ଆଜି ଦିଲ୍ଲୀ ଯିବେ ଜଗା-ବଳିଆ ! ଏମ୍ସରେ ହେବ କନ୍ଧମାଳର ଯୋଡ଼ାମୁଣ୍ଡ ଜାଆଁଳା ଶିଶୁଙ୍କ ଚିକିତ୍ସା

27

କନକ ବ୍ୟୁରୋ : କନ୍ଧମାଳ ଜିଲ୍ଲା ମିଲିପଡ଼ା ଗାଁର ଯୋଡ଼ା ମୁଣ୍ଡ ଥିବା ଦୁଇ ଜାଆଁଳା ଶିଶୁଙ୍କ ଚିକିତ୍ସା ପାଇଁ ଆଜି ଦିଲ୍ଲୀ ନିଆଯିବ । ଭୁବନେଶ୍ୱରରୁ ରାଜଧାନୀ ଏକ୍ସପ୍ରେସ୍ ଯୋଗେ ଦୁଇ ଜାଆଁଳା ଶିଶୁ ହନି ଏବଂ ସିଂ ଓରଫ୍ ଜଗା-ବଳିଆଙ୍କୁ ଦିଲ୍ଲୀ ନିଆଯିବ । ସେଠାରେ ଏମାନଙ୍କ ଚିକିତ୍ସା ପାଇଁ ଏମ୍ସ ହସ୍ପିଟାଲରେ ଭର୍ତ୍ତି କରାଯିବ । ଏଥିପାଇଁ ମିଲିପଡ଼ା ଗାଁରୁ ହନି ଓ ସିଂଙ୍କ ବାପା-ମାଆ ଭୁବନେଶ୍ୱରରେ ଆସିଛନ୍ତି ।

ସେମାନଙ୍କ ସହ ନୂଆପଦର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ଜଣେ ଆୟୁଷ ଡାକ୍ତର ଏବଂ ରାଷ୍ଟ୍ରୀୟ କିଶୋରୀ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମର ଆସିଷ୍ଟାଣ୍ଡ ମ୍ୟାନେଜର ମଧ୍ୟ ଅଛନ୍ତି । ଏହି ଜାଆଁଳା ଶିଶୁଙ୍କ ଚିକିତ୍ସା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପରିବାର ଲୋକଙ୍କୁ ୧ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଛି । ସେହିପରି ଜିଲ୍ଲା ରୋଗୀ କଲ୍ୟାଣ ସମିତି ପକ୍ଷରୁ ୨୫ ହଜାର ଟଙ୍କା ଦିଆଯାଇଛି ।

ରାଷ୍ଟ୍ରୀୟ କିଶୋରୀ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମର ଆସିଷ୍ଟାଣ୍ଡ ମ୍ୟାନେଜର ସୌମ୍ୟ ସାମନ୍ତରାୟ ହନି ଏବଂ ସିଂହଙ୍କ ସହ ଦିଲ୍ଲୀ ଯିବେ । ଗତ ୨୦୧୫ ମସିହାରେ ଏହି ଯୋଡ଼ା ମୁଣ୍ଡ ଥିବା ଜାଆଁଳା ଶିଶୁ ଜନ୍ମ ହୋଇଥିଲେ । ଚିକିତ୍ସା ପାଇଁ ପରିବାର ଲୋକ ଚିକିତ୍ସା ପାଇଁ ବହୁ ଉଦ୍ୟମ କରିଥିଲେ ସୁଦ୍ଧା ଅର୍ଥିକ ଅଭାବ ଜନିତ କାରଣରୁ ଉପଯୁକ୍ତ ଚିକିତ୍ସା ଯୋଗାଇବାରେ ବିଫଳ ହୋଇଥିଲେ ।

ଏନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ସ୍ୱାସ୍ଥ୍ୟମନ୍ତ୍ରୀ ଏହି ଦୁଇ ଶିଶୁଙ୍କ ମାଗଣା ଚିକିତ୍ସା ପାଇଁ ଘୋଷଣା କରିଥିଲେ । ଏହା ପରେ ଦୁଇ ଶିଶୁଙ୍କୁ କଟକ ବଡ ମେଡ଼ିକାଲ ଅଣାଯାଇ ଚିକିତ୍ସା କରାଯାଇଥିଲା । ଆଉ ଏବେ ଅଧିକ ଚିକିତ୍ସା ପାଇଁ ଆଜି ଦିଲ୍ଲୀ ଏମ୍ସ ହସ୍ପିଟାଲକୁ ନିଆଯାଉଛି ।