ମାର୍ଚ୍ଚ ୩୧ ତାରିଖରୁ ଝାରସୁଗୁଡ଼ାରୁ ନିୟମିତ ବିମାନ ଚଳାଚଳ

262

କନକ ବ୍ୟୁରୋ : ଆସନ୍ତା ମାର୍ଚ୍ଚ ୩୧ ତାରିଖରୁ ଝାରସୁଗୁଡ଼ାରୁ ନିୟମିତ ବିମାନ ଚଳାଚଳ କରିବ । ସ୍ପାଇସ୍‌ ଜେଟ କର୍ତ୍ତୃପକ୍ଷ ଶନିବାର ଝାରସୁଗୁଡା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦର ପରିଦର୍ଶନ କରିଛନ୍ତି । ବିମାନ ବନ୍ଦରଠାରେ ଥିବା ଭିତ୍ତିଭୂମି ଓ ସୁରକ୍ଷା ବ୍ୟବସ୍ଥା ସହିତ ଯାତ୍ରୀଙ୍କ ପାଇଁ ଥିବା ବ୍ୟବସ୍ଥା ସମ୍ପର୍କରେ ଅନୁଧ୍ୟାନ କରିଛନ୍ତି । ବିମାନ ବନ୍ଦର ନିର୍ଦ୍ଦେଶକ ଏସ୍‌.କେ ଚୌହ୍ଵାନ୍‌ ସ୍ପାଇସ୍‌ ଜେଟ କର୍ତ୍ତୃପକ୍ଷଙ୍କୁ ଉଡାଣ ସଂପର୍କିତ ସୂଚନା  ପ୍ରଦାନ କରିବା ସହିତ ବିମାନ ବନ୍ଦରର ସମସ୍ତ ବ୍ୟବସ୍ଥା ସମ୍ପର୍କରେ ଅବଗତ କରିଥିଲେ ।

ବିମାନ ବନ୍ଦର ପରିଦର୍ଶନ ପରେ ଏହି ଟିମ୍‌ରେ ଥିବା ପଦାଧିକାରୀମାନେ ଆସନ୍ତା ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ଏଠାରୁ ବିମାନ ସେବା କରିବେ ବୋଲି ପ୍ରକାଶ କରିଛନ୍ତି । ସ୍ପାଇସ୍‌ ଜେଟ ବିମାନ ସେବା ପାଇଁ ଦେଶର ତିନୋଟି ବଡ଼ ସହର ନୂଆଦିଲ୍ଲୀ, ହାଇଦ୍ରାବାଦ ଓ କୋଲକାତା ମଧ୍ୟରେ ବିମାନ ଚଳାଚଳ ପାଇଁ  ବିମାନ ଚଳାଚଳ ମନ୍ତ୍ରାଳୟ ଠାରୁ ଅନୁମତି ପାଇ ସାରିଛି।