ଭାରତର ପ୍ରଥମ କିନ୍ନର ବିଚାରପତି ! ଜୟନ୍ତୋରୁ ଜୟୀତା ପର୍ଯ୍ୟନ୍ତ ସଂଘର୍ଷର କାହାଣୀ . . .

94

ସୃଷ୍ଟିରେ ଅନେକ ସୌନ୍ଦର୍ଯ୍ୟ ଭରି ରହିଛି । ସେଥିମଧ୍ୟରୁ ମଣିଷ ହେଉଛି ସୃଷ୍ଟିକର୍ତ୍ତାଙ୍କ ସର୍ବୋତ୍ତମ କୃତ୍ତି । ଆଉ କିନ୍ନର ମାନେ ମଧ୍ୟ ସ୍ରଷ୍ଟାଙ୍କ ଏହି ସୃଷ୍ଟିର ଏକ ଅଂଶ । କିନ୍ତୁ ସମାଜ କିନ୍ନର ସଂପ୍ରଦାୟକୁ ଏକ ଭିନ୍ନ ଚକ୍ଷୁରେ ଦେଖେ । ସେମାନେ ବି ମଣିଷ । ସେମାନଙ୍କୁ ବି ଦରକାର ସ୍ନେହ, ପ୍ରମ , ଭଲପାଇବା । କିନ୍ତୁ ସମାଜ ସବୁବେଳ ସେମାନଙ୍କୁ ଲାଂଚନା ଦେଉଛି । ପୁରୁଷ ଏବଂ ନାରୀ । ପରମ୍ପରାଗତ ଭାବରେ ଆମର ମାନସିକତା ଏହି ଦୁଇ ପ୍ରକାର ମଣିଷ ଭିତରେ ସୀମିତ ହୋଇଯାଇଛି । କିନ୍ତୁ ଯେତେବେଳେ ପ୍ରଶ୍ନ ଆସେ ତୃତୀୟ ଲିଙ୍ଗ ଅର୍ଥାତ୍ କିନ୍ନରଙ୍କ କଥା ସେତେବେଳେ ମଣିଷ ସମାଜ ସେମାନଙ୍କଠାରୁ ଆଖି ଫେରାଇ ନେବାର ମାନସିକତା ଦେଖିବାକୁ ମିଳେ । ଏକ ଆଶ୍ଚର୍ଯ୍ୟଜନକ ଚାହାଣୀରେ ସେମାନଙ୍କୁ ସମାଜ ଦେଖେ । ଅନ୍ୟମାନଙ୍କୁ ଆଶୀର୍ବାଦ ଦେଉଥିବା ଏହି ତୃତୀୟ ଲିଙ୍ଗଧାରୀ ମଣିଷମାନେ କିନ୍ତୁ ବିତାଉଛନ୍ତି ଅଭିଶପ୍ତ ଜୀବନ ।

ଆଉ ଯାହାର କାରଣ ଆମମାନଙ୍କ ଦୃଷ୍ଟିଭଙ୍ଗୀ । ଯଦିଓ ବହୁ ତର୍କ, ବିତର୍କ, ବାଦ ଓ ବିବାଦ ପରେ ଆମ ଆଇନ୍ ଏହି ବର୍ଗକୁ ସ୍ୱୀକୃତି ଦେଇସାରିଛି ତଥାପି ଆମମାନଙ୍କ ମାନସିକ ସ୍ତରରେ କୌଣସି ପରିବର୍ତ୍ତନ ହୋଇନାହିଁ । ତେବେ ଆମ ସମସ୍ତଙ୍କ ବିଚାରଧାରାରେ ପରିବର୍ତ୍ତନ ଯୋଗୁଁ ସେମାନେ ନିଜକୁ କେବେ ଅବହେଳିତ ଭାବିବେ ନାହିଁ । ଆଜିର ସମୟରେ କିନ୍ନରମାନେ ପୁଲିସ୍ ଏବଂ ଅଧ୍ୟାପକ ଭଳି ବିଭିନ୍ନ କ୍ଷେତ୍ରରେ ସଫଳତା ହାସଲ କରିଛନ୍ତି । ତେବେ ଆଜି ଆସନ୍ତୁ ଏମିତି ଜଣେ କିନ୍ନରଙ୍କ ବିଷୟରେ ,ଯିଏ ତାଙ୍କ ସମୁଦାୟ ପାଇଁ ପ୍ରେରଣା ସୃଷ୍ଟି କରିଛନ୍ତି ।

ମାତ୍ର ୩ ବର୍ଷ ବୟସରୁ ଜୟନ୍ତୋ ଝିଅମାନଙ୍କ ଖେଳ ଖେଳିବା ପାଇଁ ଭଲ ପାଉଥିଲେ । ଛୋଟ ପିଲା ବଡ଼ ହେଲେ ଧୀରେ ଧୀରେ ସୁଧୁରଯିବ ବୋଲି ତାଙ୍କର ମା’ ବାପା ଜୟନ୍ତୋର ଏପରି ବ୍ୟବହାରକୁ ଅଣଦେଖା କରୁଥିଲେ । ତାଙ୍କୁ ଲାଗୁଥିଲା ସମୟ କ୍ରମେ ଧୀରେ ଧୀରେ ଜୟନ୍ତୋ କ୍ରିକେଟ କିମ୍ବା ଫୁଟବଲ ପସନ୍ଦ କରିବାରେ ଲାଗିବ । ତାଙ୍କର ମା’ ପିଲାଦିନେ ତାଙ୍କୁ ମେକ୍ ଅପ୍ ଲଗାଇଥିବାରୁ ଗାଳି କରିଥିଲେ । ସ୍କୁଲରେ ପିଲାମାନେ ତାଙ୍କୁ ଚିଡ଼ାଉଥିଲେ ଓ ସେଥିପାଇଁ ତାଙ୍କୁ ସ୍କୁଲ ଛାଡ଼ିବା ପାଇଁ ପଡ଼ିଲା । ୨୦୦୯ରେ ବାଧ୍ୟ ହୋଇ ସେ ତାଙ୍କ ଘର ଛାଡ଼ି ଦେଇଥିଲେ । ଘର ଛାଡ଼ିବା ପରେ ତାଙ୍କୁ ଭିକ ମାଗିବାପାଇଁ ପଡ଼ିଥିଲା । ଏପରିକି ରାସ୍ତାରେ ମଧ୍ୟ ତାଙ୍କୁ ଶୋଇବା ପାଇଁ ପଡ଼ୁଥିଲା ।

