ଅନେକ ବାଦବିବାଦ ପରେ ବଦଳିଲେ ଓଡିଶା କଂଗ୍ରେସ ପ୍ରଭାରୀ ! ଜିତେନ୍ଦ୍ର ସିଂହକୁ ଦିଆଗଲା ଦାୟିତ୍ୱ

36

କନକ ବ୍ୟୁରୋ : ବହୁ ବାଦ ବିବାଦ ପରେ ବଦଳିଲେ ଓଡିଶା କଂଗ୍ରେସ ପ୍ରଭାରୀ । ବିକେ ହରିପ୍ରସାଦ ସ୍ଥାନ ନେଲେ ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ଜିତେନ୍ଦ୍ର ସିଂହ । ଉପା ସରକାରରେ ଗୃହ, କ୍ରୀଡା ଓ ପ୍ରତିରକ୍ଷା ପରି ଗୁରୁତ୍ୱପୂର୍ଣ୍ଣ ବିଭାଗ ସମ୍ଭାଳିଥିଲେ ଜୀତେନ୍ଦ୍ର । ରାଜସ୍ଥାନର ଅଲୱାରରୁ ୩ ଥର ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି । ୨୦୦୭ରେ ସେ ଏଆଇସିସିର ସଂପାଦକ ଥିଲେ । ଏପରିକି ରାହୁଲ ଗାନ୍ଧୀଙ୍କୁ ରାଜନୈତିକ ସ୍ତରରେ ସହଯୋଗ କରୁଥିଲେ ।

ଓଡିଶାରେ ବୁଡୁଥିବା କଂଗ୍ରସର ନାଆକୁ ଜିତେନ୍ଦ୍ର ସାହା ହେବେ ବୋଲି ଆଶା ରଖି ରାହୁଲ ଗାନ୍ଧୀ ତାଙ୍କୁ ଏଇ ଦାୟିତ୍ୱ ଦେଇଛନ୍ତି । ପଂଚାୟତ ପରାଜୟ ଓ ବିଜେପୁର ବିପର୍ଯ୍ୟୟ ପରେ ପିସିସ ସଭାପତି ପ୍ରସାଦ ହରିଚନ୍ଦନ ଓ ପ୍ରଭାରୀ ହରିପ୍ରସାଦଙ୍କ ବିରୋଧରେ ଅନେକ କଂଗ୍ରେସ ନେତା ସ୍ୱର ଉଠାଇଥିଲେ । ସେମାନଙ୍କୁ ବଦଳାଇବାକୁ ବାରମ୍ବାର ଦିଲ୍ଲୀରେ ଫେରାଦ ହୋଇଥିଲେ କଂଗ୍ରେସ ନେତା ।

ସୂଚନାଯୋଗ୍ୟ ବି.କେ ହରିପ୍ରସାଦ ରାଜ୍ୟ କଂଗ୍ରେସର ନେତୃତ୍ୱ ନେବାକୁ ବିଫଳ ହୋଇଛନ୍ତି ବୋଲି ଏଆଇସିସିରେ ଅନେକ ଥର ଅଭିଯୋଗ ହୋଇଛି। ନିକଟରେ ଏଆଇସିସିର ତିନି ଜଣିଆ ପର୍ଯ୍ୟବେକ୍ଷକ କମିଟି ଓଡ଼ିଶା ଗସ୍ତ କରିଥିଲା । ସେମାନେ ଓଡ଼ିଶାର ରାଜନୈତିକ ଚିତ୍ର ଓ ନେତୃତ୍ୱ ସମ୍ପର୍କରେ ସମୀକ୍ଷା କରି ଫେରି ଯାଇ ଦଳର ହାଇକମାଣ୍ଡ ରାହୁଳ ଗାନ୍ଧିଙ୍କୁ ରିପୋର୍ଟ ଦାଖଲ କରିଥିଲେ । ବିଗତ କିଛି ମାସ ହେବ ଓଡ଼ିଶା କଂଗ୍ରେସରେ କନ୍ଦଳ ଲାଗିଥିବା ବେଳେ ଏହାକୁ ନେଇ ଏଆଇସିସି ଓ ପିସିସି ମଧ୍ୟରେ ଅନେକ ଆଲୋଚନା ହୋଇଛି ।