ପୁରଣ ହେଲା ବଲାଙ୍ଗୀର ସ୍ୱପ୍ନ । ଭୀମଭୋଇ ମେଡିକାଲ କଲେଜର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ । ଆୟୁଷ୍ମାନ ଯୋଜନାରେ ସାମିଲ ହେବାକୁ ନବୀନଙ୍କୁ କେନ୍ଦ୍ରମନ୍ତ୍ରୀଙ୍କ ଆହ୍ୱାନ

33

କନକ ବ୍ୟୁରୋ: ପୁରଣ ହେଲା ବଲାଙ୍ଗୀର ସ୍ୱପ୍ନ । ପ୍ରାୟ ଦୁଇ ଦଶନ୍ଧୀ ଧରି ଯେଉଁ ମେଡ଼ିକାଲ କଲେଜ ଶୁଭାରମ୍ଭକୁ ଚାହିଁ ରହିଥିଲେ, ଆଜି ତାହା ବାସ୍ତବ ରୁପ ନେଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ର ସ୍ୱାସ୍ଥ୍୍ୟମନ୍ତ୍ରୀ ଜେ.ପି ନଡ୍ଡା ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜର ଶୁଭାରମ୍ଭ କରିଛନ୍ତି । ଆଉ ଏହି ଶୁଭାରମ୍ଭ କାର୍ଯ୍ୟକ୍ରମରେ ଆୟୁଷ୍ମାନ ଯୋଜନା କଥା କହି, ରାଜ୍ୟ ସରକାରଙ୍କୁ ଅଡୁଆରେ ପକାଇବାକୁ ଉଦ୍ୟମ କରିବାକୁ ପଛାଇ ନାହାଁନ୍ତି କେନ୍ଦ୍ରମନ୍ତ୍ରୀ । ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଜେପି ନଡ୍ଡା କହିଛନ୍ତି-ଆୟୁଷ୍ମାନ ଯୋଜନାରେ କେନ୍ଦ୍ର ସହ ହାତ ମିଶାଉ ଓଡିଶା । ଜବାବରେ ବିଜେଡି ପକ୍ଷରୁ କୁହାଯାଇଛି କେନ୍ଦ୍ରୀୟ ଯୋଜନାରେ ଓଡିଶା ସାମିଲ ହେଲେ ରାଜ୍ୟର ୯ ଲକ୍ଷ ଲୋକ ଏହି ସ୍ୱାସ୍ଥ୍ୟ ସେବା ଯୋଜନାରୁ ବଂଚିତ ହେବେ ।

ସେପଟେ ଆୟୁଷ୍ମାନ ଭାରତ ଯୋଜନାରେ ଓଡ଼ିଶା ସାମିଲ ହେବାକୁ ପୁଣି ଥରେ ଯୁକ୍ତି ବାଢିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ । ଅବଶ୍ୟ ଏ ନେଇ ପୂର୍ବରୁ ମଧ୍ୟ ବିଭିନ୍ନ ସଭାରେ ସେ କ୍ଷୋଭ ପ୍ରକାଶ କରିଛନ୍ତି । ମାତ୍ର ନବୀନଙ୍କ ଆଗରେ ଆୟୁଷ୍ମାନ ଭାରତ ଯୋଜନାରେ ଓଡ଼ିଶା ଯୋଗ ଦେବାକୁ ପ୍ରଥମ ଥର ଆହ୍ୱାନ ଦେଇଥିଲେ ଜେପି ନଡ୍ଡା । ଏହା ଫଳରେ ଦେଶର ବଡ଼ ବଡ଼ ହସପିଟାଲରେ ରାଜ୍ୟବାସୀ ମାଗଣାରେ ଚିକିତ୍ସା ସୁବିଧା ପାଇ ପାରିବେ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ।

ମୋଦି କେୟାର ନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଯୁକ୍ତି ବାଢୁଥିବା ବେଳେ ପୁଣି ଥରେ ପୁରୁଣା ଦାବିକୁ ଦୋହରାଇଛନ୍ତି ବିଜେଡି ମୁଖପାତ୍ର । ସସ୍ମିତ ପାତ୍ର କହିଛନ୍ତି ଆୟୁଷ୍ମାନ ଭାରତ ଯୋଜନାରେ ଓଡ଼ିଶା ସାମିଲ ହୋଇଥିଲେ ବାଦ ପଡିଥାନ୍ତେ ରାଜ୍ୟର ୯ ଲକ୍ଷ ଗରିବ ଲୋକ । ଓଡ଼ିଶାର ଦାବିକୁ ନୀତି ଆୟୋଗ ପ୍ରତ୍ୟାଖ୍ୟାନ କରିବାରୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଆରମ୍ଭ ହୋଇଛି ବୋଲି କହିଛି ବିଜେଡି ।

ଆୟୁଷ୍ମାନ ଭାରତ ଓ ବିଜୁ ସ୍ୱାସ୍ଥ୍ୟକଲ୍ୟାଣ ଯୋଜନା ନେଇ କେନ୍ଦ୍ର – ରାଜ୍ୟ ମଧ୍ୟରେ ଛକାପଂଝା ଚାଲି ରହିଥିବା ବେଳେ ନୂଆ ମେଡିକାଲ କଲେଜ ଯୋଗୁଁ ସମଗ୍ର ବଲାଙ୍ଗୀର ଓ ଏହାର ପଡୋଶୀ ଜିଲ୍ଳାରେ ଉତ୍ସାହ ଦେଖିବାକୁ ମିଳିଛି । ୧୯୯୯ ମସିହାରୁ ପଶ୍ଚିମ ଓଡିଶା ବିକାଶ ପରିଷଦ ପକ୍ଷରୁ ଏହି ଦାବି ହୋଇ ଆସୁଥିଲା । ଭୀମଭୋଇଙ୍କ ନାଁରେ ମେଡିକାଲକୁ ନାମିତ କରାଯାଇଥିବାରୁ ଲୋକଙ୍କ ମଧ୍ୟରେ ଖୁସି ଆହୁରି ବଢ଼ିଯାଇଛି । ୩୦୦ ଶଯ୍ୟା ବିଶିଷ୍ଟ ଏହି ମେଡିକାଲ କଲେଜରେ ଆଇସିୟୁ, ଏସଏନସିୟୁ ଓ ଓପିଡି ଭଳି ଅତ୍ୟାଧୁନିକ ଚିକିତ୍ସା ସୁବିଧା ମିଳିବ । ଚଳିତ ବର୍ଷରୁ ଏମବିବିଏସ୍ ପାଠ୍ୟକ୍ରମରେ ପାଠପଢ଼ା ଆରମ୍ଭ ହେବ । ୧୦୦ ଜଣ ଛାତ୍ରଛାତ୍ରୀ ଏମବିବିଏସ୍ ପାଠ୍ୟକ୍ରମ ପାଇଁ ନାମ ଲେଖାଇଛନ୍ତି ।