ଝାରସୁଗୁଡ଼ାରେ ବିଜେଡି ପଦାଧିକାରୀ ବୈଠକ । ବିଜେଡିରେ ଯୋଗଦେବା ପୂର୍ବରୁ ନବଙ୍କୁ ନେଇ ଚାଲିଛି ମନ୍ଥନ ।

ସୂଚନା ମୁତାବକ ଝାରସୁଗୁଡାର ଏକ ପଞ୍ଚ ତାରକା ହେଟେଲରେ ନବ ଦାସଙ୍କ ସହ ବିଜେଡି ନେତା ସଞ୍ଜୟ ଦାସବର୍ମା, ପ୍ରଣବ ପ୍ରକାଶ ଦାସଙ୍କ ଏବଂ ଜିଲ୍ଲା ଓ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟଙ୍କର ରୁଦ୍ଧ ଦ୍ୱାରା ବୈଠକ ହୋଇଛି ।

529

କନକ ବ୍ୟୁରୋ: ଝାରସୁଗୁଡ଼ା ନେତା ନବ ଦାସଙ୍କ ବିଜେଡି ପ୍ରବେଶ ନେଇ ଚାଲିଛି ବୈଠକ । ସୂଚନା ମୁତାବକ ଝାରସୁଗୁଡାର ଏକ ପଞ୍ଚ ତାରକା ହେଟେଲରେ ନବ ଦାସଙ୍କ ସହ ବିଜେଡି ନେତା ସଞ୍ଜୟ ଦାସବର୍ମା, ପ୍ରଣବ ପ୍ରକାଶ ଦାସଙ୍କ ଏବଂ ଜିଲ୍ଲା ଓ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟଙ୍କର ରୁଦ୍ଧ ଦ୍ୱାରା ବୈଠକ ହୋଇଛି । ଗତକାଲି କଂଗ୍ରେସରୁ ଇସ୍ତଫା ଦେଇଥିବା ନବ ଦାସଙ୍କ ବିଜେଡିରେ ଯୋଗଦେବା ପୂର୍ବରୁ ବିଜେଡିର ଛାମୁଆ ନେତାମାନେ ମନ୍ଥନ କରୁଛନ୍ତି । ଆସନ୍ତା ୨୪ ତାରିଖରେ ନବ ଦାସ ବିଜେଡିରେ ଯୋଗଦେବେ ବୋଲି ପୂର୍ବରୁ ସ୍ପଷ୍ଟ କରିଛନ୍ତି ।

ସେପଟେ ଏହି ବୈଠକରେ ଝାରସୁଗୁଡ଼ା ବିଜେଡି ଜିଲ୍ଲା ସଭାପତି କିଶୋର ମହାନ୍ତି ଏବଂ ବିଜେଡ଼ି ନେତା ଅନୁପ ସାଏ ମଧ୍ୟ ଉପସ୍ଥିତ ଥିବା ଜଣାପଡ଼ିଛି । ଆସନ୍ତା ୨୪ ତାରିଖରେ ନବ ଦାସ ବିଜେଡ଼ି ଯୋଗଦେବାର କାର୍ଯ୍ୟକ୍ରମ ରହିଥିବାବେଳେ ପ୍ରବେଶ ପୂର୍ବରୁ ରାଲି କାର୍ଯ୍ୟକ୍ରମର ପୂର୍ବ ପ୍ରସ୍ତୁତି ନେଇ ନବ-ପ୍ରଣବ-ସଂଜୟଙ୍କ ମଧ୍ୟରେ ଚାଲିଛି ଆଲୋଚନା । ତେବେ ନବ ଦାସଙ୍କ ବିଜେଡିରେ ଯୋଗଦେବା ଘଟଣା ସାମ୍ନାକୁ ଆସିବା ପରେ ଝାରସୁଗୁଡ଼ାରେ ନବ ଓ ନବୀନଙ୍କ ଫଟୋ ପୋଷ୍ଟର ଛାଉଣି ହୋଇପଡ଼ିଥିବା ଦେଖିବାକୁ ମିଳିଛି ।

ରାଜନୀତି ବିଛଣାରେ ଅନେକ ଅପରିଚିତ ବ୍ୟକ୍ତିଙ୍କୁ ଶୋଇଥିବା ଦେଖିବାକୁ ମିଳେ । ହେଲେ ଯିଏ କିଛି ଦିନ ତଳେ ଦମ୍ ଦେଖାଇ କହୁଥିଲେ ହାତ ଛାଡ଼ିବାର ପ୍ରଶ୍ନ ଉଠୁନି ସିଏ ଆଜି କଂଗ୍ରେସ ସହିତ ସବୁ ସମ୍ପର୍କ ତୁଟାଇଦେଇଛନ୍ତି । ତେବେ ଶଙ୍ଖ ଧରିବାକୁ ସଜବାଜ ହୋଇ ବସିଛନ୍ତି ନବ ଦାସ । ଆଉ ମାତ୍ର କେଇ ଦିନର ଅପେକ୍ଷା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ସବୁଜ ରଙ୍ଗରେ ରଙ୍ଗୀନ ଝାରସୁଗୁଡ଼ା ପୂର୍ବତନ କଂଗ୍ରେସ ବିଧାୟକ ନବ ଦାସ । ସେପଟେ ନବ ଦାସଙ୍କ ପୂର୍ବ କଥା ଏବଂ ବର୍ତ୍ତମାନର ନିଷ୍ପତିକୁ ନେଇ ରାଜ୍ୟ ରାଜନୀତି କରିଡ଼ରରୁ ଆରମ୍ଭ କରି ସାଧାରଣରେ ଚର୍ଚ୍ଚା ଜୋର ଧରିଛି ।