ଦେଢମାସ ପରେ ହେବ ଯୋଡାମୁଣ୍ଡ ଶିଶୁ ଜଗାବଳିଆଙ୍କ ଦ୍ୱିତୀୟ ପର୍ଯ୍ୟାୟ ଅପରେସନ ! ଆଶୁ ଆରୋଗ୍ୟ କାମନା କରି ପୁରୀ ବେଳାଭୂମିରେ ବାଲୁକା କଳା କଲେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ

54

କନକ ବ୍ୟୁରୋ : ଦିଲ୍ଲୀ ଏମ୍ସରେ ଅପରେସନ ହୋଇଥିବା କନ୍ଧମାଳ ଯୋଡାମୁଣ୍ଡ ଶିଶୁଙ୍କ ଅବସ୍ଥା ଏବେ ଭଲ ରହିଛି । ସେମାନଙ୍କ ପାଇଁ ଯାହା ଯାହା କରିବା କଥା ତାହା କରାଯାଉଛି । ଡାକ୍ତରମାନେ ଦୁଇଶିଶୁଙ୍କ ସ୍ୱାସ୍ଥ୍ୟ ଉପରେ ନଜର ରଖିଛନ୍ତି । କିଛି ଦିନ ଅର୍ଥାତ ଦେଢମାସ ପରେ ଦ୍ୱିତୀୟ ପର୍ଯ୍ୟାୟ ଅପରେସନ ହେବ । ଆଜି ଏହି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଜେନା ।

ଗତ ସପ୍ତାହରେ ଜାପାନରୁ ଆସିଥିବା ବିଶେଷଜ୍ଞଙ୍କ ନେତୃତ୍ୱରେ ୪୦ ଜଣିଆ ଏକ ସ୍ୱତନ୍ତ୍ର ଡାକ୍ତରୀ ଦଳ ଜଗା ବଳିଆଙ୍କ ପ୍ରଥମ ପର୍ଯ୍ୟାୟ ଅପରେସନ କରିଥିଲେ । ୪୦ଜଣିଆ ଡାକ୍ତରୀ ଦଳରେ ଥିଲେ- ନ୍ୟୁରୋ ସର୍ଜନ, ପ୍ଳାଷ୍ଟିକ୍ ସର୍ଜନ, କାର୍ଡିଆକ୍, ପେଡିଆଟ୍ରିକ୍ସ ବିଭାଗର ଡାକ୍ତର । ପାଖାପାଖି ୨୦ ଘଂଟାରୁ ଅଧିକ ସମୟ ଧରି ଏହି ଅପରେସନ କରାଯାଇଥିଲା । ଗତ ସୋମବାର ଭୋର ୪ଟା ୪୫ରେ ଅପରେସନ୍ ଥିଏଟରକୁ ନିଆଯାଇଥିଲା ଜଗା-ବଳିଆଙ୍କୁ ଏବଂ ପ୍ରାୟ ୯ଟାରେ ଆରମ୍ଭ ହୋଇଥିଲା ଅପରେସନ୍ । ଦୀର୍ଘ ୨୦ ଘଣ୍ଟାର କସରତ ପରେ ପ୍ରଥମ ପର୍ଯ୍ୟାୟ ଅସ୍ତ୍ରୋପଚାର ସଫଳ ହୋଇଥିଲା । ଅପରେସନ୍ ପରେ ଉଭୟ ଶିଶୁ ସୁସ୍ଥ ଥିବା ଜଣାଇଥିଲେ ହସ୍ପିଟାଲ କର୍ତ୍ତୃପକ୍ଷ ।

ଦ୍ୱିତୀୟ ପର୍ଯ୍ୟାୟ ଅପରେସନରେ ଦୁଇ ଭାଇଙ୍କ ମୁଣ୍ଡ ପରସ୍ପର ଠାରୁ ଅଲଗା କରାଯିବ । ଓଡିଆ ଡାକ୍ତର ଅଶୋକ ମହାପାତ୍ରଙ୍କ ନେତୃତ୍ୱ ଡାକ୍ତରମାନେ ଜଗା ବଳିଆଙ୍କୁ ସୁସ୍ଥ କରିବା ପାଇଁ ସବୁ ପ୍ରକାର ଉଦ୍ୟମ ଚଳାଇଛନ୍ତି । ପ୍ରଥମ ପର୍ଯ୍ୟାୟରେ ୫୦ ପ୍ରତିଶତ ଅପରେସନ କରାଯାଇଛି । ୭ରୁ ୮ ସପ୍ତାହ ପରେ ହେବାକୁ ଥିବା ଦ୍ୱିତୀୟ ପର୍ଯ୍ୟାୟ ଅପରେସନରେ ଉଭୟଙ୍କୁ ଅଲଗା କରାଯିବ ବୋଲି ଅଶୋକ ମହାପାତ୍ର କହିଛନ୍ତି । ପ୍ରଥମ ପର୍ଯ୍ୟାୟ ଅପରେସନରେ ବଳିଆ ମୁଣ୍ଡରେ ଏକ କୁତ୍ରିମ ଶିରା ଲାଗିଛି । ଏହି କୁତ୍ରିମ ଶିରା ଲଗାଇବାକୁ ପାଖାପାଖି ୧୫ ଘଣ୍ଟା ସମୟ ଲାଗିଥିଲା । ପୂର୍ବରୁ ଯାହା ବି କିଛି ତରଳ ଖାଦ୍ୟ ବଳିଆ ଖାଉଥିଲା ତାହା ଜଗା ଦେହକୁ ଚାଲି ଯାଉଥିଲା । ତେଣୁ ପ୍ରଥମେ ଏହି ଶିରାକୁ ଅଲଗା କରାଯାଇ ବଳିଆ ମୁଣ୍ଡରେ କୁତ୍ରିମ ଶିରା ଲଗାଯାଇଛି ।

