ବି.କେ ହରିପ୍ରସାଦ ଗଲେ ଜିତେନ୍ଦ୍ର ସିଂ ଆସିଲେ ! ବଦଳିବ କି ଓଡ଼ିଶା କଂଗ୍ରେସର ଭାଗ୍ୟ ?

35

କନକ ବ୍ୟୁରୋ : କଂଗ୍ରେସରେ ଗୋଷ୍ଠୀ କନ୍ଦଳ ତୀବ୍ର ହେବାରେ ଲାଗିଛି । ଚନ୍ଦ୍ରଶେଖର ସାହୁ ଭଳି ଦଳର ବରିଷ୍ଠ ନେତାମାନେ କଂଗ୍ରେସ ଛାଡୁଥିବାବେଳେ ଆଜି ବଦଳିଛନ୍ତି ରାଜ୍ୟ ପ୍ରଭାରୀ । ଓଡ଼ିଶା ପାଇଁ କଂଗ୍ରେସର ନୂଆ ପ୍ରଭାରୀ ଭାବେ ଦାୟିତ୍ୱ ମିଳିଛି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହଙ୍କୁ । ୫ ବର୍ଷ ଧରି ଦଳର ପ୍ରଭାରୀ ରହିଥିବା ବି.କେ ହରିପ୍ରସାଦଙ୍କ ସ୍ଥାନରେ ଜିତେନ୍ଦ୍ର ସିଂହଙ୍କୁ ଦାୟିତ୍ୱ ଦେଇଛି ଏଆଇସିସି ।ବିଜେପୁର ନିର୍ବାଚନରେ କଂଗ୍ରେସର ନୈରାଶ୍ୟଜନକ ପ୍ରଦର୍ଶନ ପରେ ଦଳର ରାଜ୍ୟ ନେତୃତ୍ୱ ଉପରେ ପ୍ରଶ୍ନ ଚିହ୍ନ ଲାଗିଥିଲା । ପିସିସି ସଭାପତି ପଦରୁ ପ୍ରସାଦ ହରିଚନ୍ଦନ ଇସ୍ତଫା ଦେଇଥିବା ନେଇ ମଧ୍ୟ ଚର୍ଚ୍ଚା ହେଉଥିଲା । ବି.କେ ହରିପ୍ରସାଦଙ୍କ ବିରୋଧରେ ମଧ୍ୟ ଦଳ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଥିଲା । ନିଜ ରାଜ୍ୟ କର୍ଣ୍ଣାଟକରେ ନିର୍ବାଚନ ଥିବାରୁ ପ୍ରଭାରୀ ପଦରୁ ଓହରିଯିବା ନେଇ ବି.କେ ହରିପ୍ରସାଦ ଆଗ୍ରହ ଦେଖାଇଥିବା ନେଇ ଚର୍ଚ୍ଚା ହେଉଥିଲା । ତେବେ ଏହାରି ଭିତରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି, ଆଜି ବିକେ ହରିପ୍ରସାଦଙ୍କ ସ୍ଥାନରେ ଜିତେନ୍ଦ୍ର ସିଂହଙ୍କୁ ଓଡ଼ିଶା ପ୍ରଭାରୀ ଭାବେ ନିଯୁକ୍ତି ଦେଇଛନ୍ତି ।

ସେପଟେ କଂଗ୍ରେସରୁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଚନ୍ଦ୍ରଶେଖର ସାହୁ, ଏଆଇସିସି ସଦସ୍ୟ ବିକ୍ରମ ପଣ୍ଡା ଏବଂ ଗଂଜାମ ଜିଲ୍ଲା କଂଗ୍ରେସ ସଭାପତି ଭଗବାନ ଗନ୍ତାୟତ କଂଗ୍ରେସରୁ ଇସ୍ତଫା ଦେବା ପରେ ପୁଣି ତେଜିଛି ଅନ୍ତଃକନ୍ଦଳ ଚର୍ଚ୍ଚା । ବର୍ଷ ବର୍ଷ ଧରି କଂଗ୍ରେସ ହାଇକମାଣ୍ଡ ଅବହେଳା କରିବାରୁ ଇସ୍ତଫା ଦେବାକୁ ବାଧ୍ୟ ହେଲେ ବୋଲି କହୁଛନ୍ତି ଚନ୍ଦ୍ରଶେଖର ସାହୁ । ରାଜ୍ୟ କଂଗ୍ରେସକୁ ଜାତୀୟ କଂଗ୍ରେସ ନେତାଙ୍କ ଅବହେଳା, ଦଳୀୟ ବିଶୃଙ୍ଖଳା ଏବଂ କାର୍ଯ୍ୟପନ୍ଥାକୁ ନେଇ ଅସନ୍ତୋଷ ଜାହିର କରିଛନ୍ତି ଚନ୍ଦ୍ରଶେଖର । ସଫା ସଫା କହିଛନ୍ତି ତାଙ୍କ ଅଭିଜ୍ଞତାକୁ ଦଳ ବ୍ୟବହାର କରିପାରିଲା ନାହିଁ । କଂଗ୍ରେସରେ ଦଳୀୟ କନ୍ଦଳ ଯୋଗୁଁ ବିଜେପୁରରେ ଦଳ ମାତ୍ ଖାଇଲା । ତେଣୁ ସେ କଂଗ୍ରେସ ଛାଡିବାକୁ ବାଧ୍ୟ ହେଲେ ବୋଲି କହିଛନ୍ତି ।

ଚନ୍ଦ୍ରଶେଖରଙ୍କ ସହ ଏଆଇସିସି ସଦସ୍ୟ ବିକ୍ରମ ପଣ୍ଡା ଏବଂ ଗଂଜାମ ଜିଲ୍ଲା କଂଗ୍ରେସ ସଭାପତି ଭଗବାନ ଗନ୍ତାୟତ ବି ନିଜ ଇସ୍ତଫାପତ୍ର ଦଳୀୟ ହାଇକମାଣ୍ଡଙ୍କ ନିକଟକୁ ପଠାଇଦେଇଛନ୍ତି । ଏହି ଘଟଣା ପରେ କଂଗ୍ରେସରେ କନ୍ଦଳ ଆହୁରି ବଢି ଯାଇଛି । ନେତା- ନେତାଙ୍କ ଭିତରେ ପୁଣି ଆରମ୍ଭ ହୋଇଛି ଆରୋପ-ପ୍ରତ୍ୟାରୋପର ପର୍ବ । କଂଗ୍ରେସରୁ ଇସ୍ତଫା ଦେବା ପରେ ଚନ୍ଦ୍ରଶେଖର ସାହୁ ଏବେ ବିଜେଡିରେ ଯୋଗ ଦେବା ନେଇ ଚର୍ଚ୍ଚା ହେଉଛି । ଆସନ୍ତା ୪ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ବ୍ରହ୍ମପୁର ଗସ୍ତ ସମୟରେ ଏହି ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇପାରେ ।