ଯୋଡା ପେଟ ଶିଶୁକନ୍ୟା ଗଙ୍ଗା-ଯମୁନାଙ୍କ ଅସ୍ତ୍ରୋପଚାର ଏବେ ସମ୍ଭବ ନୁହେଁ ! ସୂଚନା ଦେଲେ ଶିଶୁଭବନ ଡାକ୍ତର

25

କନକ ବ୍ୟୁରୋ : ଯୋଡାପେଟ ଶିଶୁକନ୍ୟା ଗଙ୍ଗା-ଯମୁନାଙ୍କ ଅସ୍ତ୍ରୋପଚାର ଏବେ ସମ୍ଭବ ନୁହେଁ । ଏହା କହିଛନ୍ତି ଚିକିତ୍ସା କରୁଥିବା ଡାକ୍ତର । ଏନେଇ ଏକ ସାମ୍ବାଦିକ ସମ୍ମିଳନୀ କରି ସେମାନଙ୍କ ସଂପର୍କରେ ସୂଚନା ଦେଇଛନ୍ତି କଟକ ଶିଶୁଭବନ କର୍ତୃପକ୍ଷ । ଦୁଇ ଶିଶୁଙ୍କ ଓଜନ ୯ କିଲୋଗ୍ରାମ ନହେବା ପର୍ଯ୍ୟନ୍ତ ସେମାନଙ୍କୁ ଅଲଗା କରିବା ନେଇ ଅସ୍ତ୍ରୋପଚାର କରିବା ସମ୍ଭବ ନୁହେଁ ବୋଲି ବିଶେଷଜ୍ଞ ମତ ଦେଇଛନ୍ତି ।

ଏହି ଯୋଡା ଶିଶୁ ଗଙ୍ଗା ଯମୁନାଙ୍କ ଅନ୍ତନାଡି ଓ ଅନ୍ତନଳୀ ମଧ୍ୟ ଯୋଡି ହୋଇ ରହିଛି । ପୂର୍ବରୁ ଏହି ଦୁଇ ଶିଶୁଙ୍କ ଗୋଟିଏ ଦୃତପିଣ୍ଡ ଓ ଗୋଟିଏ ଯକୃତ ଥିବା ମଧ୍ୟ ଏମଆରଆଇ ସ୍କାନ ଓ ବିଭିନ୍ନ ପରୀକ୍ଷାରୁ ଜଣା ପଡିଥିଲା । ତେଣୁ ଏମାନଙ୍କ ଅସ୍ତ୍ରୋପଚାର ମଧ୍ୟ ଏତେ ସହଜ ହେବ ନାହିଁ ବୋଲି କୁହାଯାଉଛି । ଏନେଇ ଶିଶୁଭବନ ପକ୍ଷରୁ ଆଜି ସୂଚନା ଦିଆଯାଇଛି । ଯୋଡାମୁଣ୍ଡ ଶିଶୁ ଜଗା-ବଳିଆଙ୍କ ଅପରେସନ ସଫଳ ହେବା ପରେ ଯୋଡାପେଟ ଶିଶୁଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା । ଜଗା-ବଳିଆଙ୍କ ଭଳି ଯୋଡାପେଟ ଶିଶୁ ଗଙ୍ଗା-ଯମୁନାଙ୍କ ଚିକିତ୍ସାର ସମସ୍ତ ଖର୍ଚ୍ଚ ସରକାର ବହନ କରିବେ ।