ଚେତାଇ ଦେଲେ ଜେଏନୟୁ ଛାତ୍ରଛାତ୍ରୀ । ବାରମ୍ବାର ସଂସଦ ଘେରାଉ କରାଯିବ, ବର୍ଦ୍ଧିତ ଫି’ ପ୍ରତ୍ୟାହାର ନ ହେବା ପର୍ଯ୍ୟନ୍ତ ଜାରି ରହିବ ଆନ୍ଦୋଳନ ।

355

କନକ ବ୍ୟୁରୋ : ହଷ୍ଟେଲ ଫି’ ବୃଦ୍ଧି ପ୍ରତ୍ୟାହାର ନ ହେବା ପର୍ଯ୍ୟନ୍ତ ବିରୋଧ ଜାରି ରହିବ ବୋଲି ଚେତାଇ ଦେଇଛି ଜେଏନୟୁ ଛାତ୍ର ସଂସଦ । ମଙ୍ଗଳବାର ଜେଏନୟୁ ଛାତ୍ର ସଂସଦ ପ୍ରେସମିଟରେ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛି । ଯେତେବେଳ ଯାଏଁ ହଷ୍ଟେଲ ଫି’ ବୃଦ୍ଧି ପ୍ରତ୍ୟାହାର ନ ହୋଇଛି ସରକାରଙ୍କ ବିରୋଧରେ ଆରମ୍ଭ ହୋଇଥିବା ଏହି ଆନ୍ଦୋଳନ ଜାରି ରହିବ । ନିଜର ହକର ଲଢେଇ ଲଢୁଥିବା ଜେଏନୟୁ ଛାତ୍ରଛାତ୍ରୀ ସରକାରଙ୍କ ଚାପ କିମ୍ବା ପୋଲିସ ଭୟରେ ମୁଣ୍ଡ ନୁଆଁଇବେ ନାହିଁ ବୋଲି ଛାତ୍ର ସଂସଦ କହିଛି । ଆବଶ୍ୟକ ପଡିଲେ ବାରମ୍ବାର ସଂସଦ ଘେରାଉ କରିବାକୁ ପଛାଇବୁ ନାହିଁ ବୋଲି ଛାତ୍ର ସଂସଦ ସଭାପତି ଆଇଶୀ ଘୋଷ କହିଛନ୍ତି ।

ଛାତ୍ର ସଂସଦ ପକ୍ଷରୁ କୁହାଯାଇଛି ଯେ, ଗତ ୨୩ ଦିନ ହେବ ଜେଏନୟୁ ଛାତ୍ରଛାତ୍ରୀ ନିଜର ଦାବି ଜଣାଇବାକୁ ଚାହୁଁଥିଲେ ମଧ୍ୟ କେହି ଶୁଣୁନାହାନ୍ତି । ଏନେଇ ଶାନ୍ତିପୂର୍ଣ୍ଣ ଭାବେ ପ୍ରତିବାଦ କଲେ ପୋଲିସ ଲାଠିଚାର୍ଜ କରିବାକୁ ପଛାଉ ନାହିଁ । ଏହାଛଡା ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ ପକ୍ଷରୁ ଯେଉଁ କମିଟି ଗଠନ କରାଯାଇଛି, ସେମାନେ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିବାକୁ ମନା କରୁଛନ୍ତି । ଏପରିକି ଯେତେବେଳେ ଉପ-କୁଳପତି ଛାତ୍ରଛାତ୍ରୀଙ୍କ ଦାବି ଶୁଣିବାକୁ ସାମ୍ନାକୁ ଆସୁନାହାନ୍ତି ସେତେବେଳେ ଛାତ୍ରଛାତ୍ରୀ ଏହି ଲଢେଇରୁ କାହିଁକିି ପଛଘୁଞ୍ଚା ଦେବେ । ବରଂ ବିଶ୍ୱବିଦ୍ୟାଳୟ ଭିସି ତୁରନ୍ତ ଇସ୍ତଫା ଦେଇଦିଅନ୍ତୁ ।

ଗତକାଲି ହଷ୍ଟେଲ ଫି ବୃଦ୍ଧିକୁ ନେଇ ରାଜରାସ୍ତାକୁ ଓହ୍ଲାଇଥିଲେ ଜେଏନୟୁ ଛାତ୍ରଛାତ୍ରୀ । ସଂସଦର ଶୀତକାଳୀନ ଅଧିବେଶନ ଆରମ୍ଭ ହେଉଥିବାରୁ ସଂସଦ ସାମ୍ନାରେ ପ୍ରତିବାଦ କରିବାକୁ ଆଗେଇ ଚାଲିଥିଲେ ଛାତ୍ରଛାତ୍ରୀ । ତେବେ ମଝି ରାସ୍ତାରେ ପୋଲିସ ସେମାନଙ୍କୁ ପ୍ରତିରୋଧ କରିବାରୁ ଉଭୟ ଛାତ୍ର ଓ ପୋଲିସ ମଧ୍ୟରେ ସଂଘର୍ଷ ଆରମ୍ଭ ହୋଇଥିଲା । ଏଥିରେ କିଛି ଛାତ୍ର ଗୁରୁତର ଆହତ ହୋଇଥିବା ବେଳେ ଆଉ କିଛି ଛାତ୍ରଙ୍କୁ ପୋଲିସ ଗିରଫ କରି ନେଇଥିଲା ।