ରାଜ୍ୟସଭା ପରେ ଲୋକସଭାରେ ପାରିତ ହେଲା ଜମ୍ମୁ-କାଶ୍ମୀର ପୁନର୍ଗଠନ ବିଲ୍ । ଶାହା କହିଲେ ଧାରା ୩୭୦ ଉଚ୍ଛେଦ ପାଇଁ ମୋଦି ସରକାରଙ୍କୁ ମନେ ରଖିବେ ଦେଶବାସୀ

491

କନକ ବ୍ୟୁରୋ: ମୋଦି ସରକାରଙ୍କ ବଡ ସଫଳତା । ରାଜ୍ୟସଭା ପରେ ଲୋକସଭାରେ ପାରିତ ହେଲା ଜମ୍ମୁ-କାଶ୍ମୀର ପୁନର୍ଗଠନ ବିଲ । ଏହି ବିଲ୍ ସପକ୍ଷରେ ୩୭୦ଟି ଭୋଟ ପଡିଥିବା ବେଳେ ବିପକ୍ଷରେ ପଡିଛି ୭୦ ଭୋଟ । ଲୋକସଭାରେ ଏହି ବିଲକୁ ଉପସ୍ଥାପନ କରିଥିଲେ ଗୃହମନ୍ତ୍ରୀ ଅମିତ ଶାହା । ଆଉ ଗୃହରେ ବହୁମତ କାରଣରୁ ଏହି ବିଲ ବେଶ ସହଜରେ ପାରିତ ହୋଇଥିଲା ।

ତେବେ ଏହି ବିଲ୍ ପାରିତ ହେବା ପୂର୍ବରୁ ଗୃହରେ ଦୀର୍ଘ ସମୟ ଧରି ଆଲୋଚନା ହୋଇଥିଲା । ଗୃହମନ୍ତ୍ରୀ ଅମିତ ଶାହା କହିଥିଲେ, ଧାରା ୩୭୦ କାଶ୍ମୀରକୁ ଭାରତ ସହ ଯୋଡୁନଥିଲା । କିନ୍ତୁ ଏହି ଧାରା ଉଚ୍ଛେଦ ହେବା ପରେ ଜମ୍ମୁ-କାଶ୍ମୀର ଭାରତର ଅଭିନ୍ନ ଅଙ୍ଗ ପାଲଟିଛି । ତେବେ ଏହି ଧାରା ୩୭୦ ଉଚ୍ଛେଦ ପାଇଁ ମୋଦି ସରକାରକୁ ଦେଶବାସୀ ସର୍ବଦା ମନେ ରଖିବେ ବୋଲି କହିଛନ୍ତି ।

ଧାରା ୩୭୦ ଉଚ୍ଛେଦ ପରେ କାଶ୍ମୀରକୁ ନେଇ ଯେଉଁ ଚର୍ଚ୍ଚା ହେଉଛି ସେଥିରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ଶାହା । ଜମ୍ମୁ-କାଶ୍ମୀରବାସୀ ଯାହା ମାଗିବେ ତାଙ୍କୁ ଯୋଗାଇ ଦିଆଯିବ । ଏପରିକି କାଶ୍ମୀରବାସୀ ୧୦୦ ମାଗିଲେ, ଆମେ ୧୧୦ ଦେବାକୁ ମଧ୍ୟ ପ୍ରସ୍ତୁତ ବୋଲି କହିଛନ୍ତି ଶାହା । ଏହାପୂର୍ବରୁ ଗତକାଲି ରାଜ୍ୟସଭାରେ ମଧ୍ୟ ଏହି ବିଲ୍ ପାରିତ ହୋଇଥିଲା । ରାଜ୍ୟସଭାରେ ଏହି ବିଲ୍ ସପକ୍ଷରେ ୧୨୫ ଭୋଟ ପଡିଥିବା ବେଳେ ବିପକ୍ଷରେ ୬୧ଟି ଭୋଟ ପଡିଥିଲା ।