ଦିଲ୍ଲୀ ଏମ୍ସରେ ଚାଲିଛି ଯୋଡ଼ାମୁଣ୍ଡ ଶିଶୁଙ୍କ ଚିକିତ୍ସା : ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନାଙ୍କ ସୂଚନା

16

କନକ ବ୍ୟୁରୋ : ଦିଲ୍ଲୀ ଏମ୍ସରେ ଚାଲିଛି ଯୋଡ଼ାମୁଣ୍ଡ ଶିଶୁ ଜଗା ବଳିଆଙ୍କ ଚିକିତ୍ସା । ପ୍ରାଥମିକ ରୂପେ ଏମଆରଆଇ ସ୍କାନିଂ, ସିଟି ସ୍କାନ ଓ ଅନ୍ୟାନ୍ୟ ଟେଷ୍ଟ ପାଖାପାଖି ୭୫ ରୁ ୮୦ ପ୍ରତିଶତ ହୋଇସାରିଛି । ଆଉ ଅଳ୍ପ କିଛି ପରୀକ୍ଷା ହେବା ବାକି ଅଛି । ଏହାସହ ଯୋଡ଼ାମୁଣ୍ଡ ଶିଶୁଙ୍କ ସର୍ଜରୀ କରାଯାଇ ପାରିବ କି ନାହିଁ ସେ ନେଇ ମଧ୍ୟ ପରୀକ୍ଷା ଜାରି ରହିଛି । ସମସ୍ତ ପରୀକ୍ଷା ପରେ ତିନୋଟି ସ୍ତରରେ ଅପରେସନ ହେବ ।

ଏଥିପାଇଁ ଆନ୍ତର୍ଜାତିକ ସ୍ତରରେ ଯେଉଁଠି ଏପରି ଚିକିତ୍ସା ହୋଇଛି ତାଙ୍କ ସହ ଏମ୍ସ ତରଫରୁ ଯୋଗାଯୋଗ ହେଉଛି ଓ ଡ଼ାକ୍ତରମାନେ ପରାମର୍ଶ ମଧ୍ୟ ନେଉଛନ୍ତି । ଯୋଡ଼ା ମୁଣ୍ଡ ଶିଶୁଙ୍କ ଚିକିତ୍ସା ପାଇଁ ଡ଼ାକ୍ତରଙ୍କର ୩୦ ଜଣିଆ ଟିମ୍ ଗଠନ ହୋଇଛି । ସମସ୍ତଙ୍କ ସହ ଆଲୋଚନା ପରେ ଅପରେସନ ଆରମ୍ଭ ହେବ ବୋଲି ପ୍ରକାଶ କରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା ।

ଉଲ୍ଲେଖଯୋଗ୍ୟ, କନ୍ଧମାଳ ଜିଲ୍ଲା ମିଲୁପଡ଼ା ଗାଁର ଯୋଡ଼ା ମୁଣ୍ଡ ଥିବା ଦୁଇ ଜାଆଁଳା ଶିଶୁଙ୍କ ଚିକିତ୍ସା ଦିଲ୍ଲୀ ଏମ୍ସରେ ଚାଲିଛି । ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ସହାୟତା ଯୋଗାଇ ଦିଆଯାଉଛି । ଏପରିକି ନିଜେ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା ଦିଲ୍ଲୀ ଯାଇ ଡାକ୍ତର ମାନଙ୍କ ସହ ଆଲୋଚନା କରିବା ସହ ଉଭୟଙ୍କର ସ୍ୱାସ୍ଥ୍ୟବସ୍ଥା ସଂପର୍କରେ ପଚାରି ବୁଝିଥିଲେ ।