ଝୁଲୁଛି ସାରକୁବନ୍ଧ ଝୁଲାପୋଲର ଭାଗ୍ୟ । ନିର୍ମାଣ ବର୍ଷେ ଭିତରେ ଛିଣ୍ଡିଲା ଲୁହାତାର, ଯାତାୟତ କରିବା ପାଇଁ ଭୟ କରୁଛନ୍ତି ସ୍ୱାଭିମାନୀ ମଣିଷ ।

239

କନକ ବ୍ୟୁରୋ : ଝୁଲିଲାଣି ସାରକୁବନ୍ଧ ଝୁଲାପୋଲ । ଚିତ୍ରକୋଣ୍ଡା ପଞ୍ଚାୟତ ସମିତି ଅନ୍ତର୍ଗତ ସ୍ଵାଭିମାନ ଅଞ୍ଚଳରେ ଏକ ବର୍ଷ ତଳେ ସାରକୁବନ୍ଧ ନାଳ ଉପରେ ଏକ ଝୁଲାପୋଲ ନିର୍ମାଣ କରାଯାଇଥିଲା । ବର୍ତ୍ତମାନ ସୁଦ୍ଧା ବ୍ରିଜର ଉଦଘାଟନ ହୋଇନଥିଲେ ମଧ୍ୟ ବ୍ରିଜର ନିମ୍ନମାନର କାମକୁ ନେଇ ଉଠିଲାଣି ପ୍ରଶ୍ନ । ବ୍ରିଜର ଗୋଟିଏ ପାଶ୍ୱରେ ଛିଣ୍ଡି ଗଲାଣି ଲୁହାତାର ।

ଝୁଲୁଛି ସାରକୁବନ୍ଧ ଝୁଲାପୋଲର ଭାଗ୍ୟ । ନିର୍ମାଣ ବର୍ଷେ ଭିତରେ ଛିଣ୍ଡିଲା ଲୁହାତାର । ଗୁରୁପ୍ରିୟା ସେତୁ ଠିଆ ହେବା ପରେ ମାଲକାନଗିରି ଚିତ୍ରକୋଣ୍ଡାର ସ୍ୱାଭିମାନ ଅଂଚଳକୁ ବାହ୍ୟଜଗତ ସହ ଯୋଡିବା ପାଇଁ ପ୍ରୟାସ ଚଳାଇଛନ୍ତି ସରକାର । ସତରେ କଣ ବାହ୍ୟ ଜଗତ ସହ ଯୋଡି ହେବ ପୁରା ସ୍ୱାଭିମାନ ଅଂଚଳ? ଏ ପ୍ରଶ୍ନ ଏଥିପାଇଁ ଉଠୁଛି, କାରଣ ବର୍ଷେ ତଳେ ନିର୍ମାଣ ହୋଇଥିବା ଝୁଲା ପୋଲ ଏବେ ଅସୁରକ୍ଷିତ । ପୋଲକୁ ନିୟନ୍ତ୍ରଣ କରୁଥିବା ଲୁହାତାର ଗୋଟିଏ ପଟୁ ଛିଣ୍ଡି ଯିବା ପରେ ପୋଲ ଉପରେ ଯାତାୟତ କରିବା ପାଇଁ ଭୟ କରୁଛନ୍ତି ସ୍ୱାଭିମାନୀ ମଣିଷ ।

୧. ସାରକୁବନ୍ଧ ନାଳ ଉପରେ ମାଲକାନଗିରି ସମନ୍ୱିତ ଆଦିବାସୀ ଉନ୍ନୟନ ବିଭାଗ ପକ୍ଷରୁ ଝୁଲା ପୋଲ ନିର୍ମାଣ କରାଯାଇଛି ।
୨. ଏଥିପାଇଁ ୨ କୋଟି ୮୦ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଛି ।
୩. ପୋଲ ନିର୍ମାଣ ଦାୟିତ୍ୱ କୋଲକାତାର ଏକ ଘରୋଇ କମ୍ପାନୀ ଗାର୍ଡେନ୍ ରିଚ୍ ହାତକୁ ନେଇଥିଲା ।
୪. ଝୁଲା ପୋଲ ନିର୍ମାଣ ହେବା ପରେ ଧୂଳିପୁଟ ଓ ରାଲେଗାଡ ପଂଚାୟତ ବାହ୍ୟଜଗତ ସହ ଯୋଡି ହୋଇଥିଲା ।

ବ୍ରିଜ ହେବା ପରେ ଏହି ଲୋକଙ୍କ ଗମନାଗମନ ସୁବିଧା ହୋଇଥିଲା । କିନ୍ତୁ ଏହି ସୁବିଧା ମାତ୍ର ବର୍ଷେ ଭିତରେ ଠପ୍ ହୋଇଯିବାକୁ ବସିଛି । କାରଣ ଝୁଲାପୋଲର ଲୁହାତାର ଛିଣ୍ଡି ଯାଇଛି । ନିର୍ମାଣର ବର୍ଷେ ଭିତରେ ପୋଲ ବିପଦ ସଙ୍କୁଳ ଅବସ୍ଥାକୁ ଚାଲିଆସିଥିବା ବେଳେ ପୋଲର ଓଜନ ସମ୍ଭାଳିବା କ୍ଷମତା ୨୦ ଟନ୍ ଥିବା ବେଳେ ଏହା ଅଧିକ ଓଜନର ସାମଗ୍ରୀ ନିଆଯାଇଥିବାରୁ ତାର ଛିଣ୍ଡି ଯାଇଛି । ଖୁବଶୀଘ୍ର ଏହାର ମରାମତି କରାଯିବ ବୋଲି ବିଭାଗୀୟ ଅଧିକାରୀ କହିଛନ୍ତି ।