ରେଶମ ସହରରେ ଏନକାଉଂଟର : ବାହୁବଳୀ ନେତା ରମେଶ ଜେନାଙ୍କ ସହଯୋଗୀ ଜିତୁ ଆହତ

31

ବ୍ରହ୍ମପୁର ବ୍ୟୁରୋ, କନକ ନ୍ୟୁଜ୍ :ରେଶମ ସହରରେ ପୁଣି ପୋଲିସ ଅପରାଧୀ ମୁହାଁମୁହିଁ । ଏନକାଉଂଟରରେ ଆହତ ହୋଇଛି ବାହୁବଳୀ ନେତା ରମେଶ ଜେନାଙ୍କ ଘନିଷ୍ଟ ସହଯୋଗୀ ତଥା ଦୁର୍ଦ୍ଦାନ୍ତ ଅପରାଧୀ ଜିତୁ। ଜିତୁ ନାଁରେ ରହିଛି ୧୪ଟି ମାମଲା । କେବଳ ଗଂଜାମ ଜିଲ୍ଲାରେ ୧୩ଟି । ୨ଟି ହତ୍ୟା, ୩ଟି ଦୁଷ୍କର୍ମ ସହ ଦାଦାବଟି ଆଦାୟ ଭଳି ଅଭିଯୋଗ ରହିଛି ଜିତୁ ନାଁରେ । ଦୀର୍ଘ ଦିନ ଧରି ପୋଲିସ ଆଖିରେ ଧୁଳି ଦେଇ ଫେରାର ଥିବା ଜିତୁ ଶେଷରେ ଆସିଛି ପୋଲିସ ହେପାଜତକୁ ।

ଜିତୁ ସେଠୀ ବିରୋଧରେ ରହିଥିଲା ଜାମିନ ବିହିନ ଗିରଫ ପରୱାନା । ଗୋପାଳପୁର ଅଂଚଳରେ ନିଜ ସହଯୋଗୀ ସହ ଜିତୁ ଥିବା ସୂଚନା ପାଇ ଗୋପାଳପୁର ଓ ରଙ୍ଗେଇଲୁଣ୍ଡା ପୋଲିସ ଆରମ୍ଭ କରିଥିଲା ଅପରେସନ । ପୋଲିସ ଉପରକୁ ୩ ରାଉଣ୍ଡ ଗୁଳି ଚଲାଇ ଖସି ଯିବାକୁ ଜିତୁ ଉଦ୍ୟମ କରିଥିବା ବେଳେ ପୋଲିସ ଗୁଳିରେ ହୋଇଥିଲା ଆହତ । ଆଉ ଧରା ପଡିଥିଲା ଏହି ହାର୍ଡକୋର କ୍ରିମିନାଲ ।

ସେପଟେ ଗିରଫ ହୋଇ ଜେଲରେ ଥିବା ପୂର୍ବତନ ବିଧାୟକ ରମେଶଙ୍କ ଜେନାଙ୍କ ପୁତୁରାକୁ ମୁମ୍ବାଇରୁ ଗିରଫ କରିଛି ପୁଲିସ । ବ୍ରହ୍ମପୁର ପୁଲିସର ଏକ ଟିମ ପିଂଟୁ ଜେନାଙ୍କୁ ଗିରଫ କରିଥିବା ସୂଚନା ମିଳିଛି । ପିଂଟୁ ଜେନା ରମେଶଙ୍କ ବ୍ୟବସାୟିକ କାରବାର ବୁଝୁଥିବା କୁହାଯାଉଛି । ଗତ କିଛି ଦିନ ଧରି ରମେଶ ଜେନା ଲିଙ୍କରେ ଥିବା ଜଣକ ପରେ ଜଣେ ଅପରାଧିଙ୍କୁ ଧରିବାକୁ ପୋଲିସ ଚଲାଇଛି ଉଦ୍ୟମ ।