ଭୁବନେଶ୍ୱର ଆସିଥିବା ଡାକ୍ତର ଅଶୋକ ମହାପାତ୍ର ଜଗା ବଳିଆଙ୍କ ସଫଳ ଅପରେସନ ପାଇଁ ମନ୍ଦିରରେ ପୂଜା କରିବା ସହ ସମୂହ ଦୀପଦାନ କରିଛନ୍ତି । କାରଣ ଏହି ଅପରେସନ ସଫଳ ହେଲେ ଚିକିତ୍ସା କ୍ଷେତ୍ରରେ ଇତିହାସ ରଚିବ ଏମ୍ସ ।ଏଭଳି ଅପରେସନ ବିଶ୍ୱରେ ପ୍ରଥମ । ଏପଟେ ଜଗବାଳିଆଙ୍କ ଆଶୁ ଆରୋଗ୍ୟ କାମନା କରି ପୁରୀ ବେଳାଭୂମିରେ ବାଲୁକା କଳା କରିଛନ୍ତି ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ।

ଓଡ଼ିଶାର ଏକ ପଛୁଆ ଜିଲ୍ଳା କନ୍ଧମାଳର ଏକ ଗରିବ ପରିବାରରେ ୨୦୧୫ ମସିହାରେ ଜନ୍ମ ହୋଇଥିଲେ ଜଗାବଳିଆ । ଆର୍ଥିକ ଦୃଷ୍ଟିରୁ ବେଶ୍ ପଛୁଆ ଏହି ପରିବାର ଏମାନଙ୍କ ଚିକିତ୍ସା ପାଇଁ କ’ଣ କରିବେ କିଛି ବୁଝିପାରିନଥିଲେ । ଚିକିତ୍ସା ପାଇଁ ପରିବାର ଲୋକ ଚିକିତ୍ସା ପାଇଁ ବହୁ ଉଦ୍ୟମ କରିଥିଲେ ସୁଦ୍ଧା ଆର୍ଥିକ ଅଭାବ ଜନିତ କାରଣରୁ ଉପଯୁକ୍ତ ଚିକିତ୍ସା ଯୋଗାଇବାରେ ବିଫଳ ହୋଇଥିଲେ ।ପରେ ଗଣମାଧ୍ୟମରେ ରିପୋର୍ଟ ପ୍ରସାରଣ ପରେ ରାଜ୍ୟ ସରକାର ଚିକିତ୍ସାରେ ସହାୟତା ପାଇଁ ହାତ ବଢ଼ାଇଲେ । ମୁଖ୍ୟମନ୍ତ୍ରୀ ଏଥିପାଇଁ ନିଜ ରିଲିଫ ପାଣ୍ଠିରୁ ଏକ କୋଟି ଟଙ୍କା ଦେଇଥିଲେ । ପ୍ରଥମେ ଦୁଇ ଶିଶୁଙ୍କୁ କଟକ ବଡ ମେଡ଼ିକାଲ ଅଣାଯାଇ ଚିକିତ୍ସା କରାଯାଇଥିଲା । ସେଠାରେ ପ୍ରାଥମିକ ଚିକିତ୍ସା ପରେ ଯୋଡାମୁଣ୍ଡ ଶିଶୁଙ୍କୁ ଅଲଗା କରିବା ପାଇଁ ଦିଲ୍ଲୀ ଏମ୍ସ ହସ୍ପିଟାଲକୁ ନିଆଯାଇଥିଲା । ବିଭିନ୍ନ ପରୀକ୍ଷା ନିରୀକ୍ଷା ପରେ ୪୦ ଜଣିଆ ଟିମ୍ ଜଗାବଳିଆଙ୍କର ପ୍ରଥମ ପର୍ଯ୍ୟାୟ ଅପରେସନ କରିଥିଲେ ।