ସାବଧାନ! ଜିଓ ଟାୱାର ନାଁରେ ହେଉଥିଲା ବଡ ଠକେଇ, ପଶ୍ଚିମବଙ୍ଗ ରାକେଟର ପର୍ଦ୍ଦାଫାଶ କଲା ସ୍ପେଶାଲ ସ୍କ୍ୱାର୍ଡ

46

କନକ ବ୍ୟୁରୋ : ଆପଣଙ୍କ ଘର ବା ଜମି ଉପରେ ଜିଓ ଟାୱାର ସ୍ଥାପନ କରିବା ନେଇ ଫୋନ କଲ୍ ଆସିଛି କି? ତା ହେଲେ ସତର୍କ ହୋଇଯାଆନ୍ତୁ । ଆପଣ ଠକାମୀର ଶିକାର ହୋଇପାରନ୍ତି । ଏଭଳି କହିବାକୁ ଆମେ ବାଧ୍ୟ ହେଉଛୁ, କାରଣ ଭୁବନେଶ୍ୱରରୁ ଧରାପଡିଛନ୍ତି ଏମିତି ଠକାମୀ କରୁଥିବା ଏକ ବଡ ରାକେଟ ।

ଜିଓ ଟାୱାର ନାଁରେ ଠକେଇ । ଏଭଳି ଏକ ଗ୍ୟାଙ୍ଗର ପର୍ଦ୍ଦାଫାଶ କରିଛି ସ୍ପେଶାଲ ସ୍କ୍ୱାର୍ଡ । ପଶ୍ଚିମବଙ୍ଗର ଏକ ଗ୍ୟାଙ୍ଗ ଜିଓ ଟାୱାର ବସାଇବା ନାଁରେ ଲକ୍ଷାଧିକ ଟଙ୍କା ହଡପ କରିବାକୁ ଯୋଜନା କରୁଥିବା ସମୟରେ ଧରାପଡିଛନ୍ତି । ସୂଚନା ପାଇ ପୋଲିସ ଭୁବନେଶ୍ୱରରୁ ଏକ ହୋଟେଲରୁ ଗ୍ୟାଙ୍ଗର ଦୁଇ ଜଣଙ୍କୁ ଗିରଫ କରିଥିଲା । ପରେ କୁଆଖାଇ ପୋଲ ଉପରୁ ଅନ୍ୟ ୪ ଜଣଙ୍କୁ ଗିରଫ କରିବାକୁ ସକ୍ଷମ ହୋଇଛି ପୋଲିସ । ଆପଣଙ୍କ ଘର ପାଖରେ ଜିଓ ମୋବାଇଲ ଟାୱାର ସ୍ଥାପନ କରି ହଜାର ହଜାର ଟଙ୍କାର ମାସିକ ଆୟ କରିବାର ପ୍ରସ୍ତାବ ଆସିପାରେ । ଏନେଇ ଖବର କାଗଜରେ ବିଜ୍ଞାପନ ଆସିପାରେ, ଏପରିକି ଆପଣଙ୍କୁ ଫୋନ ମାଧ୍ୟମରେ ଦିଆଯାଇପାରେ ଲୋଭନୀୟ ପ୍ରସ୍ତାବ । ତେଣୁ ଏଥିପ୍ରତି ଆପଣ ସତର୍କ ରୁହନ୍ତୁ ।

ପଶ୍ଚିମବଙ୍ଗର ଏହି ଗ୍ୟାଙ୍ଗ ଖବରକାଗଜରେ ଜିଓ ଟାୱାର ସ୍ଥାପନ କରିବା ନେଇ ବିଜ୍ଞାପନ ପ୍ରକାଶ କରିଥିଲେ । ଆବଶ୍ୟକ କାଗଜପତ୍ର ସହ ସାକ୍ଷାତକାର ପାଇଁ ଭୁବନେଶ୍ୱର ସ୍ଥିତ ଲା ଫ୍ରାଙ୍କଲିନ ହୋଟେଲରେ ଆସି ଯୋଗାଯୋଗ କରିବାକୁ ଏଥିରେ ଉଲ୍ଲେଖ ଥିଲା । ଏହି ସୂଚନା ପାଇବା ପରେ କିଛି ଲୋକ ହୋଟେଲକୁ ଆସିଥିଲେ । ସେଠାରେ ସେମାନଙ୍କ ଠାରୁ ରେଜିଷ୍ଟ୍ରେସନ ବାବଦରେ ୧୪୦୦ ଟଙ୍କା ଓ ସିକ୍ୟୁରିଟି ମନି ବାବଦରେ ଏକ ଲକ୍ଷ ୨୦ ହଜାର ଟଙ୍କା ମଗାଯାଇଥିଲା । ଏହା ସହ ଜିଓ ଟାୱାର ବସିବା ପରେ ମାସିକ ୫୦ ହଜାର ଟଙ୍କା ସଂପୃକ୍ତ ବ୍ୟକ୍ତିଙ୍କୁ ଦିଆଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା ।

ଏମାନଙ୍କ ସହ ଚୁକ୍ତି କଲେ ଆଗୁଆ ୧୫ଲକ୍ଷ ଟଙ୍କାର ଚେକ ପ୍ରଦାନ କରାଯିବ ବୋଲି କୁହାଗଲା । କିନ୍ତୁ ଅସଲ ଟାର୍ଗେଟ ଥିଲା ସିକ୍ୟୁରିଟି ମନି । ଏହାକୁ ହଡପ କରିବା ପାଇଁ ଯୋଜନା କରୁଥିଲେ ଏହି ରାକେଟ୍ । ସେମାନଙ୍କ ଠାରୁ ଭାରତ ସରକାର ଲେଖା ଥିବା ଏକ ଇନୋଭା ଗାଡି ସମେତ ଏୟାରଗନ, ଦେଶୀ ରାଇଫଲ, କିଛି ଚେକ୍ ଓ ନକଲି ଆଇ କାର୍ଡ ସମେତ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଛି ପୋଲିସ । ଏହି ଠକମାନଙ୍କ ଅପରାଧ ନେଇ ଅଧିକ ଖୋଳତାଡ ଜାରି ରହିଛି ।