ଆଠ ବର୍ଷ ପରେ ଆଜି ସେ ଜୟନ୍ତୋରୁ ଜୟୀତା ହୋଇଛନ୍ତି ।  ସେ ଭାରତର ପ୍ରଥମ କିନ୍ନର ଜଜ୍ । ସେ ତାଙ୍କ ସମୁଦାୟ ପାଇଁ ଏକ ପ୍ରେରଣା ସାଜିଛନ୍ତି । ଜୟୀତା କହିଛନ୍ତି ଯେତେବେଳେ ମୁଁ ନିଜକୁ ଭିତରୁ ଜଣେ ମହିଳା ଅନୁଭବ କଲି, ସେତେବଳେ ଘର ଛାଡ଼ିବାର ନିଷ୍ପତ୍ତି ନେଇଥିଲି । ମା-ବାପାଙ୍କୁ ବଦନାମୀରୁ ବଞ୍ଚାଇବା ପାଇଁ ସେ ଏପରି ପଦକ୍ଷେପ ନେଇଥିଲେ । ସେ ତାଙ୍କ ସମୁଦାୟ ପାଇଁ କିଛି କରିବା ପାଇଁ ଚାହୁଁଥିଲେ । ଏହି ଆଶାରେ ସେ ସିଲିଗୁଡ଼ି ଚାଲି ଆସିଥିଲେ । ଜୟୀତା ଦିନାଜପୁର ଜିଲ୍ଲାରେ ଏକ ଏନଜିଓ ଆରମ୍ଭ କରିଥିଲେ । ସେଠାରେ ଇସଲାମପୁରର ଡ଼େପୁଟି କଲେକ୍ଟର ଥାଣ୍ଡୁୁକ୍ ସେରପା ସହ ତାଙ୍କର ଦେଖା ହୋଇଥିଲା । ସେ ଜୟୀତାଙ୍କ ପାଇଁ ପ୍ରେରଣା ସାଜିଥିଲେ, ଜୟୀତା ଆଜି ଯାହା ବି ହୋଇଛନ୍ତି କେବଳ ତାଙ୍କରି ପାଇଁ  ବୋଲି ପ୍ରକାଶ କରିଛନ୍ତି ।

ଚଳିତ ବର୍ଷ ୮ ଜୁଲାଇରେ ଜୟୀତା ଲୋକ ଅଦାଲତରେ ବିଚାରପତି ରୂପେ ନିଯୁକ୍ତ ହୋଇଛନ୍ତି । ଏଥିପାଇଁ ତାଙ୍କ ନାମକୁ ଅତିରିକ୍ତ ଜିଲ୍ଲା ବିଚାରପତି ସୁବ୍ରତା ପାଲୋ ସୁପାରିସ କରିଥିଲେ । ଲୋକ ଅଦାଲତରେ ଜଣେ ବରିଷ୍ଠ ବିଚାରପତି, ଜେଣ ଓକିଲ ଆଉ ଜଣେ ସମାଜସେବୀ ସାମିଲ ହୁଅନ୍ତି । ଏହି ପଦରେ ନିଯୁକ୍ତ ହୋଇ ପରେ ସେ ଗର୍ବ ଅନୁଭବ କରୁଛନ୍ତି ବୋଲି କହିଛନ୍ତି ଜୟୀତା । ଜୟୀତା ଏବେ ବି ମା’ବାପାଙ୍କୁ ବହୁତ ମନେ ପକାନ୍ତି । ସେ ଚାହାନ୍ତି ତାଙ୍କ ମା’ ବାପା ତାଙ୍କୁୁ ଆଶିର୍ବାଦ ଦିଅନ୍ତୁ । କିନ୍ନରଙ୍କୁ ସମ୍ମାନ କରିବା ପାଇଁ ଅପିଲ କରି ସେ କହିଛନ୍ତି ମୁଁ ଏକ ରିୟାଲିଟି ସୋରେ କିଛି କହିଥିଲେ, ଯାହା ତାଙ୍କ ବାପାମା’ଙ୍କୁ ପସନ୍ଦ ଆସି ନଥିଲା । ଏଥିପାଇଁ ମା’ବାପାଙ୍କ ସହ ତାଙ୍କ ସମ୍ପର୍କରେ ଦୂରତ୍ୱ ବଢ଼ିଯାଇଛି । ଜୟୀତା ଜଜ୍ ହେବା ପରେ ମଧ୍ୟ ସନ୍ତୁଷ୍ଟ ନାହାନ୍ତି । ସେ କହନ୍ତି ସମାନ ଅଧିକାର ପାଇଁ ତାଙ୍କ ଲଢ଼େଇ ଏବେ ଆରମ୍ଭ ହୋଇଛି । ଆଗକୁ ଜାରି ରହିବ ତାଙ୍କ ସଂଘର୍ଷ ।