କଟକ ଶିଶୁଭବନରେ ଜୀବନ ପାଇଁ ଲଢୁଛନ୍ତି ନୟାଗଡର ଯୋଡ଼ା ପେଟ ଶିଶୁ ! ସ୍ୱାସ୍ଥ୍ୟବସ୍ଥା ଏବେ ବି ଗୁରୁତର ।

16

କନକ ବ୍ୟୁରୋ : କଟକ ଶିଶୁଭବନରେ ଜୀବନ ସହ ସଂଗ୍ରାମ କରୁଛନ୍ତି ନୟାଗଡର ଯୋଡାପେଟ ଶିଶୁ । ସେମାନଙ୍କ ସ୍ୱତନ୍ତ୍ର ଚିକିତ୍ସା ଚାଲିଥିଲେ ବି ସ୍ୱାସ୍ଥ୍ୟବସ୍ଥା ଗୁରୁତର ରହିଛି । ଶିଶୁଭବନ ଡାକ୍ତରଙ୍କ ପାଇଁ ଏହା ଏକ ନୂଆ କେସ ହୋଇଥିବାରୁ ଯୋଡାଶିଶୁଙ୍କ ଚିକିତ୍ସା ପାଇଁ ୧୨ ଜଣିଆ ଡାକ୍ତରୀ ଟିମ ଗଠନ କରାଯାଇଛି । ୧୨ ଜଣିଆ ଟିମରେ ସବୁ ବିଭାଗର ଡାକ୍ତର ରହିଛି । ଏସସିବିରେ ଏହି ଦୁଇ ଶିଶୁଙ୍କର ଶରୀରର ସ୍କାନିଂ କରାଯାଇଛି । ସୋମବାର ରିପୋର୍ଟ ଆସିବା ପରେ ପରବର୍ତି ପଦକ୍ଷେପ ନିଆଯିବ ।

ଯୋଡାଶିଶୁଙ୍କ ଅସ୍ତ୍ରୋପଚାର ମେଡିକାଲ ଟିମ ପାଇଁ ବଡ ଚ୍ୟାଲେଞ୍ଜ ହେବ ବୋଲି କୁହାଯାଉଛି । ଗତକାଲି ସ୍ୱାସ୍ଥ୍ୟମନ୍ତ୍ରୀ ଶିଶୁଭବନ ଯାଇ ଯୋଡାଶିଶୁକୁ ଦେଖିଥିଲେ । ଆବଶ୍ୟକ ପଡିଲେ ଚିକିତ୍ସା ପାଇଁ ସେମାନଙ୍କୁ ରାଜ୍ୟ ବାହାରକୁ ନିଆଯିବ ବୋଲି କହିଥିଲେ । ଏହି ଶିଶୁଙ୍କ ଚିକିତ୍ସା ଖର୍ଚ ବି ରାଜ୍ୟ ସରକାର ବହନ କରିବେ । ଶୁକ୍ରବାରଦିନ ରାତିରେ ନୟାଗଡର ସୁମିତ୍ରା ଦତ୍ତ ପେଟ ଓ ଛାତି ଯୋଡିହେଇଥିବା ଦୁଇ ଶିଶୁକନ୍ୟାଙ୍କୁ ଜନ୍ମ ଦେଇଥିଲେ ।