍ୟାଣ୍ଡସେଟକୁ ୱାଟରପ୍ରୁଫ୍ ବୋଲି କହିଥିଲେ । କିନ୍ତୁ ସତ ସେତେବେଳେ ସାମ୍ନାକୁ ଆସିଥିଲା, ଯେତେବେଳେ ବିଚାରପତି ଏକ ପାଣି ପାତ୍ରରେ ପାଣି ଫୁଲ୍ କରି ମୋବାଇଲ ଫୋନକୁ ସେଥିରେ ବୁଡାଇ ଚେକ୍ କରିଥିଲେ । ପ୍ରକୃତ ଘଟଣା ହେଉଛି, ସାହିଲ୍ ଜସୱାଲ ନାମକ ଜଣେ ବ୍ୟକ୍ତି ୨୦୧୭ ମସିହା ମେ ମାସ ୨ ତାରିଖରେ ଝାଜରର ଏକ ଦୋକାନରୁ ୫୬ ହଜାର ୯୦୦ ଟଙ୍କାରେ ଏକ ମୋବାଇଲ କିଣିଥିଲେ । କିଣିଥିବା ବ୍ୟକ୍ତି ଜଣକ ଅଭିଯୋଗ କରିଥିଲେ ଯେ, ମୋବାଇଲ ଫୋନଟି ୱାଟରପ୍ରୁଫ୍ ବୋଲି କମ୍ପାନୀ ମିଛ ପ୍ରଚାର କରୁଛି । ତେବେ କମ୍ପାନୀ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନହେବାରୁ ଆଡଭୋକେଟ୍ ରଜନୀଶ, ସମ୍ପୃକ୍ତ ଉପଭୋକ୍ତାଙ୍କ ପକ୍ଷରୁ କମ୍ପାନୀ ବିରୋଧରେ ଏକ ଯାଚିକା ଦାୟର କରିଥିଲେ ।

ତେବେ କୋର୍ଟରେ ଏହି ମାମଲା ଚାଲିଥିବା ବେଳେ ବିଚାରପତି ମୋବାଇଲ ଫୋନଟିକୁ ପାଣିରେ ବୁଡାଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହା ପରେ ପାଣି ଫଲ ଥିବା ଜଳପାତ୍ର କୋର୍ଟ ପରିସରକୁ ଅଣାଯାଇଥିଲା । ଏବଂ ମୋବାଇଲକୁ ପାଣି ଭିତରେ ବୁଡାଇବା ଫଳରେ ମୋବାଇଲ ଫୋନଟି ଖରାପ ହୋଇଯାଇଥିଲା । ଏହା ପରେ ଅଭିଯୋଗ କରିଥିବା ବ୍ୟକ୍ତିଙ୍କୁ ସେହି ଫୋନକୁ ସଜାଡି କିମ୍ବା ଏକ ନୂଆ ମୋବାଇଲ ସେଟ୍ କିମ୍ବା ଏହାର ମୂଲ୍ୟ ୫୬,୯୦୦ ଟଙ୍କା ଦେବା ପାଇଁ ସମ୍ପୃକ୍ତ ମୋବାଇଲ କମ୍ପାନୀକୁ ବିଚାରପତି ଆଦେଶ ଦେଇଥିଲେ । କେବଳ ଏତିକି ଖର୍ଚ୍ଚ ବାବଦରେ ସାଢେ ସାତ ହଜାର ଟଙ୍କା ଅଭିଯୋଗ କରିଥିବା ବ୍ୟକ୍ତିଙ୍କୁ ଦେବା ପାଇଁ ମୋବାଇଲ କମ୍ପାନୀକୁ ବିଚାରପତି ଆଦେଶ ଦେଇଥିଲେ ।