ଧୂଳିଧୂଆଁରେ ଅସ୍ତବ୍ୟସ୍ତ କେନ୍ଦୁଝର ଯୋଡା ଖଣି ଅଂଚଳ : ରାସ୍ତାଘାଟ, ଗଛଲତା, ଘରଦ୍ୱାର ସବୁଠି ଧୂଳିର ଆସ୍ତରଣ

49

କନକ ବ୍ୟୁରୋ : ଧୂଳି ଧୂଆଁରେ ଅସ୍ତବ୍ୟସ୍ତ କେନ୍ଦୁଝର ଜିଲ୍ଲାର ଯୋଡା ଖଣି ଅଂଚଳ । ରାସ୍ତାଘାଟ, ଗଛଲତା, ଘରଦ୍ୱାର ସବୁଠି ଧୂଳିର ଆସ୍ତରଣ । ବିଶୁଦ୍ଧ ବାୟୁ,ଜଳ ଏବଂ ମୃତ୍ତିକା ଖଣି ଅଂଚଳବାସୀଙ୍କ ପାଇଁ ସାତସପନ ହୋଇ ପଡିଛି । ଫଳରେ ବିଭିନ୍ନ ସ୍ୱାସ୍ଥ୍ୟଗତ ସମସ୍ୟାରେ ଘାଂଟି ହେଉଛନ୍ତି ଲୋକେ । ଧୀରେ ଧୀରେ ଅଂଚଳବାସୀଙ୍କୁ ଗ୍ରାସ କରୁଛି ପ୍ରଦୂଷଣ ରୂପକ ବିଭିସୀକା ।

ରାଜ୍ୟକୁ ସର୍ବାଧିକ ରାଜସ୍ୱ ଯୋଗାଉଛି କେନ୍ଦୁଝର ଜିଲ୍ଲାର ଯୋଡା ଖଣି ଅଂଚଳ । ଯେଉଁଠି ଦିନ ଓ ରାତି ଭିତରେ କୌଣସି ଫରକ ନଥାଏ । କାରଖାନାରୁ ନିର୍ଗତ ଅବିରତ ଧୂଆଁ ଓ ରାସ୍ତାରେ ଅନବରତ ଧାଉଁଥିବା ଗାଡି ଏହି ଅଂଚଳର ସ୍ପନ୍ଦନ କହିଲେ ଚଳେ । କାହିଁ କେଉଁ କାଳରୁ ଚାଲିଥିବା ଏହି ଧାରାବାହିକ ପ୍ରକ୍ରିୟା ଏବେ ଲୋକଙ୍କ ପାଇଁ ବଡ ସମସ୍ୟା ରୂପେ ଉଭା ହୋଇଛି । ଧୂଳି ଧୂଆଁରେ ଢାଙ୍କି ହୋଇଯାଇଛି ରାସ୍ତାଘାଟ, ଗଛଲତା ଆଉ ଘରଦ୍ୱାର । ବିଶୁଦ୍ଧ ପାଣି ପବନ ଖଣି ଅଂଚଳରେ ଲୋକଙ୍କୁ ମିଳିବା ବଡ କଷ୍ଟକର ହୋଇପଡୁଛି ।

ପ୍ରଦୂଷଣ ଯୋଗୁ ସ୍ଥାନୀୟ ବାସିନ୍ଦା ବିଭିନ୍ନ ପ୍ରକାର ରୋଗରେ ପଡୁଥିବା ଅଭିଯୋଗ ହୋଇଛି । ବାୟୁ ପ୍ରଦୂଷଣ ଯୋଗୁ ଶ୍ୱାସଜନିତ ସମସ୍ୟା ଦେଖାଦେଉଥିବା ବେଳେ ଜଳ ପ୍ରଦ୍ୟୁଷଣ ଯୋଗୁ ପେଟଜନିତ ଓ ଚର୍ମରୋଗ ବ୍ୟାପୁଛି । ପ୍ରଦୂଷଣ ଯୋଗୁ ଦିନକୁ ଦିନ ରୋଗ ବଢୁଥିବା ନେଇ ଡାକ୍ତର କହୁଥିବା ବେଳେ ଏହାକୁ ହାଲୁକା ଭାବେ ଗ୍ରହଣ କରିଛନ୍ତିି ପ୍ରଦୂଷଣ ବିଭାଗ ଅଧିକାରୀ । ପ୍ରଦୂଷଣର ମାତ୍ରା ଅଧିକ ନାହିଁ, ନୂତନ ଜ୍ଞାନକୌଶଳ ଯୋଗୁଁ ଦୂରରୁ କାରଖାନା ଓ ଖଣି ଅଂଚଳରେ ପ୍ରଦୂଷଣର ମାତ୍ରା ନିରୂପଣ କରାଯାଉଥିବା ସେ ସଫେଇ ଦେଇଛନ୍ତି । ଖଣି ଅଂଚଳରେ ଭୟଙ୍କର ଭାବେ ଜଳ,ବାୟୁ ଓ ମୃତିକା ପ୍ରଦୂଷଣ ବଢି ଚାଲିଛି । ଏନେଇ ସ୍ୱତନ୍ତ୍ର ଯୋଜନା ଭିତିକ ପଦକ୍ଷେପ ଗ୍ରହଣ କରାନଗଲେ ଆଗକୁ ସ୍ଥିତି ସଂଗୀନ ହେବାର ସମ୍ଭବ ରହିଛି ।