ମହାନଦୀ ପରେ ଏବେ ବ୍ରାହ୍ମଣୀରେ ଦେଖାଯାଇପାରେ ପାଣି ସମସ୍ୟା । ନଦୀ ଉପରେ ଝାଡଖଣ୍ଡ କଲାଣି ୧୫ରୁ ଅଧିକ ବନ୍ଧ, ୫ ଜିଲ୍ଲା ହୋଇପାରେ ପ୍ରଭାବିତ

ବ୍ରାହ୍ମଣୀକୁ ନେଇ ତେଜିବାରେ ଲାଗିଛି ବିବାଦ

143

କନକ ବ୍ୟୁରୋ : ମହାନଦୀକୁ ନେଇ ଗତ ୪ ବର୍ଷ ହେଲାଣି ରାଜ୍ୟରେ ଅନେକ ଆନ୍ଦୋଳନ ହେଲାଣି । ଓଡିଶାର ପାଣିକୁ ଛତିଶଗଡ ଜୋର ଜବରଦସ୍ତ ଅଟକାଇ ରଖୁଥିବା ନେଇ କେନ୍ଦ୍ରର ହସ୍ତକ୍ଷେପ କରିବା ସହ ସର୍ବୋଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ ମଧ୍ୟ ରାଜ୍ୟ ସରକାର ହୋଇଛନ୍ତି । ହେଲେ ବର୍ତମାନ ସୁଦ୍ଧା ମହାନଦୀର ସମାଧାନ ହୋଇନଥିବ ସମୟରେ ଏବେ ବ୍ରାହ୍ମଣୀକୁ ନେଇ ତେଜିବାରେ ଲାଗିଛି ବିବାଦ । ମିଳିଥିବା ସୂଚନା ଅନୁସାରେ, ଛତିଶଗଡର ଦାଦାଗିରି ମହାନଦୀ ପାଇଁ ମହାଘାତକ ସାଜିଛି। ରାଜ୍ୟର ୧୬ଟି ଜିଲ୍ଲା ଘୋର ବିପର୍ଯ୍ୟୟ ଆଡକୁ ଟାଣି ହୋଇଗଲେଣି। ମହାନଦୀ ଟ୍ରିବ୍ୟୁନାଲ ଏବେ ଏହା ଉପରେ ଶୁଣାଣି ଆରମ୍ଭ କରିଛନ୍ତି। ସମଗ୍ର ରାଜ୍ୟବାସୀ ଏହାକୁ ନେଇ ଆଶା ଆଶଙ୍କା ଭିତରେ ଥିବା ବେଳେ ବ୍ରାହ୍ମଣୀ ନଦୀ ପ୍ରତି ଦେଖା ଦେଇଥିବା ବିପଦ ଏବେ ରାଜ୍ୟର ଆଉ କିଛି ଜିଲ୍ଲାର ଅର୍ଥନୀତିକୁ ବିଗାଡ଼ି ଦେଇପାରେ।

 

