ଖଣି ଅଂଚଳରେ ଉତ୍କଟ ହେଉଛି ଜଳ ସମସ୍ୟା : କାମରେ ଆସୁନି ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିଲା ପାଣିଟାଙ୍କି, ଶୋଷ ମେଂଟାଇବା ପାଇଁ ପାଣି ଟ୍ୟାଙ୍କରକୁ ଅପେକ୍ଷା

66

କନକ ବ୍ୟୁରୋ : ପାଣି ପାଇଁ ଡହଳବିକଳ ଖଣି ଅଂଚଳ । ଲକ୍ଷ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ ହୋଇଥିବା ପାଣି ଟାଙ୍କି ଲୋକଙ୍କୁ କାମରେ ଆସୁନଥିବା ବେଳେ ଶୋଷ ମେଂଟାଇବା ପାଇଁ ପାଣି ଟ୍ୟାଙ୍କରକୁ ଅପେକ୍ଷା । ଟ୍ୟାଙ୍କର ପାଣିରେ ପୁରା ପରିବାରର ଶୋଷ ମେଂଟିବା ସହ ସବୁ କାମ କରି ହେଉନଥିବାରୁ ବାଧ୍ୟ ହୋଇ ଦଲକୀ ନାଳକୁ ଯିବାକୁ ପଡୁଛି । ଏଭଳି ଜଳ ଯନ୍ତ୍ରଣା ଭୋଗୁଛନ୍ତି କେନ୍ଦୁଝର ଜିଲ୍ଲା ଯୋଡା ବ୍ଲକ ନ୍ୟୁ-କଲୋନୀର ବାସିନ୍ଦା ।

କେନ୍ଦୁଝର ଯୋଡା ବ୍ଲକ ଜଲହରୀ ପଞ୍ଚାୟତର ନ୍ୟୁ-କଲୋନୀ । ପ୍ରବଳ ଖରାରେ ଖଣି ଅଂଚଳର ପ୍ରବଳ ଜଳକଷ୍ଟ । ଗାଁରେ ଥିବା ଓଭରହେଡ୍ ଟାଙ୍କିରୁ ପାଣି ଆସୁନଥିବାରୁ ଟ୍ୟାଙ୍କର ପାଣିକୁ ଅପେକ୍ଷା କରୁଛନ୍ତି ଲୋକେ । ସମସ୍ତଙ୍କ ଘର ଆଗରେ ରହିଛି ଗୋଟିଏ ଗୋଟିଏ ପାଣି ରଖିବା ପାଇଁ ଡ୍ରମ । ଆଉ ଦିନର ପ୍ରଥମ କାମ ପାଣି ଟ୍ୟାଙ୍କର ଆସିଲେ ପାଣି ରଖିବା । ଟ୍ୟାଙ୍କରରୁ ଆସୁଥିବା ପାଣି ହିଁ ଏବେ ଲୋକଙ୍କର ଏକମାତ୍ର ଭରସା । ଏହି ପାଣିରେ ପିଇବା ଠାରୁ ଆରମ୍ଭ କରି ଗାଧୋଇବା ଯାଏ ସବୁ କାମ କରିଥାନ୍ତି ।

ନ୍ୟୁକଲୋନୀ ନିକଟରେ ଲୋକଙ୍କ ପାଇଁ ଓଭର ହେଡ୍ ଟ୍ୟାଙ୍କ ବର୍ଷେ ହେବ କରାଯାଇଛି । ଗାଁକୁ ପାଇପ ଲାଇନ୍ ବିଛା ଯାଇ, ଷ୍ଟାଂଡ ପୋଷ୍ଟ ମଧ୍ୟ କରାଯାଇଛି । କେବଳ ଏତିକି ନୁହେଁ ନିକଟରେ ଥିବା ଜଳଉତ୍ସରୁ ଓଭର ହେଡ ଟ୍ୟାଙ୍କକୁ ପାଇପ୍ ସଂଯୋଗ କରାଯାଇଛି । ହେଲେ ବର୍ଷ ବର୍ଷ ଧରି ଏହା କାର୍ଯକ୍ଷମ ହୋଇପାରିନାହିଁ । ବାଧ୍ୟ ହୋଇ ଲୋକମାନେ ୨ କିଲୋମିଟର ଦୂର ଦଲକୀ ନାଳରୁ ପାଣି ଆଣି ଗୁଜୁରାଣ ମେଂଟାଉଛନ୍ତି । ସବୁଠାରୁ ଆଶ୍ଚର୍ଯ୍ୟର କଥା ଏନେଇ ଯୋଡା ବିଡିଓ କିଛି ବି ଜାଣିନାହାନ୍ତି ।

ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ହେଉଛି ପ୍ରକଳ୍ପ, ହେଲେ ଲୋକଙ୍କ କାମରେ ଆସୁନାହିଁ । ଜଲହରି ନ୍ୟୁକଲୋନୀ ଓଭର୍ ହେଡ୍ ଟ୍ୟାଙ୍କ ଯଥାଶୀଘ୍ର କାର‌୍ୟ୍ୟକ୍ଷମ କରିବାକୁ ଦାବି କରିଛନ୍ତି ଜନସାଧାରଣ ।