କେମିତି ଅଭିଶପ୍ତ ହେଲି ମୁଁ ! ପଢନ୍ତୁ ମୋ ମା’ର ‘ସ୍ୱାର୍ଥପର’ କାହାଣୀ

40

କନକ ବ୍ୟୁରୋ : ଜନ୍ମରୁ ବାପା ମା’ କଣ ତାହା ଜାଣିନାହାନ୍ତି । ଛୁଆବେଳୁ ଅନାଥ ଓ ବେସାହାରା ହୋଇପଡିଥିବା ୩ ଛୁଆଙ୍କୁ କୋଳେଇନେଇଛନ୍ତି ଜେଜେମା । କିନ୍ତୁ ଏବେ ଦି ଓଳି ଦି ମୁଠା ଖାଇବାକୁ ଯୋଗଡା କରିବା ପାଇଁ କରିବାକୁ ପଡୁଛି ସଂର୍ଘଷ । ଓଳିଏ ଖାଇଲେ ଓଳିଏ ଉପବାସ ରହୁଛନ୍ତି । ପାଠପଢା ମଧ୍ୟ ଏମାନଙ୍କ ପାଇଁ ସାତସପନ ହୋଇଯାଇଛି । ୩ ଛୁଆଙ୍କ ଭବିଷ୍ୟତ ପାଇଁ ସରକାରୀ ସହାୟତା ଦେବାକୁ ଏବେ ଦାବି ହୋଇଛି ।

ଦୁଇ ଦିନ ହେବ ଘରେ ଚୁଲି ଜଳିନି । ଭୋକ ଉପାସରେ ଅଛନ୍ତି ବାପା ମା ଛେଉଣ୍ଡ ୩ ପିଲା ଓ ଜେଜେମା । କେନ୍ଦୁଝର ଯୋଡା ବ୍ଲକ କୋହ୍ଲ ରୋଇଡା କ୍ୟାମ୍ପରେ ରହୁଛନ୍ତି ବାପା ମା ଛେଉଣ୍ଡ ୩ ଭାଇ ଓ ତାଙ୍କ ଜେଜେ ମା । ଗତ ୧୨ ବର୍ଷ ଧରି ୩ ଭାଇଙ୍କୁ ମାଗି ଯାଚି ୭୦ ବର୍ଷର ସୁମି ଓରାମ ଚଳାଇଆସୁଛନ୍ତି । ମୁଣ୍ଡ ଗୁଞ୍ଜିବାକୁ ଭଲ ଘର ଖଣ୍ଡେ ମଧ୍ୟ ନାହିଁ । ପିଲାଙ୍କୁ ପାଠ ପଢାଇବା ମଧ୍ୟ ସମ୍ଭବ ହେଉନାହିଁ । ପୁଅ ବାଦଲ ଓରାମର ଅଜଣା ରୋଗରେ ମୃତ୍ୟୁ ହେଲା । ବୋହୂ ୩ ଛୁଆଙ୍କୁ ଛାଡି ଆଉ କାହାକୁ ବାହା ହୋଇ ପଳେଇବା ପରେ ୩ ଛୁଆଙ୍କୁ କୋଳେଇ ଦୁଃଖ କଷ୍ଟେ ଚଳଉଛି ଜେଜେମା ।

ସୁମି ଓରାମର ପୁଅ ବାଦଲ ଓରାମ ଓଶମଡିସିରେ ଶ୍ରମିକ ଭାବେ କାମ କରି ପରିବାର ପୋଷୁଥିଲା । କିନ୍ତୁ ହଠାତ ଅଜଣା ରୋଗରେ ଆରପାରିକୁ ଚାଲିଗଲା ପୁଅ । ୩ଟି ପୁଅ ଛୋଟ ଛୋଟ ହୋଇଥିବା ବେଳେ ବୋହୂ ମଧ୍ୟ ଆଉ କାହାକୁ ବାହା ହୋଇଗଲା । ସେବେଠୁ ୧୨ ବର୍ଷ ଧରି ବାର ଦୁଆର ହୋଇ ୩ ଛୁଆଙ୍କୁ ମଣିଷ କରୁଛି ଜେଜେ ମା । ଏବେ ୩ ଜଣ ପିଲା କିପରି ପାଠପଢିବେ ସେହି ଚିନ୍ତାରେ ଜେଜେମା ସୁମି ଓରାମ । ଏନେଇ ବିଡିଓଙ୍କୁ ଅବଗତ କରାଯିବା ପରେ ସମସ୍ତ ପ୍ରକାର ସହାୟତା ଯୋଗାଇଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।୧୨ ବର୍ଷ ଧରି ଜେଜେମାଙ୍କ ଭରସାରେ ପଡିରହିଛନ୍ତି ୩ ଭାଇ । ଆହା ପଦେ ମଧ୍ୟ କହିବାକୁ କେହି ନାହିଁ । ୩ ପିଲାଙ୍କ ଭବିଷ୍ୟତ ପାଇଁ ସରକାର ସହାୟତା ଯୋଗାଇଦେବାକୁ ଦାବି ହୋଇଛି ।