ଯୋଗୀ ବୈଜୟନ୍ତ ବିବାଦରେ ପଶିଲା ବିଜେଡି : ପ୍ରଶାସକଙ୍କୁ ଟାର୍ଗେଟ ପରେ ଚୁପ୍ ବସିଲାନି ଦଳ, କହିଲା, ଆସିଥିବା ଅଭିଯୋଗ ନେଇ ସାଂସଦ ରଖନ୍ତୁ ଜବାବ

38

କନକ ବ୍ୟୁରୋ : ଯୋଗୀ-ଜୟ ବିବାଦରେ ଏଂଟ୍ରୀ ମାରିଲା ବିଜେଡି । କେନ୍ଦ୍ରାପଡା ସାଂସଦଙ୍କ ତୃତୀୟ ମହଲାକୁ ଇଙ୍ଗିତ କରିବାକୁ ଦଳ ସହଜରେ ଗ୍ରହଣ କରୁନି । ଖାସ୍ କରି କଥା ଯେତେବେଳେ ତୃତୀୟ ମହଲାର କ୍ଷମତାଶାଳୀ ଅଫିସରଙ୍କ ଆଡକୁ ଯାଉଛି, ସେତେବେଳେ କଡା ଆଭିମୁଖ୍ୟ ଗ୍ରହଣ କରିଛି ଶାସକ ଦଳ । ଆଉ ସଫା ସଫା କହିଛନ୍ତି, ଛତିଶଗଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଠାଇଥିବା ପ୍ରଶ୍ନର ଉତ୍ତର ବୈଜୟନ୍ତ ଦେବାର ଆବଶ୍ୟକତା ରହିଛି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଆଡେ ଅଙ୍ଗୁଳି ଉଠାଇବା ଗ୍ରହଣୀୟ ନୁହେଁ ।

ବିଜେଡିର ସାଂସଦଙ୍କ ବିରୋଧରେ ଅଜିତ ଯୋଗୀ ଆଣିଥିବା ଅଭିଯୋଗରେ ଦର୍ଶାଇଥିଲେ, ପୂର୍ବତନ ଅର୍ଥମନ୍ତ୍ରୀ ପି.ଚିଦାମ୍ବରମ ଓ ବିଜେଡି ସାଂସଦ ବୈଜୟନ୍ତଙ୍କ ମଧ୍ୟରେ ଭିତିରି ସଂପର୍କ ରହିଛି । ଫଳସ୍ୱରୂପ ଓରଟେଲ୍ କମ୍ୟୁନିକେସନକୁ ଫରେନ୍ ଫଣ୍ଡିଂ ପାଇଁ ଅନୁମତି ମିଳିଥିଲା । ସମାନ ଅଭିଯୋଗ ଥାଇ, ଆଇଏନଏକ୍ସ ମିଡିଆ ଯଦି ତଦନ୍ତ ପରିଧି ଭିତରକୁ ଆସିଲା ତେବେ ଓରଟେଲ କାହିଁକି ନୁହେଁ?

ଅଜିତଙ୍କ ଏହି ଅଭିଯୋଗ ପରେ ଚିହିଁକି ଉଠିଥିଲା ବୈଜୟନ୍ତଙ୍କ କ୍ୟାମ୍ପ । ଅଭିଯୋଗକୁ ହାସ୍ୟାସ୍ପଦ କହି ତୃତୀୟ ମହଲାକୁ ବଲ୍ ଠେଲିଥିଲା ସାଂସଦଙ୍କ କାର୍ଯ୍ୟାଳୟ । ହେଲେ ଏହାକୁ ମଧ୍ୟ ଖୋଲାଖୋଲି ଚାଲେଂଜ କରିଛନ୍ତି ଅଜିତ ଯୋଗୀ । ବୈଜୟନ୍ତଙ୍କୁ ଆହ୍ୱାନ ଦେଇ କହିଛନ୍ତି, ଅଭିଯୋଗ ପ୍ରମାଣିତ କର । ରାଜନୀତି ଛାଡିଦେବି ।ଏସବୁ ଭିତରେ କିନ୍ତୁ ନିଜ ଦଳର ସାଂସଦଙ୍କୁ ବିଜେଡି ଟାର୍ଗେଟ କରିବା ପରେ ମାମଲା ଭିନ୍ନ ମୋଡ ନେଇଛି । ଏକଘରିକିଆ ହୋଇଯାଇଛନ୍ତି ସାଂସଦ । ଆଉ ପ୍ରଶ୍ନ ଉଠିଛି –
– ଯୋଗୀଙ୍କ ଆହ୍ୱାନର ଜବାବ ଦେବେ କି ବୈଜୟନ୍ତ?
– ଅଫିସରଙ୍କ ବିରୋଧରେ କିଛି ପ୍ରମାଣ ଅଛି କି?
– ତୃତୀୟ ମହଲାକୁ ଟାର୍ଗେଟ କରିବା ମହଙ୍ଗା ପଡିଲା କି?
– ଦଳ ଏବାବଦରେ ବୈଜୟନ୍ତଙ୍କୁ ସ୍ପଷ୍ଟୀକରଣ ମାଗିବ କି?
– ସାଂସଦ ନିଜଆଡୁ ଆସି ଗଣମାଧ୍ୟମରେ ସତ କହିବେ କି?

ଦଳୀୟ ନିଷ୍ପତ୍ତି ଠାରୁ ଆରମ୍ଭ କରି ଦୁର୍ନୀତିଗ୍ରସ୍ତ ପ୍ରଶାସକଙ୍କ ଯାଏଁ ସମସସ୍ତଙ୍କୁ ଟାର୍ଗେଟ କରିଥିବା ସାଂସଦଙ୍କ ଭାବମୂର୍ତ୍ତି ଆଉ ବ୍ୟବସାୟିକ ଦିଗ ଉପରେ ଉଠିଛି ବଡ ପ୍ରଶ୍ନବାଚୀ । ହେଲେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି, ଅନେକ ସମୟରେ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଟ୍ୱିଟ୍ କରୁଥିବା ସାଂସଦ ଏହି ସମ୍ବେଦନଶୀଳ ପ୍ରସଙ୍ଗରେ କାହିଁକି ଚୁପ ଅଛନ୍ତି?