ଇଡଲି ଦୋକାନରୁ ଇସ୍ରୋକୁ ଯାତ୍ରା । କେବେ ଅର୍ଥାଭାବରୁ ଇଡ଼ଲି ବିକୁଥିଲେ, ଏବେ ଇସ୍ରୋରେ ଚନ୍ଦ୍ରଯାନ-୩ ପାଇଁ ପ୍ରସ୍ତୁତ କରିବେ ନକ୍ସା ।

297

ଇଡଲି ଦୋକାନରୁ ଇସ୍ରୋ । ଛତିଶଗଡ଼ର ଭିଲାଇ ସହରରୁ ପାଖାପାଖି ୧୦କିମି ଦୂରରେ ଥିବା ଚରୋଦାରେ ରାସ୍ତାପାର୍ଶ୍ୱରେ ଏକ ଛୋଟ ଦୋକାନରେ ଇଡଲି ଓ ଚା’ ବିକ୍ରି କରୁଥିବା ଜଣେ ଛାତ୍ର ଇସ୍ରୋରେ ପହଞ୍ଚି ଯାଇଛନ୍ତି। ଏହି ଛାତ୍ର ଜଣଙ୍କର ନାଁ ହେଉଛି ଭରତ କୁମାର ବୋଲି ଜଣାପଡିଛି ।

ଭରତ କୁମାର ୨୦୨୦ ନଭେମ୍ବରରେ ମହାକାଶକୁ ପଠାଯିବାକୁ ଥିବା ଚନ୍ଦ୍ରଯାନ-୩ ପାଇଁ ନକସା ପ୍ରସ୍ତୁତ କରୁଥିବା ଦଳରେ ସାମିଲ ହୋଇଛନ୍ତି। ଭାରତ କୁମାର ଗରିବ ପରିବାରରେ ଜନ୍ମଗ୍ରହଣ କରିଥିଲେ ହେଁ ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର ତାଙ୍କର ପ୍ରତିଭା, ପରିଶ୍ରମ ଓ ପାଠପଢ଼ାକୁ ଆଧାର କରି ଚୟନ କରିଛି।

୨୩ବର୍ଷୀୟ ଭରତ କୁମାରଙ୍କ ବାପାଙ୍କ ନାମ ଚନ୍ଦ୍ରମେନେଶ୍ୱର ରାଓ। ଚନ୍ଦ୍ରମେନେଶ୍ୱର ଏକ ବ୍ୟାଙ୍କର ସୁରକ୍ଷା କର୍ମଚାରୀ ଭାବେ କାମ କରନ୍ତି। ପରିବାରର ଆର୍ଥିକ ସ୍ଥିତି ଠିକ୍‌ ନଥିବାରୁ ଭାରତ କୁମାରଙ୍କ ମା’ ଘର ପାଖରେ ଏକ ଇଡଲି ଓ ଚା’ର ଦୋକାନ କରିଛନ୍ତି। ଆଉ ଏହି ଇଡଲି ଦୋକାନରୁ ହିଁ ଇସ୍ରୋରେ ପହଞ୍ଚିବାକୁ ସ୍ୱପ୍ନ ଦେଖିଥିଲେ ଭରତ । ଇସ୍ରୋରେ ଚୟନ ହେବା ପୂର୍ବରୁ ଭରତ ପାଠପଢ଼ା ସହିତ ମା’ଙ୍କୁ ଏହି ଦୋକାନରେ ଇଡଲି ଓ ଚା’ ବ୍ୟବସାୟ କରିବାରେ ସାହାଯ୍ୟ କରୁଥିଲେ।

ଘରର ଆର୍ଥିକ ସ୍ଥିତି ଠିକ୍‌ ନ ଥିବା ବେଳେ ପାଠ ପଢିବାକୁ ଅନେକ ସଂଘର୍ଷ କରିଛନ୍ତି ଭରତ । ଏପରିକି ନବମ ଶ୍ରେଣୀ ପର୍ଯ୍ୟନ୍ତ କେନ୍ଦ୍ରୀୟ ବିଦ୍ୟାଳୟରେ ପାଠ ପଢିଥିଲେ ଭରତ । କିନ୍ତୁ ଏହାପରେ ତାଙ୍କ ପାଠପଢାରେ ବଡ଼ ବାଧକ ସାଜିଥିଲା ଅର୍ଥ । ଏପରିକି ସ୍କୁଲରୁ ଟିସି କଟିବା ପର୍ଯ୍ୟନ୍ତ କଥା ମଧ୍ୟ ଯାଇଥିଲା । କେନ୍ଦ୍ରୀୟ ବିଦ୍ୟାଳୟର ଫିସ୍ ଦେଇ ନପାରିବାରୁ ଗାଁ ସରକାରୀ ସ୍କୁଲରେ ପାଠ ପଢିବାକୁ ସ୍ଥିର କରିଥିଲେ ଭରତ । କିନ୍ତୁ ପାଠ ପଢା ପ୍ରତି ଭରତଙ୍କର ପ୍ରବଳ ଇଚ୍ଛାଶକ୍ତି ଦେଖି ଫି ମାଫ୍ କରିଥିଲେ ସ୍କୁଲ କର୍ତ୍ତୃପକ୍ଷ । ଏହାସହ ଭରତଙ୍କୁ ସମସ୍ତ ପ୍ରକାର ପାଠ୍ୟ ପୁସ୍ତକ ମଧ୍ୟ ମାଗଣାରେ ସ୍କୁଲ ପକ୍ଷରୁ ଯୋଗାଇ ଦିଆଯାଇଥିଲା ।

ଏସବୁ ଭିତରେ ଦ୍ୱାଦଶ ଶ୍ରେଣୀରେ ପାଠପଢା ଶେଷ କରିଥିଲେ ଭରତ । ଆଉ ଏହାପରେ ଭରତ ଆଇଆଇଟି ଧାନବାଦରେ ପାଠପଢ଼ିବାକୁ ଇଚ୍ଛା ରଖିଥିଲେ, କିନ୍ତୁ ସେତେବେଳେ ବି ତାଙ୍କ ସାମ୍ନାରେ ଅର୍ଥ ବାଧକ ସାଜିଥିଲା। ଭାରତଙ୍କ ଆର୍ଥିକ ସଙ୍କଟ ବିଷୟରେ ଜାଣିବା ରାୟପୁର ବ୍ୟବସାୟୀ ଅରୁଣ ବାଗ ଓ ଘରୋଇ କମ୍ପାନି ଜିନ୍ଦଲ ତାଙ୍କୁ ସାହାଯ୍ୟ ହାତ ବଢ଼ାଇ ପାଠପଢ଼ା ଖର୍ଚ୍ଚ ଉଠାଇଥିଲେ।

ଆଇଆଇଟି ଧାନବାଦରେ ୭ମ ସେମିଷ୍ଟାର ପୂରା କରୁଥିବା ବେଳେ ଇସ୍ରୋର କ୍ୟାମ୍ପସରେ ଭରତଙ୍କ ଚୟନ ହୋଇଯାଇଥିଲା। ୨୦୧୯ରେ ଭରତ ଇସ୍ରୋରେ ଯୋଗ ଦେଇଥିଲେ। ଏଠାରେ ପ୍ରଶିକ୍ଷଣ ନେବା ପରେ ଚନ୍ଦ୍ରଯାନ-୩ ପାଇଁ ସେ ନକସା ଆଙ୍କିବା ପ୍ରକଳ୍ପ ଉପରେ କାମ କରୁଛନ୍ତି।