ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ହେଲେ ଜେପି ନଡ୍ଡା । ଆସନ୍ତା ଡିସେମ୍ବର ଯାଏଁ ତୁଲାଇବେ ଦାୟିତ୍ୱ ।

292

କନକ ବ୍ୟୁରୋ :  ନଡ୍ଡାଙ୍କୁ ମିଳିଲା ନୂଆ ଦାୟିତ୍ୱ । ବିଜେପିର ନୂଆ କାର୍ଯ୍ୟକାରୀ ସଭାପତି ହେଲେ ଜଗତ ପ୍ରକାଶ ନଡ୍ଡା । ବିଜେପିର ସଂସଦୀୟ ଦଳ ବୈଠକରେ ବିଧିବଦ୍ଧ ଭାବେ କାର୍ଯ୍ୟକାରୀ ସଭାପତି ଭାବେ ନଡ୍ଡାଙ୍କ ନାଁରେ ମୋହର ମରାଯାଇଛି । ଆସନ୍ତା ଡିସେମ୍ବର ମାସ ଯାଏଁ ଏହି ପଦରେ ରହିବେ ନଡ୍ଡା । ଆଉ ଜେପିଙ୍କ ଅଧ୍ୟକ୍ଷତାରେ ହେବ ବିଜେପିର ସାଂଗଠନିକ ନିର୍ବାଚନ ।

ମୋଦି ସରକାରରେ ଗୃହମନ୍ତ୍ରୀ ଭାବେ ଅମିତ୍ ଶାହା ଦାୟିତ୍ୱ ନେବା ପରେ ବିଜେପିର ନୂଆ ସଭାପତି କିଏ ହେବ ତାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା । ଆଉ ଏହି ରେସରେ ସବୁଠୁ ଆଗରେ ଥିଲେ ଜେପି ନଡ୍ଡା ।  ତେବେ ଅମିତ ଶାହା ଡିସେମ୍ବର ଯାଏଁ ସଭାପତି ପଦରେ ରହିବାକୁ ସଂସଦୀୟ ଦଳ ବୈଠକରେ ନିଷ୍ପତି ନିଆଯାଇଥିଲା । ଆଉ ଏଭଳି ସମୟରେ ଜେପି ନଡ୍ଡା କାର୍ଯ୍ୟକାରୀ ସଭାପତି ହେବା ପରେ ଶାହାଙ୍କ ପରେ ତାଙ୍କୁ ହିଁ ଦଳର ମଙ୍ଗ ଧରିବାକୁ ପଡିବ ଏଭଳି ଏକ ସଂକେତ ମିଳିଛି ।

ନଡ୍ଡାଙ୍କୁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ କରିବାକୁ ପୂର୍ବରୁ  ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଥିଲା ଦଳ । ଯେଉଁଥିପାଇଁ ତାଙ୍କୁ ମୋଦି ସରକାରରେ ମନ୍ତ୍ରୀମଣ୍ଡଳରୁ ଦୂରେଇ ରଖାଯାଇଥିଲା । ନଡ୍ଡାଙ୍କୁ ନୂଆ ଦାୟିତ୍ୱ ମିଳିବା ପୂର୍ବରୁ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଥିଲେ, ଗତ ୫ ବର୍ଷ ଧରି ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ତୁଲାଇ ଆସିଛନ୍ତି ଅମିତ ଶାହା । ଆଉ ଏହି ସମୟରେ ଦଳର ସଭାପତି ଭାବେ ବେଶ ସଫଳତାର ସହ ଦାୟିତ୍ୱ ତୁଲାଇଛନ୍ତି ଅମିତ ଶାହା । ତେବେ ଗୃହମନ୍ତ୍ରୀ ଭାବେ ଦାୟିତ୍ୱ ନେବା ପରେ ଦଳର ସଭାପତି ଭାବେ ଅନ୍ୟ କାହାକୁ ବାଛିବାକୁ କହିଥିଲେ ଶାହା ।