ରାଜ୍ୟର ବିକାଶ ପୁରୁଷ ନବୀନ ! ବିଜେଡ଼ିରେ ଯୋଗଦେବା ପରେ ଯୋଗେଶ କହିଲେ ନବୀନ ସରକାରରେ ହୋଇଛି ପଶ୍ଚିମ ଓଡିଶାର ବିକାଶ

201

କନକ ବ୍ୟୁରୋ : ବିଜେଡ଼ିରେ ଆଜି ଯୋଗଦେଇଛନ୍ତି ସୁନ୍ଦରଗଡ଼ ପୂର୍ବତନ ବିଧାୟକ ଯାଗେଶ ସିଂ । ବିଜେଡ଼ିରେ ଯୋଗଦାନ ପରେ ବିଜେଡ଼ି ସୁପ୍ରିମୋଙ୍କ ପ୍ରଶଂସା କରିଛନ୍ତି ଯୋଗେଶ । ସୁନ୍ଦରଗଡର ବିକାଶ ପାଇଁ ସେ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି ବୋଲି ପ୍ରକାଶ କରିଛନ୍ତି । ଏବଂ ତାଙ୍କର ଏକମାତ୍ର ଲକ୍ଷ୍ୟ ସୁନ୍ଦରଗଡର ବିକାଶ । ଭାରତର ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ଓ ରାଜ୍ୟର ବିକାଶ ପୁରୁଷ ହେଉଛନ୍ତି ନବୀନ ପଟ୍ଟନାୟକ । ସେ ଜଣେ ଶୃଙ୍ଖଳିତ କର୍ମୀ ଭାବରେ ଦଳରେ କାର୍ଯ୍ୟ କରିବେ । ଆଗାମୀ ନିର୍ବାଚନରେ ସୁନ୍ଦରଗଡ଼ର ସମସ୍ତ ନିର୍ବାଚନ ମଣ୍ଡଳୀ ଯେପରି ବିଜେଡ଼ି ସପକ୍ଷରେ ଯିବ ସେନେଇ ସଙ୍କଳ୍ପ ନେଇଛନ୍ତି ଯୋଗେଶ ।

ତେବେ ବିଜେଡ଼ିରେ ଯୋଗେଶ ମିଶିବା ପରେ ତାଙ୍କ ଯୋଗଦାନ ସୁନ୍ଦରଗଡରେ ବିଜେଡିକୁ ମଜବୁତ୍ କରିବ ବୋଲି କହିଛନ୍ତି ନବୀନ ପଟ୍ଟନାୟକ । ଯୋଗେଶ ସିଂ ଆଜି ନିଜ ସମର୍ଥକଙ୍କ ସହ ବିରାଟ ଶୋଭାଯାତ୍ରାରେ ଆସି ବିଜେଡି ରାଜ୍ୟ କାର୍ଯ୍ୟାଳୟରେ ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି ଯୋଗେଶ । ଦଳ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଦଳୀୟ କାର୍ଯ୍ୟାଳୟରେ ସେ ଦଳରେ ଯୋଗ ଦେଇଛନ୍ତି । ଯୋଗେଶଙ୍କ ସହ ସୁନ୍ଦରଗଡ ନିର୍ବାଚନ ମଣ୍ଡଳୀରୁ ତାଙ୍କ ସମର୍ଥକମାନେ ମଧ୍ୟ ବିଜେଡିରେ ସାମିଲ ହୋଇଥିଲେ

ସୂଚନାଯୋଗ୍ୟ, ନବୀନଙ୍କ ସପକ୍ଷରେ ମନ୍ତବ୍ୟ ଦେବା ସହ ଦଳ ବିରୋଧୀ କାର‌୍ୟ୍ୟରେ ଲିପ୍ତ ଥିବା ଅଭିଯୋଗରେ ପ୍ରଦେଶ କଂଗ୍ରେସ ଶୃଙ୍ଖଳା କମିଟି ଯୋଗେଶଙ୍କୁ ନିଲମ୍ବନ କରିଥିଲା । ଯୋଗେଶ ଏଥିରେ କ୍ଷୁବ୍ଧ ହୋଇ କଂଗ୍ରେସ ଦଳ ପରିତ୍ୟାଗ କରିବା ସହ ବିଧାୟକ ପଦରୁ ମଧ୍ୟ ଇସ୍ତଫା ଦେଇଥିଲେ ।ା