ଖୋଦ୍ ରାଜ୍ୟ ସରକାରଙ୍କ ଜଳସଂପଦ ବିଭାଗ ବିଧାନସଭାରେ ସ୍ବୀକାର କରିଛନ୍ତି ଯେ ବ୍ରାହ୍ମଣୀ ନଦୀର ଉପର ମୁଣ୍ଡରେ ଝାଡ଼ଖଣ୍ଡ ସରକାର ୧୫ଟି ବନ୍ଧ ନିର୍ମାଣ କରିସାରିଛନ୍ତି। ଆଉ ୩ଟି ବନ୍ଧ ନିର୍ମାଣ କରିବେ। ଏହି ୧୮ଟି ପ୍ରକଳ୍ପ ମଧ୍ୟରୁ ଗୋଟିଏ ଜଳ ବିଦ୍ୟୁତ ପ୍ରକଳ୍ପ ଥିବା ବେଳେ ଆଉ ୧୭ଟି ଜଳସେଚନ ପାଇଁ ଉଦ୍ଦିଷ୍ଟ ବୋଲି କୁହାଯାଇଛି।ରାଜ୍ୟ ସରକାରଙ୍କ ଜଳସଂପଦ ବିଭାଗ କହିଛି, ଝାଡ଼ଖଣ୍ଡ ସରକାର ବ୍ରାହ୍ମଣୀର ଉପନଦୀ ଶଙ୍ଖ ଓ କୋଏଲ୍ ନଦୀ ଉପରେ ଅପର୍ ସୁଙ୍କି ଜଳବିଦ୍ୟୁତ ପ୍ରକଳ୍ପ ଗୁମ୍ଲା ଜିଲ୍ଲାରେ କାର୍ଯ୍ୟକ୍ଷମ କରିଛନ୍ତି। ଏହାଛଡ଼ା ଅନ୍ୟ ୧୪ଟି ନଦୀବନ୍ଧ ଜଳସେଚନ ଉଦ୍ଦେଶ୍ୟରେ ଶଙ୍ଖ ଓ କୋଏଲ୍ ନଦୀ ଉପରେ ନିର୍ମାଣ କରାଯାଇଛି। ଆଉ ତିନିଟି ପ୍ରକଳ୍ପ ଉପରେ ସରକାର ପଦକ୍ଷେପ ନେବାକୁ ଯାଉଛନ୍ତି।

 

ବିଧାୟକ ଦିଲିପ ରାୟ ବିଧାନସଭାରେ ପଚାରିଥିବା ଏକ ପ୍ରଶ୍ନର ଉତ୍ତରରେ ଜଳସମ୍ପଦ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଏଭଳି ଚାଞ୍ଚଲ୍ୟକର ତଥ୍ୟ ରଖିଛନ୍ତି। ତାଙ୍କ ପ୍ରତିକ୍ରିୟାରେ ଶ୍ରୀ ରାୟ ଏକ ବିବୃତି ଦେଇ କହିଛନ୍ତି ଯେ କୋଏଲ୍ ଓ ଶଙ୍ଖ ନଦୀ ଉପରେ ଏକାଧିକ ବ୍ୟାରେଜ୍ ଯୋଗୁ ବ୍ରାହ୍ମଣୀର ଜଳ ପ୍ରବାହ ହ୍ରାସ ପାଇଛି। ସରକାର ଏ ନେଇ ତୁରନ୍ତ ପଦକ୍ଷେପ ନ ନେଲେ ଆଗକୁ ଇସ୍ପାତ ନଗରୀ ରାଉରକେଲା ଉପରେ ପ୍ରଥମେ ଏହାର ସିଧାସଳଖ ପ୍ରତିକୂଳ ପ୍ରଭାବ ପଡ଼ିବ। କେବଳ ସେତିକି ନୁହେଁ ବ୍ରାହ୍ମଣୀ ଓଡ଼ିଶାର ଦ୍ୱିତୀୟ ବୃହତ୍ତମ ନଦୀ ହୋଇଥିବାରୁ ଏହା ଉପରେ ରାଜ୍ୟର ବ୍ୟାପକ ଅଞ୍ଚଳରେ କୃଷି, ଶିଳ୍ପ ଓ ଜୀବିକା ନିର୍ବାହ ପାଇଁ ଲୋକେ ନିର୍ଭର କରନ୍ତି। ନେଇ ଅନୁଗୁଳ, ଢେଙ୍କାନାଳ, ଯାଜପୁର, କେନ୍ଦ୍ରପଡା ଜିଲ୍ଲାରେ ମଧ୍ୟ ଏହାର ପ୍ରଭାବକୁ ଏଡାଇ ଦେଇ ହେବ ନାହିଁ । କେବଳ ସେତିକି ନୁହେଁ, ଜଳ ପ୍ରବାହ କମିବା ସହିତ ବ୍ରାହ୍ମଣୀରେ ପ୍ରଦୂଷଣ ମାତ୍ରା ମଧ୍ୟ ଉଦବେଗଜନକ ଭାବେ ବଢ଼ି ଚାଲିଛି।