ଠାକୁରଙ୍କ ନାଁରେ ଠକି ଦେଲେ ! ଶ୍ରୀମନ୍ଦିରରେ ଚାକିରୀ କରାଇଦେବା ପାଇଁ ଯୁବକଙ୍କଠାରୁ ଲକ୍ଷାଧିକ ଟଙ୍କା ଠକେଇ ଅଭିଯୋଗ

ଶ୍ରୀମନ୍ଦିରରେ ଚାକିରି ଦେବା ନାଁରେ ଲକ୍ଷାଧିକ ଟଙ୍କା ଠକେଇ

120
କନକ ବ୍ୟୁରୋ : ଶ୍ରୀମନ୍ଦିରରେ ଚାକିରି ଦେବା ନାଁରେ ଲକ୍ଷାଧିକ ଟଙ୍କା ଠକେଇ। କାହାଠାରୁ ୧୦ ହଜାର ଟଙ୍କା ତ’ କାହାଠାରୁ ୧୫ ହଜାର ଟଙ୍କା ଚଳୁ କରି ଦିଆଯାଇଛି। ୬ ଜଣ ଯୁବକଙ୍କଠାରୁ ଲକ୍ଷାଧିକ ଟଙ୍କା ଠକେଇ ହୋଇଛି। କେବଳ ସେତିକି ନୁହେଁ, ଶ୍ରୀଜଗନ୍ନାଥ ମନ୍ଦିର ବୋଲି ଉଲ୍ଲେଖ ଥିବା ଓ ଷ୍ଟାମ୍ପ ବାଜିଥିବା ନିଯୁକ୍ତିପତ୍ର ବି ଦିଆଯାଇଛି। ଏଭଳି ସଂଗିନ୍ ଅଭିଯୋଗ ଆଣିଛନ୍ତି ଖୋର୍ଧାର କିଛି ଯୁବକ। ଶ୍ରୀମନ୍ଦିର କାର୍ଯ୍ୟାଳୟକୁ ଆସି ଏହି ଠକେଇ ସଂପର୍କରେ ଜାଣିବା ପରେ ଯୁବକମାନେ ସିଂହଦ୍ବାର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

 

ଅଭିଯୋଗ ମୁତାବକ, ଜନୈକ ବ୍ୟକ୍ତି ଶ୍ରୀମନ୍ଦିରରେ ଚାକିରି କରୁଥିବା କହି ବେକାର ଯୁବକମାନଙ୍କଠାରୁ ଟଙ୍କା ଆଦାୟ କରିଥିଲେ। ଖୋର୍ଧା ଜିଲ୍ଲା ଗଣିଆଟାଙ୍ଗି ବାଜପୁରର ଅଭିରାମ ମଙ୍ଗରାଜଙ୍କ ଅଭିଯୋଗ ମୁତାବକ, ଶ୍ରୀମନ୍ଦିରରେ ଚାକିରି କରାଇ ଦେବାକୁ କହି ଏହି ବ୍ୟକ୍ତି ତାଙ୍କଠାରୁ ୨୦ ହଜାର ଟଙ୍କା ଦାବି କରିଥିଲେ। ଚାକିରି ପୂର୍ବରୁ ସିକ୍ୟୁରିଟି ବାବଦରେ ୧୦ ହଜାର ଟଙ୍କା ନେଇଥିଲେ ଓ ଚାକିରି ପରେ ବାକି ଟଙ୍କା ନେବେ ବୋଲି କହିଥିଲେ। ସେହି ଅନୁଯାୟୀ ୧୦ ହଜାର ଟଙ୍କା ନେବା ପରେ ସଂପୃକ୍ତ ବ୍ୟକ୍ତି ତାଙ୍କୁ ଏକ ରସିଦ୍ ଦେଇଥିଲେ। ଟଙ୍କା ଦେବାର କିଛି ଦିନ ପରେ ଅର୍ଥାତ୍ ଗତ ୬ ତାରିଖରେ ତାଙ୍କୁ ଏକ ଜଏନିଂ ଲେଟର ପଠାଇଥିଲେ। ୨୦୧୯ ଜାନୁଆରି ୧୫ରୁ ଫେବୃଆରୀ ୧୦ ଭିତରେ ଘରର ଜନୈକ ସଦସ୍ୟଙ୍କୁ ସାଙ୍ଗରେ ନେଇ ଶ୍ରୀମନ୍ଦିର କାର୍ଯ୍ୟାଳୟ ଦେଖା କରିବାକୁ କୁହାଯାଇଥିଲା।

 

ଆସିବା ବେଳେ ସିକ୍ୟୁରିଟି ଟଙ୍କା ବାବଦକୁ ଦିଆଯାଇଥିବା ରସିଦ୍, ପାସପୋର୍ଟ ଫଟୋ, ପରିଚୟପତ୍ର, ଡ୍ରାଇଭିଂ ଲାଇସେନ୍ସ, ବାୟୋଡାଟା ଓ ଶିକ୍ଷାଗତ ଯୋଗ୍ୟତା ପ୍ରମାଣପତ୍ର ସାଙ୍ଗରେ ଧରି ଆସିବାକୁ କୁହାଯାଇଥିଲା। ଯୋଗାଯୋଗ ପାଇଁ ଏକ ମୋବାଇଲ୍ ନମ୍ବର ବି ଦିଆଯାଇଥିଲା। ଚିଠି ପାଇ ଉକ୍ତ ନମ୍ବରରେ ଯୋଗାଯୋଗ ପରେ ଏହା ବନ୍ଦ ରହିଛି। ବାରମ୍ବାର ଯୋଗାଯୋଗ କରି ନିରାଶ ହେବା ପରେ ଅଭିରାମ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ପହଞ୍ଚି ପଚରାଉଚରା କରିବା ପରେ ଚାକିରି ଓ ଚିଠି ସବୁ ମିଛ ବୋଲି ଜାଣିବାକୁ ପାଇଥିଲେ। ସେହିପରି ଖୋର୍ଧା ଜିଲ୍ଲା ଦଳାଇପୁଟର ବବୁଲ ଜେନାଙ୍କ ସହିତ ଅନ୍ୟ ୪ ଜଣ ମଧ୍ୟ ଠକେଇର ଶିକାର ହୋଇଥିବା ଅଭିଯୋଗ କରିଛନ୍ତି।