ଏଣିକି ସୁପ୍ରିମକୋର୍ଟ ଭିତରକୁ ମୋବାଇଲ ନେଇପାରିବେ ସାମ୍ବାଦିକ ! ଅନୁମତି ପ୍ରଦାନ କଲେ ମୁଖ୍ୟ ବିଚାରପତି ।

27

କୋର୍ଟ ରୁମ୍ ଭିତରକୁ ଏଣିକି ସମସ୍ତ ସାମ୍ବାଦିକମାନେ ମୋବାଇଲ୍ ନେଇପାରିବେ ବୋଲି ସୋମବାର ସୁପ୍ରିମକୋର୍ଟ ପକ୍ଷରୁ ଏକ ସର୍କୁଲାର୍ ଜାରି କରାଯାଇଛି । ଏହି ନିଷ୍ପତ୍ତି ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଦୀପକ ମିଶ୍ର ନେଇଛନ୍ତି । ସର୍କୁଲାରରେ ଉଲ୍ଲେଖ କରାଯାଇଛି ଯେ ‘ସର୍ବୋଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ସମସ୍ତ ଗଣମାଧ୍ୟମ ପ୍ରତିନିଧିଙ୍କୁ କୋର୍ଟ ଭିତରକୁ ଫୋନ୍ ନେଇ ଯାଇପାରିବାର ଅନୁମତି ପ୍ରଦାନ କରି ପ୍ରସନ୍ନତା ବ୍ୟକ୍ତ କରିଛନ୍ତି ।’

ପୂର୍ବରୁ କେବଳ ଓକିଲମାନଙ୍କୁ ହିଁ କୋର୍ଟ ଭିତରକୁ ଫୋନ୍ ନେବା ପାଇଁ ଅନୁମତି ରହିଥିଲା । ସାମ୍ବାଦିକମାନେ ଏ ନେଇ ସ୍ୱର ଉଠାଇବା ପରେ ଗତ ମାସ ସୁପ୍ରିମକୋର୍ଟ କେବଳ କ୍ଷମତା ସଂପନ୍ନ ଗଣମାଧ୍ୟମ ସଂସ୍ଥାର ନାମୀଦାମୀ ସାମ୍ବାଦିକମାନଙ୍କୁ ମୋବାଇଲ୍ ନେବାକୁ ଅନୁମତି ଦେଇଥିଲେ । ଏଣିକି ସମସ୍ତ ଗଣମାଧ୍ୟମ ପ୍ରତିନିଧି କୋର୍ଟ ଭିତରକୁ ମୋବାଇଲ୍ ନେଇପାରିବେ ବୋଲି ଘୋଷିତ ହୋଇଛି ।
କୋର୍ଟ ଭିତରକୁ ମୋବାଇଲ୍ ନେବା ପାଇଁ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଡେପୁଟି ରେଜିଷ୍ଟର୍ (ଜନସଂପର୍କ)ଙ୍କ ନିକଟରୁ ଏକ ୬ ମାସିକ ପାସ୍ ନେବାକୁ ହେବ । ମୋବାଇଲକୁ ସେମାନେ କୋର୍ଟ ପରିସରରେ ସାଇଲେଣ୍ଟ୍ ମୋଡରେ ରଖିବା ବିଧେୟ । ଜାରି ହୋଇଥବା ସର୍କୁଲାରରେ ଚେତାବନୀ ଦିଆଯାଇଛି କି ‘କୌଣସି ପ୍ରକାର ଗଣ୍ଡଗୋଳ ଉପୁଜଉଥିବା ସେଲ୍ ଫୋନକୁ ଜବତ କରି ଦିଆଯିବ । ତାହାକୁ ଅତିରିକ୍ତ ରେଜିଷ୍ଟରଙ୍କୁ ପ୍ରଦାନ କରାଯିବ ।