ସୁପରଷ୍ଟାରରୁ ସନ୍ନ୍ୟାସୀ ! ଜୀବନ ଯାତ୍ରାରେ ଶ୍ରୀରାମ୍ ପଣ୍ଡା

244

କେବେ ସେ ଥିଲେ ‘ପରଦେଶୀ ଚଢେଇ’ ତ ଆଉ କେବେ ‘ଯାଯାବର’ । ତେଣୁ ‘ସମୟ’ ସହ ସେ ଏହି ‘ମିଛ ମାୟା ସଂସାର’କୁ ପଛ କରି ଚାଲିଗଲେ । ସେ ଆଉ କେହି ନୁହଁନ୍ତି ସେ ହେଉଛନ୍ତି ଓଲିଉଡ ଜଗତର ବିଗତ ଦିନର ସୁପରଷ୍ଟାର୍ ଶ୍ରୀରାମ୍ ପଣ୍ଡା । ଯିଏ ଏବେ ପାଲଟିଯାଇଛନ୍ତି ସ୍ୱାମୀ ନିତ୍ୟ ଚୈତନ୍ୟ । ତେବେ ସୁପରଷ୍ଟାରରୁ କାହିଁକି ସେ ପାଲଟିଲେ ସନ୍ନ୍ୟାସୀ ତାହା ଏବେ ବି ଅନେକଙ୍କ ପାଇଁ ପ୍ରଶ୍ନବାଚୀ ।

୧୯୭୨ରେ ଆସିଥିବା ସିନେମା ଧରିତ୍ରୀରୁ ଶ୍ରୀରାମ୍ ନିଜ କ୍ୟାରିୟର୍ ଆରମ୍ଭ କରିଥିଲେ । ନିଜର ପ୍ରଥମ ସିନେମାରୁ ହିଁ ସେ ଦର୍ଶକଙ୍କ ହୃଦୟ ଛୁଇଁ ପାରିଥିଲେ । ଏହା ପରେ ‘ମନ ଆକାଶ’, ‘ସିନ୍ଦୁର ବିନ୍ଦୁ’, ‘ସୁନା ସଂସାର’ ‘ମାନିନୀ’ ଏବଂ ‘ବଧୂ ନିରୁପମା’ ଭଳି ଅନେକ ହିଟ୍ ସିନେମା ଭେଟି ଦେଇଛନ୍ତି । ତାଙ୍କର ଏହି ଯାତ୍ରା ପ୍ରାୟ ୧୯୮୦ ଯାଏର୍ ରହିଥିଲା । ତେବେ ୧୯୯୦ ବେଳକୁ ସେ ସଫଳତାର ଶୀର୍ଷରେ ଥିବା ସମୟରେ ହଠାତ୍ ସିନେମାରୁ ନେଇଥିଲେ ବିଦାୟ ।

ଶୁଣିବାକୁ ମିଳିଥିଲା ସିନେମା ‘କୁରୁକ୍ଷେତ୍ର’ ପରେ ହିଁ ଶ୍ରୀରାମ୍ ଭାଙ୍ଗି ପଡିଥିଲେ । ଏହି ସିନେମାର ଉଭୟ ନିର୍ଦେଶନା ଏବଂ ପ୍ରଯୋଜନା ଦାୟିତ୍ୱ ତୁଲାଇଥିଲେ ନିଜେ ଶ୍ରୀରାମ୍ ପଣ୍ଡା । ତେବେ ସିନେମାଟି ଅନେକ ବିପର୍ଯ୍ୟୟର ସମ୍ମୁଖୀନ ଯୋଗୁଁ ଶ୍ରୀରାମ୍ ଆର୍ଥିକ ସମସ୍ୟା ଦେଇ ଗତି କରୁଥିଲେ । ତେବେ ଶ୍ରୀରାମଙ୍କ କହିବା ଅନୁଯାୟୀ ଏହି ସିନେମା ସମୟରେ ସେ ଚକ୍ରାନ୍ତର ଶିକାର ହୋଇଥିଲେ ।

ତେବେ ପରିସ୍ଥିତି ହେଉ ବା ପରିବର୍ତ୍ତନ । ଏଥିରୁ ମୁକୁଳିବା ପାଇଁ ଚାହୁଁଥିବା ଶ୍ରୀରାମଙ୍କର ୧୯୯୦ରେ ଦେଖା ହୋଇଥିଲା ସ୍ୱାମୀ ନିରଞ୍ଜନାନନ୍ଦଙ୍କ ସହ । ଯାହାଙ୍କୁ ସେ ନିଜର ଆଧ୍ୟାତ୍ମିକ ଗୁରୁ ଭାବରେ ଗ୍ରହଣ କରି ସବୁଦିିନ ପାଇଁ ମୋହ ମାୟା ସଂସାରଠାରୁ ଦୁରେଇ ଯାଇଥିଲେ । ଆଉ ପଛରେ ଛାଡି ଯାଇଥିଲେ ନିଜ ଘର ପରିବାର ଏବଂ ଲକ୍ଷ ଲକ୍ଷ ଦର୍ଶକ । ଏବେ ଶ୍ରୀରାମ୍ ସ୍ୱାମୀ ନିତ୍ୟ ଚୈତନ୍ୟ ନାଁରେ ପରିଚିତ । ତେବେ ଶ୍ରୀରାମଙ୍କ ବିଷୟରେ ଅଧିକ ଜାଣନ୍ତୁ ତାଙ୍କ ନିଜ ମୁହଁରୁ ଏହି ସାକ୍ଷାତକାରରେ ।