ଦିନେ ଚାକିରୀ ଖୋଜୁଥିଲେ ଆଜି ଅନେକଙ୍କୁ ଦେଉଛନ୍ତି ଚାକିରୀ । ଝାଡଖଣ୍ଡର ସଫଳ ଉଦ୍ୟୋଗୀଙ୍କ ପଛରେ ଲୁଚି ରହିଥିବା ନିଚ୍ଛକ ସତ

54

ଚାକିରୀ ପାଇବା ପାଇଁ ଅନେକ ଚେଷ୍ଟାକଲେ, ନମିଳିବାରୁ ବ୍ୟବସାୟ ଆରମ୍ଭ କଲେ । ଆଉ ବନିଗଲେ ସଫଳ ମହିଳା ଉଦ୍ୟୋଗୀ । ଏହା କେଉଁ ଚଳଚ୍ଚିତ୍ର ବା ନାଟକର କାହାଣୀ ନୁହେଁ । ଝାଡଖଣ୍ଡର ଜଣେ ସଫଳ ଉଦ୍ୟୋଗୀଙ୍କର ସଂଘର୍ଷପୂର୍ଣ୍ଣ କାହାଣୀ । ଯୁବକଯୁବତୀମାନେ ପାଠ ପଢି ସାରିବା ପରେ ଚାକିରି ଖୋଜିଥାଆନ୍ତି ଆଉ ଚାକିରୀ ନପାଇଲେ ଜୀବନରେ ହତାଶ ହୋଇଯାଆନ୍ତି । କିନ୍ତୁ ଝାଡଖଣ୍ଡର ଅନୀତା ଦେବୀ ସେଭଳି ନକରି ଉଦାହରଣ ସୃଷ୍ଟି କରିଛନ୍ତି ଆଉ ଅନେକ ଲୋକଙ୍କୁ ନିଯୁକ୍ତି ଦେଇଛନ୍ତି ।

ଝାଡଖଣ୍ଡର ପଛୁଆ ଜିଲ୍ଲା ଭାବେ ପରିଚିତ ଗୁମଲା । ଏହି ଜିଲ୍ଲାର ବିସୁନପୁର ଗାଁରେ ଅନୀତା ଦେବୀଙ୍କ ଘର । ଗୋଟିଏ ଛୋଟିଆ ଗାଁରେ ଜନ୍ମ ହୋଇ ସୁଦ୍ଧା ବିଏ ପର୍ଯ୍ୟନ୍ତ ପଢିଥିଲେ । ଆଉ ଗ୍ରାଜୁଏସନ ସାରିବା ପରେ ସରକାରୀ ଚାକିରୀ ପାଇଁ ଅନେକ ପରୀକ୍ଷା ଦେଇଥିଲେ । କିନ୍ତୁ କୌଣସି ପରୀକ୍ଷାରେ ସଫଳତା ପାଇନଥିଲେ । ଆଉ ଏଭଳି ପ୍ରତିକୂଳ ପରିସ୍ଥିତିରେ ହାରମାନିନଥିଲେ ଅନୀତା ।

ସଂଘର୍ଷକରିବା ଗରିବ ପରିବାରରେ ଜନ୍ମିତ ପିଲାଙ୍କର ଜନ୍ମଗତ ଅଧିକାର । ସେ ବାଦ ପଡିଥାନ୍ତେ କିପରି । ଭାଗ୍ୟର ବିପରୀତ ଦିଗରେ ଯିିବା ତାଙ୍କ ଜାତକରେ ଲେଖାନଥିଲା । ଅନୀତା ଘରେ ଆଚାର କରିବା ଆରମ୍ଭ କଲେ । କେଭଳ ଗୋଟିଏ ପ୍ରକାର ଆଚାର ନୁହେଁ ଅଲଗା ଅଲଗା ସ୍ୱାଦର ଆଚାର ବନାଇଲେ । ଯେତେବେଳେ ତାଙ୍କ ବ୍ୟବସାୟ ବଢିଲା ସେ ତାଙ୍କ ଗାଁର ଅନେକ ମହିଳାଙ୍କୁ ନିଯୁକ୍ତି ଦେଇଥିଲେ । ଫଳରେ କାମ ପାଇଁ ବାହାରକୁ ଯାଉଥିବା ମହିଳାଙ୍କୁ ରୋକି ପାରିଲେ ଅନୀତା ।

ଅଧିକ ଟଙ୍କା ନଥିବାରୁ ତାଙ୍କୁ ଅନେକ ପରିଶ୍ରମ କରିବାକୁ ପଡୁଥିଲା । ଟଙ୍କା ଅଭାବରୁ ଗାଁ ଲୋକଙ୍କ ନିକଟରୁ ଅତି ସୁବିଧାରେ ସବୁ ସାମଗ୍ରୀ ମିଳିଯାଉଥିଲା । ଧୀରେଧୀରେ ଗାଁ ର ଅନେକ ମହିଳାଙ୍କୁ ସେ ନିଯୁକ୍ତି ଦେଇ ପ୍ରଶଂସା ପାଇଲେ । ଆଉ ଏହି କ୍ଷୁଦ୍ର ବ୍ୟବସାୟରେ ତାଙ୍କୁ ସାହାଯ୍ୟ କରିଥିଲେ ତାଙ୍କ ସ୍ୱାମୀ ଅରୁଣ ଗିରି ।କେବଳ ଆଚାର ବ୍ୟବସାୟ ନୁହେଁ, ବଣ ଜଙ୍ଗଲରୁ ମିଲୁଥିବା ଅଁଳା, ଜାମୁକୁ ଗୁଣ୍ଡ କରି ବିକ୍ରୀ କରୁଛନ୍ତି । କୌଣସି ପାଶ୍ୱର୍ ପ୍ରତିକ୍ରିୟା ବିନା ଶରୀରର ସୁଗାର ସ୍ତର କମାଇବା ସହ ପେଟର ନାନାପ୍ରକାର ରୋଗ କମାଇବାରେ ସହାୟକ ହେଉଛି ଅନୀତାଙ୍କ ଦ୍ୱାରା ପ୍ରସ୍ତୁତ ବନୌଷଧୀ । ତା ସହ ଘରୋଇ ଭାବେ ବନାଉଥିବା ଆଚାର ପାଇଁ ଲାଗୁଛି ଗ୍ରାହକଙ୍କ ଭିଡ ।

ସରକାରଙ୍କ ଦ୍ୱାରା କରାଯାଉଥିବା ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ସେ ନିଜର ଷ୍ଟଲ ପକାଇ ନିଜ ଦ୍ୱାରା ପ୍ରସ୍ତୁତ ଆଚାର ଓ ଅନ୍ୟାନ୍ୟ ଜିନିଷ ବିକ୍ରୀ କରୁଛନ୍ତି । ଦିନେ ଚାକିରୀ ପାଇଁ ଚେଷ୍ଟା କରି ବିଫଳ ହୋଇଥିବା ମହିଳା ଆଜି ଶହେରୁ ଅଧିକ ମହିଳାଙ୍କୁ ଚାକିରୀ ଦେଇ ଯୁବଗୋଷ୍ଠୀଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ।